ଭୁବନେଶ୍ୱର: ଯେତେବେଳେ କୃଷି କ୍ଷେତ୍ରରୁ ଲୋକେ ମୁହଁବୁଲାଇ ଦେଉଛନ୍ତି ଖାସ୍ କରି ଓଡ଼ିଶାରେ ସେହି ସମୟରେ କଳାହାଣ୍ଡି ଜିଲ୍ଲାର ପଟାୟତ କୁମାର କୃଷି କ୍ଷେତ୍ର ପାଇଁ ପଦ୍ମଶ୍ରୀ ପୁରସ୍କାର ଗ୍ରହଣ କରି ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନାଗରିକ ସମ୍ମାନ ସମାରୋହରେ ବୈଦ୍ୟ ପଟାୟତ କୁମାର ସାହୁଙ୍କୁ କୃଷି କ୍ଷେତ୍ରରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି ।
ପଟାୟତ କୁମାର ସାହୁ ପେସାରେ ଜଣେ ବୈଦ୍ୟ। ଆୟୁର୍ବେଦ ଔଷଧ ପ୍ରସ୍ତୁତ କରିବା ଏବଂ ଔଷଧୀୟ ବୃକ୍ଷରୋପଣ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାରେ ସେ ବିଶେଷ ଲୋକପ୍ରିୟ।
ପଟାୟତ ସାହୁ ୧୯୫୫ ମସିହା ଅଗଷ୍ଟ ୧୮ ତାରିଖରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲା ନାନ୍ଦୋଳ ଗ୍ରାମରେ ଏକ ମଧ୍ୟବିତ୍ତ ଚାଷୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରର ଆର୍ଥିକ ସମସ୍ୟା ଯୋଗୁ ସେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିପାରିଥିଲେ।
ଜେଜେ ବାପା ଶ୍ରୀ ଗୋବର୍ଦ୍ଧନ ସାହୁ ଜଣେ ବୈଦ୍ୟ ଥିଲେ, ତାଙ୍କ ଦ୍ୱାରା ପ୍ରଭାବିତ ହୋଇ ଶ୍ରୀ ପଟ୍ଟାୟତ ସାହୁଙ୍କ ମନରେ ପିଲାଟି ଦିନରୁ ଔଷଧୀୟ ବୃକ୍ଷ ପ୍ରତି ଆଗ୍ରହ ଜନ୍ମିଥିଲା । ଏହି ଆଗ୍ରହ ବଳରେ ସେ ନିଜର ଦେଢ଼ ଏକର ଜମିରେ ଏକ ଔଷଧୀୟ ଉଦ୍ଭିଦ ବଗିଚା ତିଆରି କରିଛନ୍ତି ଯେଉଁଥିରେ ୩୨ଶହରୁ ଅଧିକ ବିଭିନ୍ନ ପ୍ରଜାତିର ଔଷଧୀୟ ବୃକ୍ଷ ରହିଛି । ବିଭିନ୍ନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଛାତ୍ରଛାତ୍ରୀ ନିଜର ପ୍ରାକ୍ଟିକାଲ ଅଧ୍ୟୟନ ଏବଂ ଶିକ୍ଷାଗତ ପରିଦର୍ଶନ ନିମନ୍ତେ ଶ୍ରୀ ସାହୁଙ୍କ ବଗିଚାକୁ ଆସନ୍ତି। ୯୨୧ଟି ମୂଲ୍ୟବାନ ପୁସ୍ତକକୁ ନେଇ ଶ୍ରୀ ସାହୁ ଏକ ଆୟୁର୍ବେଦ ପାଠାଗାର ପ୍ରସ୍ତୁତ କରିଛନ୍ତି । ସମସ୍ତଙ୍କ ପାଇଁ ତାଙ୍କ ପାଠାଗାର ଖୋଲା ରହିଥାଏ ଏବଂ ଏଠାରେ ଦୈନିକ ଆୟୁର୍ବେଦକୁ ନେଇ ସାରଗର୍ଭକ ଆଲୋଚନା ହୋଇଥାଏ। ଶ୍ରୀ ସାହୁ ମଧ୍ୟ ଔଷଧୀୟ ବୃକ୍ଷ ଓ ଆୟୁର୍ବେଦ ଔଷଧ ଉପରେ ସ୍ତମ୍ଭ ଲେଖିଥାନ୍ତି ଏବଂ ତାଙ୍କର ଲେଖା ବିଭିନ୍ନ ସ୍ୱାସ୍ଥ୍ୟ ପତ୍ରିକାରେ ପ୍ରକାଶ ପାଇଥାଏ।
