ଇସଲାମାବାଦ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଯେ କୌଣସି ମୁହୂର୍ତ୍ତରେ ପାକିସ୍ତାନ ଉପରେ ଆକ୍ରମଣ କରିପାରେ। ଯେଉଁଥିପାଇଁ ପାକିସ୍ତାନ ପ୍ରତି ମୂହୁର୍ତ୍ତରେ ଭୟ ମଧ୍ୟରେ ରହୁଛି। ଏପରିକି ଯଥା ସମ୍ଭବ ଆକ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଛି। ସେଥିପାଇଁ କେତେବେଳେ ଚୀନ୍ ରାଷ୍ଟ୍ରଦୂତଙ୍କ ସମର୍ଥନ ପାଇଁ ବୈଠକ ଡାକୁଚି ତ କେତେବେଳେ ଜାତିସଂଘ ସୁରକ୍ଷା ପରିଷଦରେ ଜରୁରୀକାଳୀନ ବୈଠକ କରିବା ପାଇଁ ଦାବି କରୁଛି।
ତେବେ ଭାରତ ସହିତ ପାକିସ୍ତାନ ସୀମା ଉତ୍ତେଜନା ହ୍ରାସ କରିବାକୁ ମନା କରି ଭାରତକୁ ଭୟଭୀତ କରିବା ପାଇଁ ପୁଣି ଥରେ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି। ପୂର୍ବରୁ ଅବଦାଲି କ୍ଷେପଣାସ୍ତ୍ର ପରୀକ୍ଷଣ କରିଥିଲା। ଏକ ମିଡିଆ ରିପୋର୍ଟ ଅନୁଯାୟୀ ପାକିସ୍ତାନ ସିନ୍ଧୁ ଅଭ୍ୟାସ ସମୟରେ ୧୨୦ କିଲୋମିଟର ଦୂରତା ବିଶିଷ୍ଟ ଫତାହ ସିରିଜର ଭୂପୃଷ୍ଠରୁ ଭୂପୃଷ୍ଠକୁ କ୍ଷେପଣାସ୍ତ୍ରର ସଫଳତାର ସହିତ ପରୀକ୍ଷଣ କରିଛି।ତେବେ ଏହା ସୈନ୍ୟଙ୍କ କାର୍ଯ୍ୟକ୍ଷମତାକୁ ଦର୍ଶାଇବା ସହ ଉନ୍ନତ ନାଭିଗେସନ୍ ସିଷ୍ଟମକୁ ଦର୍ଶାଇଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ପାରାମିଟର ମଧ୍ୟ ପରୀକ୍ଷା କରାଯାଇଥିଲା।
କ୍ଷେପଣାସ୍ତ୍ର ପରୀକ୍ଷଣ ପରେ ପାକିସ୍ତାନର ଜଏଣ୍ଟ ଚିଫ୍ସ କର୍ମଚାରୀ କମିଟିର ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ଅଧିକାରୀ। ଏହା ପରେ ସେ ଭାରତକୁ ଧମକ ଦେଇ କହିଥିଲେ ଯେ ପାକିସ୍ତାନର ସେନା ବାହିନୀ ଯେକୌଣସି ଆକ୍ରମଣକୁ ଦୃଢ଼ତାର ସହ ସାମ୍ନା କରିବାକୁ ପ୍ରସ୍ତୁତ ଅଛି।
ତେବେ ଏହା ପୂର୍ବରୁ ଗତ ଶନିବାର ଦିନ ପାକିସ୍ତାନ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରାଯାଉଥିବା ୪୫୦ କିଲୋମିଟର ରେଞ୍ଜ ବିଶିଷ୍ଟ ଅବଦାଲି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା।
Comments are closed.