ଟୋକିଓ: ଜାପାନର ଟୋକିଓ ସ୍ଥିତ ଚିଡିଆଖାନାରେ ଶେଷଥର ପାଇଁ ପାଣ୍ଡାଙ୍କୁ ପ୍ରାଣୀପ୍ରେମୀ ଦେଖିଛନ୍ତି । ଚିଡିଆଖାନାରେ ଥିବା ପାଣ୍ଡାଗୁଡିକ ଜାନୁୟାରୀ ୨୭ରେ ଚୀନକୁ ଫେରିଯିବେ । ଏହା ପରେ ଜାପାନରେ ୫୦ ବର୍ଷ ପର୍ଯ୍ୟନ୍ତ ପାଣ୍ଡାଙ୍କୁ ଦେଖିବାକୁ ମିିଳିବ ନାହିଁ । ଟୋକିଓ ଓ ବେଜିଂ ମଧ୍ୟରେ ଆଶାନ୍ତି ଲାଗି ରହିଥିବାରୁ ଏହି ଅସୁବିଧା ସୃଷ୍ଟି ହୋଇଛି । ଚୀନ ପକ୍ଷରୁ ଏ ନେଇ କୁହାଯାଇଛି ଯେ, ଆମେ ଭଲ ଭାବେ ଜାଣୁ ସେଠାରେ ପାଣ୍ଡାଙ୍କୁ ପସନ୍ଦ କରାଯାଏ । ଯେଉଁମାନେ ପାଣ୍ଡା ଦେଖିବାକୁ ଚାହୁଁଛନ୍ତି ସେମାନେ ଚୀନ ଆସିପାରିବେ ।
୧୯୭୨ରେ ଜାପାନକୁ ଚୀନ ପାଣ୍ଡା ଉପହାର ବାବଦକୁ ଦେଇଥିଲା । ଏହା ପରେ ପାଣ୍ଡା ଜାପାନ ଲୋକଙ୍କ ମନରେ ଘର କରିପାରିଥିଲା । ରିପୋର୍ଟ ମୁତାବକ ପାଣ୍ଡା ଜାପାନୀ ସଂସ୍କୃତିର ଏକ ଅଙ୍ଗ ହୋଇ ଯାଇଥିଲା । ଏବେ ଏହାର ଅନୁପସ୍ଥିତିରେ ପ୍ରତ୍ୟକ ବର୍ଷ ଜାପାନର ୧୨୮ ମିଲିୟନ ଡଲାରର କ୍ଷତି ସହିବାକୁ ପଡିବ । ଚୀନ ପାଣ୍ଡା ଉପରେ ସମ୍ପୂର୍ଣ୍ଣ ଅଧିକାର ରଖିଛି । ଅନ୍ୟ ଦେଶକୁ ପାଣ୍ଡା ଭଡା ସୂତ୍ରରେ ଦେଇଥାଏ । ଜାପାନର ୟୁଏନ ଚିଡିଆଖାନାରେ ଶାଓ ଶାଓ ଓ ଲେଇ ଲେଇଙ୍କ ଜନ୍ମ ୨୦୨୧ରେ ହୋଇଥିଲା । ଚୀନର ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି ।