Latest Odisha News

ଟ୍ରାଫିକ୍ ଆଇନ ଉଲ୍ଲଂଘନ: ତିନି ବର୍ଷରେ ଟ୍ବିନ୍ ସିଟିରୁ ୧୮୬ କୋଟିରୁ ଅଧିକ ଟଙ୍କା ଆଦାୟ

ଭୁବନେଶ୍ୱର: ରାଜ୍ୟ ସରକାର ଗତ ୩ ବର୍ଷ ମଧ୍ୟରେ ଟ୍ୱିନ ସିଟି ଭୁବନେଶ୍ୱର ଓ କଟକରେ ୧୮୬ କୋଟିରୁ ଅଧିକ ଟଙ୍କା ଟ୍ରାଫିକ୍ ଆଇନ ଉଲ୍ଲଂଘନ କରିଥିବା ବ୍ୟକ୍ତିଙ୍କଠୁ ଫାଇନ୍ ଆଦାୟ କରିଛନ୍ତି। ସୋମବାର ଓଡ଼ିଶା ବିଧାନସଭାରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହି ସୂଚନା ଦେଇଛନ୍ତି।

ତୁଷାରକାନ୍ତି ବେହେରା କହିଛନ୍ତି, ୨୦୨୦, ୨୦୨୧ ଓ ୨୦୨୨ରେ ୧୮ ଲକ୍ଷ ୫୨ ହଜାର ୩୯୪ ଜଣଙ୍କଠାରୁ କମିସନରେଟ୍ ପୁଲିସ ମୋଟ ୧୮୬ କୋଟି ୪ ଲକ୍ଷ ୫୫ ହଜାର ୪୪୦ ଟଙ୍କା ଜରିମାନା ଆଦାୟ କରିଛି। ହେଲମେଟ୍ ନ ପିନ୍ଧି ଦୁଇ ଚକିଆ ଯାନ ଚଳାଇବା, ମୋବାଇଲରେ କଥା ହେବା, ସିଟ୍ ବେଲ୍ଟ ନ ବାନ୍ଧି ଗାଡ଼ି ଚଳାଇବା, ଭୁଲ୍ ରାସ୍ତାରେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା ଭଳି ନିୟମ ଉଲ୍ଲଙ୍ଘନ ପାଇଁ ଏହି ଜରିମାନା ଆଦାୟ କରାଯାଇଛି।

  • ବିନା ହେଲମେଟରେ ଗାଡି ଚଳାଇଲେ: ୮,୬୬,୪୬୪ ବ୍ୟକ୍ତିଙ୍କଠୁ ୮୫ କୋଟି ୬୭୨ ହଜାର ୭୦୦ ଟଙ୍କା
  • ମୋବାଇଲରେ କଥା ହେଉଥିବା ବେଳେ ଗାଡି ଚାଳଉଥିଲେ: ୧୪ ହଜାର ୮୭୫ ବ୍ୟକ୍ତିଙ୍କଠୁ ୬ କୋଟି ୬୫ ଲକ୍ଷ ୧୨ ହଜାର ୮୦୦ ଟଙ୍କା
  • ବିନା ସିଟ୍ ବେଲ୍ଟରେ ଗାଡି ଚଳାଇ: ୧୯ ହଜାର ୬୪୩ ବ୍ଯକ୍ତିଙ୍କଠୁ ଏକ କୋଟି ୮୧ ଲକ୍ଷ ୯୧ ହଜାର ୧୦୦ ଟଙ୍କା
  • ଭୁଲ୍ ରାସ୍ତାରେ ଗାଡ଼ି ଚଳାଉଛନ୍ତି: ୧୮ ହଜାର ୭୨୫ ଜଣଙ୍କଠୁ ୮୬ ଲକ୍ଷ ୬୯ ହଜାର ୧୦୦ ଟଙ୍କା
  • ନିଶାସକ୍ତ ଅବସ୍ଥାରେ ଗାଡି ଚଳାଉଛନ୍ତି: ୫ ହଜାର ୬୨୮ ଜଣଙ୍କଠୁ ୨୮ ଲକ୍ଷ ୮ ହଜାର ଟଙ୍କା
  • ଅନ୍ୟାନ୍ୟ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ: ୯ ଲକ୍ଷ ୨୭ ହଜାର ୦୫୯ ଜଣଙ୍କଠୁ ୯୧ କୋଟି ୨୬ ଲକ୍ଷ ଏକ ହଜାର ୭୪୦ ଟଙ୍କା

ସଡ଼କ ସୁରକ୍ଷାରେ ସୁଧାର ଆଣିବା ସହ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନକୁ ହ୍ରାସ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ କହିଛନ୍ତି। ଟ୍ରାଫିକ୍ ନିୟମ ମାନିବା ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ସେ ଜନସାଧାରଣଙ୍କୁ ଏହି ଅବସରରେ ପରାମର୍ଶ ଦେଇଛନ୍ତି।

Comments are closed.