ଶ୍ରୀ ସାହୁଙ୍କ ମାର୍ଗଦର୍ଶନରେ କେତେକ ଅନୁଷ୍ଠାନ ଗଢ଼ି ଉଠିଛି ଏବଂ ସେମାନେ ଆୟୁର୍ବେଦ ଔଷଧକୁ ଲୋକପ୍ରିୟ କରାଇବା ଏବଂ ଔଷଧୀୟ ବୃକ୍ଷ ରୋପଣ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ତାଙ୍କ ମାର୍ଗଦର୍ଶନରେ ୧୯୯୯ ମସିହାରେ ଛାତିକୁଡ଼ା ଗ୍ରାମରେ ଶୁଶ୍ରୁତ ବୈଦ୍ୟ ସଂଘ ଗଠନ କରାଯାଇଥିଲା ଏବଂ ଏଥିରେ ଜିଲ୍ଲାର ବିଭିନ୍ନ ଭାଗରୁ ୧୩୨ ଜଣ ପାରମ୍ପରିକ ବୈଦ୍ୟମାନେ ସଦସ୍ୟ ଅଛନ୍ତି । ଶ୍ରୀ ପଟାୟତ ସାହୁଙ୍କ ମାର୍ଗଦର୍ଶନରେ ୨୦୦୦ ମସିହାରେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପ୍ରତିଷ୍ଠା କରାଯାଇଥିଲା। ସେ ମଧ୍ୟ ଫୁପଝୁଡ଼ି ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଛନ୍ତି ଏବଂ ବିଦ୍ୟାଳୟରେ ଏକ ସବୁଜ ସ୍ୱାସ୍ଥ୍ୟ ଦଳ ଗଢ଼ିଛନ୍ତି । ଏହି ଦଳ ସ୍କୁଲ ପରିସରରେ ୨୦୦ କିସମର ଔଷଧୀୟ ବୃକ୍ଷ ରୋପଣ କରିଛି । ଔଷଧୀୟ ଉଦ୍ଭିଦର ଉପକାରିତାକୁ ନେଇ ସେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥାନ୍ତି ।
ଘାନା ଜଙ୍ଗଲରେ ଥିବା ୩୫୦ ବିରଳ ଔଷଧୀୟ ଉଦ୍ଭିଦ ଆବିଷ୍କାର କରିଥିବା ଏକ ଦଳରେ ଶ୍ରୀ ସାହୁ ଜଣେ ସକ୍ରିୟ ସଦସ୍ୟ ଥିଲେ । ପରବର୍ତ୍ତୀ ପିଢ଼ି ଯେପରି ଔଷଧୀୟ ବୃକ୍ଷଗୁଡ଼ିକୁ ସହଜରେ ଚିହ୍ନି ପାରିବେ ସେଥିପାଇଁ ସେ ଅନେକ ଔଷଧୀୟ ଉଦ୍ଭିଦର ଫଟୋ ଓ ବିବରଣୀ ତିନୋଟି ବଡ଼ ରେଜିଷ୍ଟରରେ ଲେଖି ରଖିଛନ୍ତି । ଶ୍ରୀ ପଟ୍ଟାୟତ ସାହୁଙ୍କ ଏହି କାର୍ଯ୍ୟ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ସେ ୨୬ ସେପ୍ଟେମ୍ବର, ୨୦୨୧ରେ ଲୋକପ୍ରିୟ ମନ କୀ ବାତ୍ କାର୍ଯ୍ୟକ୍ରମରେ ପଟ୍ଟାୟତ ସାହୁଙ୍କ ବିଷୟରେ ଉଲ୍ଲେଖ କରିଥିଲେ ।
ଶ୍ରୀ ସାହୁଙ୍କୁ ଅନେକ ପୁରସ୍କାର ଓ ସମ୍ମାନ ମିଳିଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ତାଙ୍କୁ ୨୦୦୯-୨୦୧୦ରେ ‘‘ପ୍ରକୃତି ବନ୍ଧୁ’’ ପୁରସ୍କାର ମିଳିଥିଲା । ଡଙ୍ଗରମୂରଲୀ ମୃତ୍ୟୁଞ୍ଜୟ ବୈଦ୍ୟ ସଂଘ ପକ୍ଷରୁ ୨୦୦୭ରେ ତାଙ୍କୁ ‘ବନୌଷଧୀ ପ୍ରବୀଣ’ ସମ୍ମାନ ମିଳିଥିଲା । ୨୦୧୧ରେ ସେ ଅଶ୍ୱିନୀ କୁମାର କଳାହାଣ୍ଡି ବୈଦ୍ୟ ସଂଘ ପକ୍ଷରୁ ‘‘ଆୟୁର୍ବେଦ ଶିରୋମଣି’’ ପୁରସ୍କାର ପାଇଥିଲେ । ଆରୋଗ୍ୟ ଭାରତୀ ଭୋପାଳ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ୨୦୨୧ରେ ତାଙ୍କୁ ‘ଧନ୍ୱନ୍ତରୀ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
Comments are closed.