Latest Odisha News

BREAKING NEWS

କବିସୂର୍ଯ୍ୟନଗରରେ ବିଶ୍ବଶର୍ମାଙ୍କ ଚେତାବନୀ, ‘ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ’

କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ ରତ୍ନ ଭଣ୍ଡାର ଚାବି ପାଣ୍ଡିଆନ୍ ଲୁଚାଇଛନ୍ତି । ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ। ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ନେଇ ସାରା ଜୀବନ କାଟିବାକୁ ହେବ ।’

ସେ କହିଛନ୍ତି, ‘ରତ୍ନଭଣ୍ଡାର ଚାବି ଲୁଚାଇଛନ୍ତି ପାଣ୍ଡିଆନ୍। କମିଶନ ତଦନ୍ତ କଲେ, ଏ ପର୍ଯ୍ୟନ୍ତ ତଦନ୍ତ ସରୁନି। ୧୦ ଜୁନ୍ ପୂର୍ବରୁ ସେ ଚାବି ଫେରାନ୍ତୁ, ନହେଲେ ଆମେ ଖୋଜି ବାହାର କରିବୁ । ଓଡ଼ିଶାରେ ଯଦି ଜଗନ୍ନାଥଙ୍କ ଚାବି ହଜିଯାଉଛି ତେବେ ପୃଥିବୀରେ ହଜି ଯାଇପାରିବ । ରତ୍ନ ଭଣ୍ଡାର ଚାବି କେଉଁଠି ଅଛି ପାଣ୍ଡିଆନ୍‌ ଜାଣିଛନ୍ତି। ଓଡ଼ିଶାବାସୀଙ୍କ ବିଶ୍ୱାସ ସହ ଖେଳନ୍ତୁ ନାହିଁ। ଚାବି ନଦେଲେ ଜଗନ୍ନାଥଙ୍କ ଅଭିଶାପ ନେଇ ସାରା ଜୀବନ କାଟିବାକୁ ହେବ ।’

ସେ ଆହୁରି ମଧ୍ୟ କହିଛନ୍ତି, ଛତିଶଗଡ଼ରେ ବିଜେପି ସରକାର ଅଛି। ସେଠାରେ ଅନେକ ସୁବିଧା ମିଳୁଛି। ଛତିଶଗଡ଼ରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା, ମାତ୍ର ଓଡ଼ିଶାରେ ୨୧୦୦ଟଙ୍କା । ଏହା ସହିତ ଓଡ଼ିଶାରେ କଟନିଛଟଣି ବି କରାଯାଉଛି। ବିଜେପି ଯଦି ସେଠାରେ ଏତେ ଟଙ୍କା ଦେଉଛି ତେବେ ଏଠି ବିଜେଡି କାହିଁକି ଦେଉନି ।  ବିଜେଡିର ଏକ୍ସପାରୀ ଡେଟ୍ ଜୁନ ୪ । ବିଜେପି ସରକାର ଆସିବାର ମାସକରେ ଧାନପ୍ରତି କୁଇଣ୍ଟାଲ ୩୧୦୦ଟଙ୍କା କରାଯିବ। ଚାଷୀଙ୍କୁ ଏମଏସପି ଗ୍ୟାରେଣ୍ଟି ଦେଉଛି ବିଜେପି।

ଆସାମ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ବିଜେପି ସରକାର ଅଛି। ମହିଳାଙ୍କ ଆକାଉଣ୍ଟରେ ପ୍ରତିମାସରେ ୧୨୫୦ଜମା ହେଉଛି। ମାତ୍ର ଓଡ଼ିଶାରେ କିଛି ନାହିଁ। ଓଡ଼ିଶାରେ ମୋଦି ଚାଉଳ ଦେଉଛନ୍ତି। ହେଲେ ପାଣ୍ଡଆନ୍ ୨ଟି ଲେଖାଏ ବ୍ୟାଗ୍ ଦେଲେ। ବିଜେଡି ଡାଲି ଦେବା ପରିବର୍ତ୍ତେ ବ୍ୟାଗ ଦେଇ ଭଣ୍ଡାଇଦେଲା। ସେ ବ୍ୟାଗ୍ ତାମିଲନାଡୁରେ ତିଆରି ବୋଲି ଖବରକାଗଜରେ ପଢିଥିଲି।

ସେହିପରି ବିଜେପି ଓଡ଼ିଶାରେ ସୁଭଦ୍ରା ଯୋଜନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ୫୦ହଜାରର ଚେକ୍‌ ଦିଆଯିବ। ଏହି ଚେକ୍‌ ବ୍ୟାଙ୍କ୍ ରେ ଡିପୋଜିଟ୍ କରି ୨ବର୍ଷ ମଧ୍ୟରେ ଟଙ୍କା ଉଠାଇପାରିବେ। ରାମମନ୍ଦିର ନିର୍ମାଣ ସରିଛି। ହେଲେ ଏବେବି କୃଷ୍ଣ ଜନ୍ମଭୂମି ହେବା ବାକି ରହିଛି। ଜ୍ଞାନବାପୀ ମନ୍ଦିର ନିର୍ମାଣ ବି ବାକି ରହିଛି। ଏଥିପାଇଁ ବିଜେପି ସରକାର ଆସିବାର ଆବଶ୍ୟକତା ରହିଛି। ଏଥର ଜିତିଲେ ପିଓକେ ଭାରତରେ ମିଶିବ। ପିଓକେ ଅଶାନ୍ତ ସତ୍ତ୍ବେ ଶ୍ରୀନଗରରେ ଲୋକ ସୁରକ୍ଷିତ ଓ ଶାନ୍ତିରେ ଅଛନ୍ତି ।

Leave A Reply

Your email address will not be published.