ନୂଆଦିଲ୍ଲୀ: ଭାରତୀୟ ବିମାନ ପାଇଁ ଆକାଶ ସୀମା ପ୍ରତିବନ୍ଧକ ପାକିସ୍ତାନ ଲଗାଇଥିବା ବେଳେ ଏହା ଡିସେମ୍ବର ୨୪ରେ ଶେଷ ହେବାକୁ ଥିଲା। କିନ୍ତୁ ଏହି ପ୍ରତିବନ୍ଧକକୁ ଏକ ମାସ ପାଇଁ ଅର୍ଥାତ୍ ଜାନୁଆରୀ ୨୩, ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛି ପାକିସ୍ତାନ। ବିମାନବନ୍ଦର କର୍ତ୍ତୃପକ୍ଷ (PAA) ଏୟାରମେନଙ୍କୁ ଏକ ନୋଟିସ୍ (NOTAM) ଜାରି କରି ସୂଚନା ଦେଇଛନ୍ତି।
ଏହି ବର୍ଷ ଶେଷ ସୁଦ୍ଧା ଏହି ପ୍ରତିବନ୍ଧକ ହଟିଯିବା ନେଇ ଆଶା କରାଯାଇଥିଲା କିନ୍ତୁ ପ୍ରତିବନ୍ଧକ ସମାପ୍ତ ହେବାର ମାତ୍ର ସାତ ଦିନ ପୂର୍ବରୁ ପାକିସ୍ତାନର ଏପରି ନିଷ୍ପତ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହି ପ୍ରତିବନ୍ଧକ ସିଧାସଳଖ ଭାବରେ ଅନ୍ତର୍ଜାତୀୟ ବିମାନଗୁଡ଼ିକୁ ପ୍ରଭାବିତ କରୁଛି। ଯାହା ଫଳରେ ବିମାନ କମ୍ପାନୀଗୁଡ଼ିକ ଆର୍ଥିକ ଏବଂ ପରିଚାଳନାଗତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏହି ପ୍ରତିବନ୍ଧକ ଭାରତରେ ପଞ୍ଜିକୃତ ସମସ୍ତ ବେସାମରିକ ବିମାନ, ଭାରତୀୟ ବିମାନ କମ୍ପାନୀଙ୍କ ମାଲିକାନାରେ ଥିବା ବିମାନ, ଭାରତୀୟ କମ୍ପାନୀ ଦ୍ୱାରା ପରିଚାଳିତ କିମ୍ବା ଭଡା ନିଆଯାଇଥିବା ବିମାନ ଏବଂ ଭାରତୀୟ ସାମରିକ ବିମାନ ପାଇଁ ପ୍ରଯୁଜ୍ୟ ବୋଲି ପାକିସ୍ତାନ ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ତେବେ ଏହା ଦ୍ଵାରା ସିଧାସଳଖ ଭାରତରୁ ପଶ୍ଚିମ ଏସିଆ, ୟୁରୋପ, ଆମେରିକା ଏବଂ ଆଫ୍ରିକାକୁ ଯାଉଥିବା ବିମାନଗୁଡ଼ିକ ପ୍ରଭାବିତ ହେଉଅଛି।
ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା। ଯାହାପରେ ଉଭୟ ଦେଶ ପରସ୍ପରର ବିମାନ ପାଇଁ ସେମାନଙ୍କର ଆକାଶପଥ ବନ୍ଦ କରିଦେଇଥିଲେ।
Comments are closed.