ନୂଆଦିଲ୍ଲୀ:୩୬ ଘଣ୍ଟାର ହାଇଜାକ୍ ଘଟଣା। ଜାଫର ଏକ୍ସପ୍ରେସକୁ ହାଇଜାକ୍ କରିନେଇ ସାରା ପାକିସ୍ତାନକୁ ଟେନସନରେ ପକାଇଦେଲା ବଲୁଚ୍ ଲିବରେସନ ଆର୍ମି । ପାକିସ୍ତାନ ସେନା ନାକେଦମ ହୋଇ ରେସ୍କ୍ୟୁ ଅପରେସନ ଆରମ୍ଭ କଲା । ଶେଷରେ ଘୋଷଣା କଲା ଯେ ସମସ୍ତ ୩୩ ଜଣ ବଲୁଚ୍ ଆତଙ୍କବାଦୀଙ୍କୁ ମାରି ୧୫୦ ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଏହା ଥିଲା ପାକିସ୍ତାନ ସେନାର ଦାବି ।
ହେଲେ ବଲୁଚ୍ ଲିବରେସନ ଆର୍ମି ଦାବି କରୁଛି ଯେ, ଏବେ ବି ସେମାନଙ୍କ ପାଖରେ ୧୫୦ ବନ୍ଧକ ଅଛନ୍ତି । ବନ୍ଧକମାନଙ୍କୁ ୫ଟି ସ୍ଥାନରେ ରଖାଯାଇଛି । ଜଣେ ବି ବିଏଲ୍ଏ ବିଦ୍ରୋହୀ ପ୍ରାଣ ହରାଇ ନାହାନ୍ତି । ଏହା ହେଉଛି ବଲୁଚ ଲିବେରସନ ଆର୍ମି ଓ ପାକିସ୍ତାନ ସେନାର ଦାବି । କିନ୍ତୁ ଏହାରି ଭିତରେ ଯେଉଁ ଖବର ଆସୁଛି, ତାହା ହେଉଛି ହାଇଜାକ ଡ୍ରାମା ଭିତରେ ୩୬ ଘଣ୍ଟା ସମୟ କାଟିଥିବା ଟ୍ରେନ ଯାତ୍ରୀଙ୍କ ପ୍ରତ୍ୟକ୍ଷ ଅନୁଭୂତି। ବନ୍ଧୁକ ମୁନରେ ୩୬ ଘଣ୍ଟା । ଖାଇବାକୁ ନାହିଁ କି ପିଇବାକୁ ନାହିଁ । ଟ୍ରେନର ୱାସରୁମ୍ରେ ଥିବା ପାଣି ହିଁ ଥିଲା ଏକମାତ୍ର ଭରସା । ଆତଙ୍କବାଦୀଙ୍କ କଥା ନଶୁଣିଲେ ଗୁଳି । ଆଖି ଆଗରେ ଟଳି ପଡୁଥିଲେ ଜଣକ ପରେ ଜଣେ ।
ଜାଫର ଏକ୍ସପ୍ରେସର ଡ୍ରାଇଭର ଅମଜାଦ । ସେ ବିଶ୍ବାସ କରିପାରୁନାହାନ୍ତି ଯେ ଏବେ ସେ ଜୀବିତ । ସେଦିନର କଥା ତାଙ୍କ ମୁହଁରୁ ଶୁଣିବା କୌଣସି ହରର୍ ଫିଲ୍ମର ଅନୁଭୂତିଠାରୁ କମ୍ ନୁହେଁ । ସେ ମରିଯାଇଛନ୍ତି ବୋଲି ଭାବି ଆତଙ୍କବାଦୀମାନେ ତାଙ୍କୁ ଛାଡ଼ି ଚାଲିଯାଇଥିଲେ । ନହେଲେ ସେ ଏକଥା କହିବା ପାଇଁ ଆଜି ନଥାନ୍ତେ । କେବଳ ଡ୍ରାଇଭର ଅମଜାଦ ନୁହନ୍ତି। ସମାନ କାହାଣୀ ବଖାଣିଛନ୍ତି ଜାଫର ଏକ୍ସପ୍ରେସରେ ଥିବା କିଛି ଯାତ୍ରୀ। ଆତଙ୍କବାଦୀମାନେ କିଭଳି ଜାତି ଭିତ୍ତିରେ ସେମାନଙ୍କୁ ଅଲଗା ଅଲଗା ଗ୍ରୁପ୍ରେ ବିଭକ୍ତ କରି ସବୁଠାରୁ ଅଧିକ ନିର୍ଯାତନା ପଞ୍ଜାବୀମାନଙ୍କୁ ଦେଇଥିଲେ, ଶୁଣିଲେ ଲୋମ ଟାଙ୍କୁରି ଉଠିବ ।
Comments are closed.