ବ୍ରହ୍ମପୁର: ଗଞ୍ଜାମ ବ୍ରହ୍ମପୁର ସହରର ଏକ ବନ୍ଦ ଘରୁ ଅଧା କେଜିରୁ ଅଧିକ ସୁନା ଗହଣା ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ବ୍ରହ୍ମପୁର ଥାନାରେ ମାମଲା ରୁଜୁ ହୋଇଛି।
ଏଫ୍ଆଇଆର୍ ଅନୁୟାୟୀ ସହରର ସୋମନାଥନଗର ତୃତୀୟ ଲେନରେ ରୁହନ୍ତି ସୁଲୋଚନା ପାତ୍ର । ସେ ଗତ ଅଗଷ୍ଟ 29 ତାରିଖରେ ଭୁବନେଶ୍ୱରରେ ଥିବା ତାଙ୍କ ଭାଇଙ୍କ ଘରକୁ ଯାଇଥିଲେ। ଘରୁ ବାହାରିବା ପୂର୍ବରୁ ସେ ଘରେ ତାଲା ପକାଇ ଦେଇଥିଲେ। ତେବେ ସେପ୍ଟେମ୍ବର 5 ତାରିଖରେ ସୁଲୋଚନାଙ୍କ ପଡ଼ୋଶୀ ତାଙ୍କୁ ଫୋନ୍ କରି କହିଥିଲେ ଯେ, ତାଙ୍କ ଘରର କବାଟର ତାଲା ଭାଙ୍ଗି ଯାଇଛି। ଏହାପରେ ସୁଲୋଚନା ବ୍ରହ୍ମପୁରରେ ପହଞ୍ଚିବା ପରେ ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ।
ତଳ ମହଲା ଓ ପ୍ରଥମ ମହଲାରେ ଥିବା ରୁମର କବାଟ ତାଲା ଭଙ୍ଗା ଯାଇଥିଲା। ଏତଦ୍ବ୍ୟତୀତ ସମସ୍ତ କାନ୍ଥ ଆଲମାରିରା ଡୋର ବା କବାଟ ମଧ୍ୟ ଖୋଲା ରହିଥିଲା। ଘରକୁ ଖୋଜାଖୋଜି କରିବା ପରେ ସୁଲୋଚନା ଓ ତାଙ୍କ ଭାଇ ଘର ଭିତରେ ଥିବା ସମସ୍ତ ମୂଲ୍ୟବାନ ଜିନିଷପତ୍ର ଚୋରି ହୋଇଥିବା ଜାଣିବାକୁ ପାଇଥିଲେ।
ଏଫଆଇଆରରେ ସୁଲୋଚନା ଉଲ୍ଲେଖ କରିଛନ୍ତି ଯେ ଚୋରି ସାମଗ୍ରୀ ତାଲିକାରେ 600 ଗ୍ରାମ ସୁନା ଅଳଙ୍କାର, 40 ଗ୍ରାମ ଓଜନର ସୁନା ବିସ୍କୁଟ, 11ଟି ଚେନ୍, 2ଟି କଏନ୍, 5 ଯୋଡ଼ା କାନଫୁଲ, 8ଟି ମୁଦି, 10ଟି ଲକେଟ୍ ଓ ଅନ୍ୟାନ୍ୟ ଜିନିଷ ରହିଛି। ଏହାବ୍ୟତୀତ ଘରୁ 500 ଗ୍ରାମ୍ ଓଜନର ରୂପା ଅଳଙ୍କାର ଓ ନଗଦ 11 ହଜାର ଟଙ୍କା ମଧ୍ୟ ଲୁଟି ନେଇଥିଲେ। ପୋଲିସ ଏବେ ଏତଲା ଆଧାରରେ ତଦନ୍ତ ଆରମ୍ଭ କରିଛି।
Comments are closed.