Latest Odisha News

BREAKING NEWS

ମହିଳା କର୍ମଚାରୀଙ୍କଠାରୁ ଛତା ଛଡେଇ ହଟହଟ୍ଟା ହେଲେ ପାକ ପ୍ରଧାନମନ୍ତ୍ରୀ; ଭିଡିଓ ଭାଇରାଲ

ପ୍ୟାରିସ: ବିଦେଶ ମାଟିରେ ନିଜର ଅସଲ ଚେହେରା ଦେଖାଇଛନ୍ତି ପାକିସ୍ତାନ  ପ୍ରଧାନମନ୍ତ୍ରୀ ଶେହବାଜ ସରିଫ  ଆଉ ସେଥିପାଇଁ ବେଶ ହଟହଟ୍ଟା ବି ହୋଇଛନ୍ତି ।   ଏବେ ଦୁଇଦିନିଆ ପ୍ୟାରିସ ଗସ୍ତରେ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କର ଏକ ଭିଡିଓ ଭାଇରାଲ ହୋଇଛି  ଯେଉଁଥିରେ ସେ ତାଙ୍କର ଜଣେ ମହିଳା ଅଫିସରଙ୍କଠାରୁ ଛତା ଛଡେଇ ନେଇ ପଳାଉଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ବର୍ଷାରେ ଭିଜି ଭିଜି ମହିଳା ଅଫିସର ଜଣକ ଆସୁଛନ୍ତି। ଏଇ ଭିଡିଓକୁ ନେଇ ଖୁବ ଟ୍ରୋଲ ହୋଇଛନ୍ତି ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।

ପ୍ୟାରିସରେ ଚାଲିଛି ଦୁଇଦିନିଆ ବିଶ୍ୱ ଅର୍ଥନୈତିକ ଚୁକ୍ତି ସମ୍ମିଳନୀ । ଏଥିରେ ଯୋଗ ଦେବା ପାଇଁ ପ୍ୟାରିସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ । ଆସନ୍ତା ସପ୍ତାହରେ କ୍ରେଡିଟ ଲାଇନ ଶେଷ ହେବା ପୂର୍ବରୁ ଅଟକି ରହିଥିବା ଅର୍ଥକୁ ରିଲିଜ କରାଇବାର ଶେଷ ପ୍ରୟାସ କରିବାକୁ ସେଠାରେ ଉପସ୍ଥିିତ ଅଛନ୍ତି ଶେହବାଜ ।

ମିଟିଂରେ ସାଉଦି ରାଜା କିଙ୍ଗ ସଲମାନ ବିନ ଅବଦୁଲଜିଜ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରୋନ, ଇଜିପ୍ଟ  ରାଷ୍ଟ୍ରପତି ଅବଦାେଲ ଫତାହ ଏଲ-ସିସି ପ୍ରମୁଖ ଯୋଗ ଦେଇଛନ୍ତି । ତେବେ ମିଟିଂରେ କ’ଣ ଘଟିଲା ତାହାକୁ ନେଇ  ଆଲୋଚନା ନାହିଁ । ଏବେ ଆଲୋଚନାର ବିଷୟ ହେଉଛି, ମିଟିଂକୁ ଯିବା ସମୟର ଏକ ଭିଡିଓ ।

ଭାଇରାଲ ହୋଇଥିବା ଏହି ଭିଡିଓ ଫୁଟେଜରେ ଦେଖିବାକୁ ମିଳିଛି, ପାକ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ପହଞ୍ଚିବାବେଳକୁ ବର୍ଷା ହେଉଛି । କାରରୁ ଓହ୍ଲାଇବା ପରେ  ଜଣେ ମହିଳା କର୍ମଚାରୀ ତାଙ୍କୁ ପାଛୋଟି ନେବାପାଇଁ ଛତାଧରି ଛିଡ଼ା ହୋଇଛନ୍ତି । ହେଲେ ଶେହବାଜ ଦୁଇ ପାହୁଣ୍ଡ ଛତାରେ ଯିବା ପରେ ମହିଳା କର୍ମଚାରୀଙ୍କ ହାତରୁ ଛତାକୁ ଛଡେଇ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏହା ପରେ ସେ ଛତା ନିଜେ ଧରି ରେଡ କାର୍ପେଟରେ ସିଧା ଚାଲିଛନ୍ତି । ତାଙ୍କ ପଛେପଛେ ଉକ୍ତ ମହିଳା କର୍ମଚାରୀ ଜଣକ ଓଦା ହୋଇ ଯାଉଥିବା ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ୟୁଜର୍ସମାନେ ଶେହବାଜ ସରିଫଙ୍କୁ ଖୁବ ଟ୍ରୋଲ କରିଛନ୍ତି । ଏପରିକି ପାକ ପ୍ରଧାନମନ୍ତ୍ରୀଙ୍କ ଉପରେ ନିଜର ସବୁ ରାଗ ସୁଝାଇଛନ୍ତି । କେହି କେହି କହିଛନ୍ତି,  ‘ଏକ କାର୍ଟୁନଙ୍କୁ ପ୍ରଧାନମନ୍ତ୍ରୀ କରିଦେଲେ ସେମାନେ ।’

Leave A Reply

Your email address will not be published.