ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଧାନ ମଣ୍ଡି ଖୋଲିବା ନେଇ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଚାଷୀଙ୍କ ହିତ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାରେ ୨୩ ତାରିଖରେ ଖୋଲିବ ନାହିଁ ଧାନ ମଣ୍ଡି । ଜାନୁଆରୀ ମାସ ୩ ତାରିଖରେ ମଣ୍ଡି ଖୋଲିବା ନେଇ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ।
ଗଞ୍ଜାମ ଜିଲ୍ଲାପାଳଙ୍କ ଚିଠି ଅନୁସାରେ, ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଶନିବାର ଗଞ୍ଜାମ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବଙ୍କୁ ଏକ ପତ୍ର ଲେଖି ଏ ସମ୍ପର୍କରେ ଜଣାଇଛନ୍ତି। ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଲଘୁଚାପ ବର୍ଷା କାରଣରୁ ଜିଲ୍ଲାରେ ଧାନ ଅମଳରେ ବିଳମ୍ବ ହୋଇପାରେ। ତେଣୁ ମଣ୍ଡିରେ ଧାନ ସଂଗ୍ରହ ଦିନକୁ ଘୁଞ୍ଚାଇ ଦିଆଯାଇଛି।
ଆସନ୍ତା ଜାନୁଆରୀ ୩ ତାରିଖରୁ ଜିଲ୍ଲାରେ ମଣ୍ଡିରେ ଧାନ ସଂଗ୍ରହ କରାଯିବ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଓ ଧାନ ସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଏହି ତାରିଖକୁ ଚୟନ କରାଯାଇଛି। ଲଘୁଚାପ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଚିଲା ଧାନ ବର୍ଷାରେ ଭିଜି ନଷ୍ଟ ହୋଇଯାଇଛି।