ନୂଆଦିଲ୍ଲୀ: ଭାରତରେ ଯୁଦ୍ଧବିରତିକୁ ନେଇ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଇସାକ ଡାର ଗୁରୁବାର ସଂସଦରେ କହିଛନ୍ତି ଯେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଚାଲିଥିବା ଯୁଦ୍ଧବିରତିକୁ ମେ ୧୮ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଦୁଇ ଦେଶର ସେନା ମଧ୍ୟରେ ଫୋନ ଯୋଗେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସେ ଦାବି କରିଛନ୍ତି ଯେ ବୁଧବାର ଏବଂ ଗୁରୁବାର ଦୁଇ ସେନା ମଧ୍ୟରେ ‘ସାମରିକ ଯୋଗାଯୋଗ’ ହୋଇଥିଲା। ଯାହା ପରେ ଏହି ଚୁକ୍ତିନାମା ହୋଇଛି।
ଭାରତର ସାହସିକତା ପରେ ମେ ୧୦ ତାରିଖରେ ପାକିସ୍ତାନ ଯୁଦ୍ଧବିରତି ଦାବି କରିବା ଆରମ୍ଭ କରିଥିଲା। ଏହା ପରେ ଭାରତ ଯୁଦ୍ଧ ବିରତି କରିଥିଲା। ସେବେଠାରୁ ସାମରିକ ସଂଘର୍ଷ ବନ୍ଦ ହୋଇଯାଇଛି। ପାକିସ୍ତାନ ଜୋର ଦେଇ କହିଛି ଯେ ସେ ଶାନ୍ତି ଚାହୁଁଛି।
ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ ଭାବରେ କହିଛନ୍ତି ଯେ ଅସ୍ତ୍ରବିରତି ସତ୍ତ୍ୱେ ଭାରତର ସ୍ଥିତି ସ୍ପଷ୍ଟ। ଆମେ ଅପରେସନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀ ଭିତ୍ତିଭୂମିକୁ ଧ୍ୱଂସ କରି ଆମର ଲକ୍ଷ୍ୟ ହାସଲ କରିଛୁ। ସୀମାପାର ଆତଙ୍କବାଦ ସମାପ୍ତ ନହେବା ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବ।
ଭାରତ ସ୍ପଷ୍ଟ କରିଦେଇଛି ଯେ ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦ ବନ୍ଦ ନ କରେ, ସେପର୍ଯ୍ୟନ୍ତ ସ୍ୱାଭାବିକ ସମ୍ପର୍କ ସମ୍ଭବ ନୁହେଁ। ସେପଟେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଛି ଯାହାକୁ ପାକିସ୍ତାନ ନିଜ ଅସ୍ତିତ୍ୱ ପାଇଁ ବିପଦ ବୋଲି ବର୍ଣ୍ଣନା କରିଛି।
Comments are closed.