ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ଅଧିନାୟକ ତଥା ଅଭିଜ୍ଞ ବ୍ୟାଟ୍ସମ୍ୟାନ ପାରସ ଡୋଗରା ରଣଜୀ କ୍ରିକେଟରେ ଏବ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଦ୍ୱିତୀୟ କ୍ରିକେଟର ଭାବେ ରଣଜୀରେ ୧୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ତାଙ୍କ ପୂର୍ବରୁ ୱାସିମ ଜାଫର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଏହି ସଫଳତା ହାସଲ କରିଥିଲେ । ଜାଫରଙ୍କ ନାମରେ ଏବେ ବି ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ ରହିଛି । ସେ ଓଭରାଲ ୧୨୦୩୮ ରନ କରିଛନ୍ତି । ପାରସ କ୍ୟାରିୟରର ୧୪୬ତମ ରଣଜୀ ମ୍ୟାଚରେ ୫୮ ରନ କରିଥିଲେ । ବେଙ୍ଗଲ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଅବସରରେ ୪୧ ବର୍ଷୀୟ ପାରସ ୧୦୦୦୦ ରନ ମାର୍କ ଛୁଇଁଥିଲେ । ସେ ୩୩ ଶତକ ମଧ୍ୟ ମାରିଛନ୍ତି ।
ପାରସ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସର୍ବାଧିକ ରନ ସଂଗ୍ରହକରେ ଅମୋଲ ମଜମୁଦାର(୯୨୦୨) ତୃତୀୟରେ ରହିଛନ୍ତି । ତାଙ୍କ ନେତୃତ୍ୱରେ ଜମ୍ମୁ-କଶ୍ମୀର ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି । ୧୩ ରନରେ ଦଳ ୩ଟି ୱିକେଟ ହରାଇଥିବା ବେଳେ ପାରସ ଓ ଅବଦୁଲ ସମଦ ୪ର୍ଥ ୱିକେଟରେ ୧୪୩ ରନର ପାର୍ଟନରଶିପ ସଂଗ୍ରହ କରିଥିଲେ । ପାରସଙ୍କୁ ମୁକେଶ କୁମାର ଆଉଟ କରିଥିଲେ ।