ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୧୦ ୱିକେଟରେ ବିଜୟ ହାସଲ କରିଛି । ଏଥିସହ ୩ ମ୍ୟାଚ ବିଶିଷ୍ଟ ମୁକାବିଲାରେ ୨-୦ରେ ଅଗ୍ରଣୀ ରହି ପାକିସ୍ତାନ ଆଗୁଆ ସିରିଜ ବିଜୟୀ ହୋଇଛି । ୪.୨ ଓଭରରେ କୌଣସି ୱିକେଟ ନ ହରାଇ ଜିମ୍ବାୱେ ୩୭ ରନ କରିଥିଲା । ଏହା ପରେ ମାତ୍ର ୨୦ ରନ ବ୍ୟବଧାନରେ ୧୦ଟି ଯାକ ୱିକେଟର ପତନ ଘଟିଥିଲା । ପାକିସ୍ତାନ ବୋଲର ସୁଫିୟାନ ମୋକିମ ୨.୪ ଓଭରରେ ୩ ରନ ଦେଇ ୫ ୱିକେଟ ଅକ୍ତିଆର କରିଥିଲେ । ଆବାସ ଆଫ୍ରିଦୀ ୨ଟି ୱିକେଟ ନେଇଥିଲେ । ଆନ୍ତର୍ଜାତୀୟ କ୍ରିକେଟରେ ଏହା ଜିମ୍ବାୱେର ସର୍ବନିମ୍ନ ସ୍କୋର ।
୫୮ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୫.୩ ଓଭରରେ କୌଣସି ୱିକେଟ ନ ହରାଇ ଏହାକୁ ହାସଲ କରି ନେଇଥିଲା । ସ୍ୟାମ ଆୟୁବ ୩୬ ଓ ଓମେର ୟୁସୁଫ ୨୨ ରନ କରି ଅପରାଜିତ ରହିଥିଲେ । ଟି୨୦ ଆନ୍ତର୍ଜାତୀୟ କ୍ରିକେଟରେ ପାକିସ୍ତାନ ପକ୍ଷରୁ ଶ୍ରେଷ୍ଠ ବୋଲିଂ ଫଗର ଏବେ ମୋକିମଙ୍କ ନାମରେ ଲିପିବଦ୍ଧ ହୋଇଛି । ଏହା ପୂର୍ବରୁ ଉମର ଗୁଲ ୬ ରନରେ ୫ ୱିକେଟ ନେଇ ଏହା ପୂର୍ବରୁ ପାକିସ୍ତାନ ପକ୍ଷରୁ ଶୀର୍ଷ ସ୍ଥାନରେ ରହିଥିଲା । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହି ବୋଲିଂ ପ୍ରଦର୍ଶନ କରିଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ମୋକିମ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।