ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ପୁଣିଥରେ ବଲୁଚିସ୍ତାନକୁ ନେଇ ଚିନ୍ତାରେ ଏହି ଆତଙ୍କୀ ଦେଶ। ସ୍ଥିତି ଏପରି ହେଲାଣି ଯେ ଶେଷରେ ପାକିସ୍ତାନ ସରକାରକୁ ଯାତାୟତ ଉଉରେ ମଧ୍ୟ ପ୍ରତିବନ୍ଧ ଲଗାଇବାକୁ ପଡ଼ିଛି। ନିକଟରେ ବଲୋଚିସ୍ତାନ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଦେଖି ପାକିସ୍ତାନ ସରକାର ଏପ୍ରରା ନିଷ୍ପତ୍ତି ନେଇଛି। କୁହାଯାଉଛି ଯେ ବଲୁଚିସ୍ତାନରେ ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ପ୍ରମୁଖ ଜାତୀୟ ରାଜପଥରେରେ ରାତ୍ରିକାଳୀନ ଯାତ୍ରା ଉପରେ ପ୍ରତିବନ୍ଧ ଲଗାଇଛନ୍ତି। ଆତଙ୍କବାଦୀମାନେ ଜାତୀୟ ରାଜପଥରେ ଯାତ୍ରୀମାନଙ୍କୁ ଚିହ୍ନଟ କରି ହତ୍ୟା କରୁଥିବା ଘଟଣା ଦେଖାଦେଇଛି।
ସୂଚନା ଅନୁସାରେ, ଝୋବ, ଗ୍ୱାଦର, ନୁଶ୍କି ଏବଂ ମୁସାଖାଇଲ ଆଦି ଜିଲ୍ଲାଗୁଡ଼ିକର ଜିଲ୍ଲା ଆୟୁକ୍ତମାନେ ଶୁକ୍ରବାର ସନ୍ଧ୍ୟା ୬ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ମୁଖ୍ୟ ଜାତୀୟ ରାଜପଥଗୁଡ଼ିକରେ ଯାତାୟତ ଉପରେ ପ୍ରତିବନ୍ଧ ଲଗାଯାଇଛି। ଏହି ପ୍ରତିବନ୍ଧ କ୍ୱେଟା-ତାଫ୍ତାନ ରୋଡ୍, ଲୋରାଲାଇ-ଡେରା ଗାଜୀ ଖାନ ରୋଡ୍, ସିବି ରୋଡ୍, କୋଷ୍ଟାଲ ହାଇୱେ ଏବଂ ଝୋବ-ଡେରା ଇସ୍ମାଇଲ ଖାନ ରୋଡ୍ ଆଦି ଜାତୀୟ ରାଜପଥ ଅନ୍ତର୍ଭୁକ୍ତ ରହିଛି। ପ୍ରାୟ ଦୁଇ ଦଶନ୍ଧି ଧରି ବଲୋଚିସ୍ତାନ ଜାତିଗତ ବଲୋଚ ଚରମପନ୍ଥୀଙ୍କ ହିଂସାର ଶିକାର ହୋଇ ଆସୁଛି। ଏହି ଚରମପନ୍ଥୀମାନେ ପାକିସ୍ତାନ ଆର୍ମି ଉପରେ ଆକ୍ରମଣ କରୁଛନ୍ତି। ବିଦ୍ରୋହୀମାନଙ୍କ ଅଭିଯୋଗ ହେଉଛି ଯେ ସେନା ସଂଘୀୟ ସରକାରଙ୍କୁ ରାଜ୍ୟରୁ ଖଣିଜ ସମ୍ପଦର ଶୋଷଣ କରିବାରେ ସାହାଯ୍ୟ କରୁଛି। ଅନ୍ୟପଟେ ପାକିସ୍ତାନ ସେନା ଅଧିକାରୀମାନେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ଆତଙ୍କବାଦୀଙ୍କ ଦ୍ୱାରା ଜାଫର ଏକ୍ସପ୍ରେସ ଟ୍ରେନ ଉପରେ ଆକ୍ରମଣ ଏବଂ ଯାତ୍ରୀମାନଙ୍କୁ ଅପହରଣ କରିବାର ତିନି ସପ୍ତାହ ପରେ ପାକିସ୍ତାନ ସରକାର ଏପରି ନିୟମ ଲାଗୁ କରିଛି। ଏହି ଅପହରଣ ସମୟରେ ୧୮ ଜଣ ସୁରକ୍ଷାକର୍ମୀଙ୍କ ସମେତ ୨୬ ଜଣ ବନ୍ଧକଙ୍କୁ ହତ୍ୟା କରାଯାଇଥିଲା। ଏହା ସହିତ ଦୁଇ ଦିନ ପୂର୍ବରୁ ଗ୍ୱାଦରର କଲମାତ ଅଞ୍ଚଳରେ କରାଚୀ ଅଭିମୁଖେ ଯାଉଥିବା ଏକ ବସ୍କୁ ଅଟକାଇ ଆତଙ୍କବାଦୀମାନେ ୫ ଜଣ ଯାତ୍ରୀଙ୍କୁ ହତ୍ୟା କରିଥିଲେ।
Comments are closed.