Latest Odisha News

BREAKING NEWS

ଋଣରେ ବୁଡ଼ିଛି ପାକିସ୍ତାନ; ତଥାପି ନେତାଙ୍କ ଦରମା ୫୦୦% ବଢ଼ାଇଲା

ଇସଲାମାବାଦ: ଋଣ ଭାରରେ ବୁଡ଼ିଛି ପାକିସ୍ତାନ। ଏଠି ସାଧାରଣ ଜନତା ଦିନକୁ ଦୁଇ ଓଳି ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସଂସଦର ଏକ ନିଷ୍ପତ୍ତି କୋଟି କୋଟି ନାଗରିକଙ୍କ ଆଶାକୁ ଦୋହଲାଇ ଦେଇଛି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସରକାର ଜାତୀୟ ସଂସଦର ବାଚସ୍ପତି ଆୟାଜ ସାଦିକ ଏବଂ ସିନେଟ୍ ଅଧ୍ୟକ୍ଷ ୟୁସୁଫ ରାଜା ଗିଲାନୀଙ୍କ ଦରମା ୫୦୦ ପ୍ରତିଶତ ବୃଦ୍ଧି କରିଛନ୍ତି। ପୂର୍ବରୁ ଯେଉଁଠାରେ ଏହି ସାମ୍ବିଧାନିକ ଅଧିକାରୀମାନେ ମାସିକ ୨.୦୫ ଲକ୍ଷ ପାକିସ୍ତାନୀ ଟଙ୍କା ଦରମା ପାଉଥିଲେ। ଏବେ ତାହା ସିଧାସଳଖ ୧୩ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନିଷ୍ପତ୍ତି ୧ ଜାନୁଆରୀ ୨୦୨୫ରୁ କାର୍ଯ୍ୟକାରୀ ହେବ।

ସୂଚନା ଅନୁଯାୟୀ, ପାକିସ୍ତାନର ଅର୍ଥନୀତି ଦୋହଲିଯାଉଛି। ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ଦୁର୍ବଳ ହୋଇଛି। ମୁଦ୍ରାସ୍ଫୀତି ଶୀର୍ଷରେ ପହଞ୍ଚିଛି ଏବଂ ବିଦ୍ୟୁତ୍ ଏବଂ ପେଟ୍ରୋଲର ଦାମ୍ ଲୋକଙ୍କ ଜୀବନକୁ କଷ୍ଟକର କରିଦେଇଛି। ଏପରି ପରିସ୍ଥିତିରେ ଏହି ଦରମା ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ଏକ ‘ବଡ଼ ଆଘାତ’ ପରି ଅନୁଭବ ହେଉଛି। ମାର୍ଚ୍ଚ ୨୦୨୫ରେ ହିଁ ସରିଫ ସରକାର କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଏବଂ ପରାମର୍ଶଦାତାଙ୍କ ଦରମା ୧୮୮% ବୃଦ୍ଧି କରିଥିଲେ। ଏବେ ସାଂସଦ ଏବଂ ସେନେଟରମାନେ ମଧ୍ୟ ମାସିକ ୫.୧୯ ଲକ୍ଷ ଟଙ୍କା ଦରମା ପାଉଛନ୍ତି।

ଯେତେବେଳେ ଶାହବାଜ ସରିଫଙ୍କ ସରକାର କ୍ଷମତାକୁ ଆସିଲା ସେତେବେଳେ କେବଳ ୨୧ ସଦସ୍ୟଙ୍କ ଏକ କ୍ୟାବିନେଟ ଗଠନ ହୋଇଥିଲା। ଯାହା ଏବେ ୫୧କୁ ବୃଦ୍ଧି ପାଇଛି। ତେବେ ଯେଉଁମାନେ ଏହି ବିଶାଳ ଖର୍ଚ୍ଚକୁ ‘ଅର୍ଥନୈତିକ ସଂସ୍କାର’ ବୋଲି କହୁଥିଲେ ସେମାନେ ଏବେ ସମାଲୋଚନାର ଶିକାର ହେଉଛନ୍ତି।

ନିକଟରେ ଦେଶକୁ IMF ଠାରୁ ଋଣ ନେବାକୁ ପଡିଥିଲା। ସ୍ଥିତି ଏଭଳି ଯେ ବେକାରୀ ଯୁବକମାନେ ଚାକିରି ପାଇଁ ବାହାରକୁ ଯାଇଛନ୍ତି। ଲୋକମାନେ ଦୈନନ୍ଦିନ ଜୀବନରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପାକିସ୍ତାନ ସରକାରୀ ଅଧିକାରୀଙ୍କ ଦରମା ୫୦୦% ବୃଦ୍ଧି କରିଛି।

 

Comments are closed.