Latest Odisha News

BREAKING NEWS

ପରମ୍ପରାରେ ପାନ

ଭୁବନେଶ୍ୱର : ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା ।

ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏଡା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି । ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ (କ୍ୟାଲସିଅମ) ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ, ରଜ ଆଭୂଷଣକୁ ଆହୁରି ମୁଗ୍ଧକର କରିଦିଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ । ଢ଼ଗରେ ଅଛି-

‘ପାନଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ, ରାଜା ହୋଇଗଲା ରଜରେ’ ।

ପାନରସରେ ବହୁ ପରିମାଣରେ ଅମ୍ଳ, ଧତବ ଲବଣ, ଜୀବନିକା ରହିଥାଏ। ଆୟୁର୍ବେଦ ଚିକିତ୍ସାରେ ପାନରସର ବ୍ୟବହାର ଅତି ବ୍ୟାପକ। ପାନରସ ବାତ, ପିତ୍ତ ଓ କଫ ନାଶକ। ପାନ ତେଲ ଶ୍ଳେଷ୍ମା, ଆମାଶୟ, ଅତିସାର, ଯକ୍ଷ୍ମା, ସନ୍ନିପାତ, କଣ୍ଠରୋଗ ଓ ଫୁସଫୁସ ରୋଗର ପ୍ରଶମକ। ପାନ ପତ୍ରକୁ ଚୋବାଇଲେ ମୁଖର ଦୁର୍ଗନ୍ଧ ଦୂର ହୋଇଥାଏ। ସର୍ଦ୍ଦି, ପେଟଟଣା, ବଦହଜମି, ଅତିସାର, ମୂର୍ଚ୍ଛା ଆଦିରେ ପାନରସ ମହୁସହିତ ପ୍ରୟୋଗ କରାଯାଏ।ମାଢ଼ିକ୍ଷତରେ ପାନରସକୁ ପାଣିରେ ମିଶାଇ କୁଳିକରାଯାଏ। ପାନରସକୁ ମୁଣ୍ଡରେ ଘସିଲେ ଉକୁଣୀ ମରିଯାନ୍ତି। ଚକ୍ଷୁରୋଗ, ଅନ୍ଧାରକଣା, ସର୍ପବିଷ, ମୁଣ୍ଡ ଯନ୍ତ୍ରଣା, କାନତଳ ଗ୍ରନ୍ଥିଫୁଲା, ସ୍ତନ ଗ୍ରନ୍ଥିଫୁଲା, କ୍ଷୀର ନିର୍ଗତ, କମ୍ପନ, ଅନିଦ୍ରା ଆଦି ଦୋଷ ହାରକ। କାନପୂଜ ଓ କଣନଖାରେ ଉଷୁମ ପାନରସ ପ୍ରୟୋଗ କରାଯାଏ। ଚର୍ମରୋଗ, କାଛୁକୁଣ୍ଡିଆ, ରମ୍ପା, ଯାଦୁ ଆଦିରେ ଉପକାରୀ। ଚୂନ ସହିତ ଭାତୁଡ଼ି ଓ ବ୍ରଣ ଆଦିରେ ଲେପ ଦେଲେ ଯନ୍ତ୍ରଣା ଉପଶମ କରେ। ପାନର ପେଟପଟେ ପୁରୁଣା ଘିଅ ଲଗାଇ ବଥ ଉପରେ ପାରିଲେ ଘା’ ପଚାଇ ଫଟାଇ ଦିଏ। ପାନମୂଳର ରସ ସାତଗୋଟି ଗୋଲମରିଚ ସହିତ ଖାଇଲେ ଗର୍ଭପାତ କରାଏ ଓ ଗର୍ଭରୋଧ କରେ। ପାନଡେମ୍ଫ ମଳଦ୍ୱାର ଦେଇ ପ୍ରବେଶ କରାଇଲେ ଶିଶୁଙ୍କ ପେଟଫମ୍ପା ଦୂର ହୁଏ। ପାନଡେମ୍ଫ ଖାଇଲେ ଗାଈ ଦୁଧିଆଳୀ ହୁଏ। ଏହାଛଡ଼ା ପାନରୁ ଅନେକପ୍ରକାରର ଔଷଧ, ରଙ୍ଗ, ଲଜେନସ, ଚକୋଲେଟ, ଥଣ୍ଡାପାନୀୟ ଓ ସୋମରସ ପରି ମୃଦୁ ମାଦକ ମଧ୍ୟ ତିଆରି ହୋଇଥାଏ।

ଇତିହାସ କହେ ଯେ, ଆଗକାଳରେ ନାରୀମାନେ ନିଜ ଓଠକୁ ରଙ୍ଗ କରିବା ପାଇ ପାନ ଖାଉଥିଲେ । ସେମାନେ ପ୍ରାକୃତିକ ରଙ୍ଗ ହିସାବରେ ଏହାକୁ ବ୍ୟବହାର କରୁଥିଲେ । ଭାରତ, ଚୀନ, ନେପାଳ, ଭୁଟାନ, ବର୍ମା, ଥାଇଲାଣ୍ଡ, ମାଲେସିଆରେ ପାନକୁ ଆଭିଜାତ୍ୟର ଚିହ୍ନ ହିସାବରେ ବ୍ୟବହାର କରୁଥିଲେ ।
ସବୁଦେଶରେ, ସବୁକାଳରେ ଲୋକେ ସୌଖିନ ମୁଖବାସ, ଧର୍ମକର୍ମ ପୂଜାପଦ୍ଧତି, ଶାରୀରିକ କ୍ରିୟା, ଏକଲୟତା ଆଦିରେ ପାନକୁ ବ୍ୟବହାର କରିଥାନ୍ତି। ଗୁଆପାନ ଶ୍ରଦ୍ଧା, ସମ୍ମାନ ଓ ମଙ୍ଗଳ ସୂଚକ। ଚୂନପାନ ଗୋଦୁଗ୍ଧ ସମାନ ବୋଲି କୁହାଯାଏ। ବିଡ଼ିଆପାନ ବା ଖିଲପାନ ମୁଖ ମହକ, କଣ୍ଠ ସରଳ, ଖାଦ୍ୟ ପାଚକ ଓ ଅମ୍ଳ ନାଶକ। ପତ୍ରରେ ଥିବା ହରିତ କଣା ଜୀବନିକା ‘ଖ’ ଓ ‘ଗ’ରେ ଭରିଥାଏ । ଏହା ଦାନ୍ତ ମାଢିକୁ ମଜବୁତ କରିବା ସହିତ ମସ୍ତିସ୍କ, ଯକୃତ ଓ ହୃତପିଣ୍ଡକୁ ସତେଜ କରେ। ଦେହମନରେ ଉଲ୍ଲାସ ଓ ହରଷ ଆଣେ। ପୃଥିବୀରେ ପ୍ରାୟ ୪୦୦ନିୟୁତରୁ ଅଧିକ ଅଧିବାସୀ ଏକ ବା ଏକାଧିକ ଖିଲିପାନ ଚର୍ବଣ କରିଥାନ୍ତି ।

 

Leave A Reply

Your email address will not be published.