ଯଦି ଆପଣ ଭାବୁଛନ୍ତି ଯେ କେବଳ ଭାରତର ବାୟୁ ପ୍ରଦୂଷିତ ହେଉଛି, ତେବେ ଏହି ଖବର ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ! ପାକିସ୍ତାନ ଏବେ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ପାଲଟିଛି। ସ୍ବିସ ଏୟାର ଟେକ୍ନୋଲୋଜି କମ୍ପାନୀ IQAirର 2024 ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବାୟୁ ଏତେ ଖରାପ ହୋଇଯାଇଛି ଯେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡୁଛି।
ଗତ ବର୍ଷ ପାକିସ୍ତାନରେ ପ୍ରଦୂଷଣର ସ୍ତର ଏତେ ବୃଦ୍ଧି ପାଇଥିଲା ଯେ ଏହାକୁ ‘ବିପର୍ଯ୍ୟୟ’ ଘୋଷଣା କରିବାକୁ ପଡିଥିଲା। ବିଶେଷକରି ପଞ୍ଜାବରେ ପରିସ୍ଥିତି ବହୁତ ଗମ୍ଭୀର ହୋଇଯାଇଥିଲା। ଏହି ବିଷାକ୍ତ ବାୟୁ ଯୋଗୁଁ ପ୍ରାୟ 20 ଲକ୍ଷ ଲୋକ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରଦୂଷଣର ମୁକାବିଲା ପାଇଁ ସରକାରଙ୍କୁ ସବୁଠି ତାଲା ପକେଇବାକୁ ପଡିଥିଲା। ଏପରିକି ସ୍କୁଲଗୁଡ଼ିକୁ ବନ୍ଦ କରିଥିଲେ।
IQAirର ରିପୋର୍ଟ ଦର୍ଶାଉଛି ଯେ ପାକିସ୍ତାନରେ PM2.5 (2.5 ମାଇକ୍ରୋନରୁ ଛୋଟ ପ୍ରଦୂଷକ କଣିକା) ର ସ୍ତର ପ୍ରତି ଘନ ମିଟରରେ 73.7 ମାଇକ୍ରୋଗ୍ରାମରେ ପହଞ୍ଚିଛି। ଯାହା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଦ୍ୱାରା ସ୍ଥିର କରାଯାଇଥିବା ସୁରକ୍ଷିତ ସ୍ତର ଅପେକ୍ଷା 15 ଗୁଣ ଅଧିକ। ଏଗୁଡ଼ିକ ସେହି ବିପଦଜନକ କଣିକା ଯାହା ନିଶ୍ୱାସ ମାଧ୍ୟମରେ ଶରୀରରେ ପ୍ରବେଶ କରେ ଏବଂ ଫୁସଫୁସକୁ କ୍ଷତି ପହଞ୍ଚାଏ ଏବଂ ଗମ୍ଭୀର ରୋଗ ସୃଷ୍ଟି କରେ।
IQAir ରିପୋର୍ଟ ଅନୁସାରେ, ଭାରତ ଏହି ତାଲିକାରେ 5 ନମ୍ବରରେ ଅଛି। ନୂଆଦିଲ୍ଲୀକୁ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ ଘୋଷଣା କରାଯାଇଥିଲା, ଏହା ପରେ ଏନ’ଜାମେନା ଏବଂ ତା’ପରେ ବାଂଲାଦେଶର ରାଜଧାନୀ ଢାକାକୁ ସ୍ଥାନ ଦିଆଯାଇଥିଲା। ଭାରତର ଅନେକ ସହର ମଧ୍ୟ ଭୟଙ୍କର ପ୍ରଦୂଷଣ କବଳରେ ଅଛିି।
ଦକ୍ଷିଣ ଏସିଆରେ ପ୍ରଦୂଷଣ ଦୃଷ୍ଟିରୁ ବାଂଲାଦେଶ ପରେ ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି। ରିପୋର୍ଟ ଅନୁଯାୟୀ, ଲାହୋର, ମୁଲତାନ, ପେଶାୱର ଏବଂ ସିଆଲକୋଟ ଭଳି ସହର ସବୁଠାରୁ ପ୍ରଦୂଷିତ। ପାକିସ୍ତାନରେ ବାୟୁ ପ୍ରଦୂଷଣ ପଛରେ ଅନେକ କାରଣ ଅଛି, ଯେପରିକି କାଠ ଏବଂ ଅଳିଆ ପୋଡ଼ିବା, କାରଖାନାରୁ ଧୂଆଁ, ଯାନବାହାନରୁ ଧୂଆଁ, ଇଟା ଭାଟିରୁ ଧୂଆଁ ଏବଂ ନିର୍ମାଣ କାର୍ଯ୍ୟରୁ ଉଡ଼ୁଥିବା ଧୂଳି।
ଏହି ପ୍ରଦୂଷିତ ବାୟୁର ସବୁଠାରୁ ଖରାପ ପ୍ରଭାବ ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ପଡୁଛି। ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ପ୍ରତି 10 ଜଣଙ୍କ ମଧ୍ୟରୁ 7 ଜଣ ବାୟୁ ପ୍ରଦୂଷଣ ଯୋଗୁଁ ଅସୁସ୍ଥ ହେଉଛନ୍ତି। ଶ୍ୱାସକ୍ରିୟା ରୋଗ, ଫୁସଫୁସ ସଂକ୍ରମଣ, ହୃଦରୋଗ ଏବଂ କର୍କଟ ଭଳି ମାରାତ୍ମକ ରୋଗ ମଧ୍ୟ ବୃଦ୍ଧି ପାଉଛି। ‘ଷ୍ଟେଟ ଅଫ ଗ୍ଲୋବାଲ ଏୟାର ୨୦୨୪’ ରିପୋର୍ଟ ଦର୍ଶାଉଛି ଯେ ୨୦୨୧ ମସିହାରେ ବାୟୁ ପ୍ରଦୂଷଣ ଯୋଗୁଁ ସାରା ବିଶ୍ୱରେ ୮୧ ଲକ୍ଷ ଲୋକଙ୍କର ଅକାଳ ମୃତ୍ୟୁ ହୋଇଥିଲା।
Comments are closed.