Latest Odisha News

BREAKING NEWS

ଅର୍ପଣ ଚାଉଳରୁ ବାହାରିଲା ଉଷୁନା ଚାଉଳ, ଶ୍ରୀମନ୍ଦିରରେ ମହାପ୍ରସାଦ ନେଇ ତେଜିଲା ବିବାଦ

ପୁରୀ: ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆଙ୍କ ଭାବାବେଗ ସହ ପୁଣି ଖେଳ ଖେଳିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର । ସରକାରଙ୍କ ଅର୍ପଣ ରଥରେ ସଂଗୃହିତ ଚାଉଳରେ ଉଷୁନା ଚାଉଳ ବାହାରିବାକୁ ନେଇ ଦେଖାଦେଇଛି ଅସନ୍ତୋଷ । ଏଭଳି ଅଭିଯୋଗ ଆଣିଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ୟ ଦାମୋଦର ମହାସୁଆର ।

ଗତକାଲି ଅର୍ପଣ ରଥରେ ସଂଗୃହିତ ଚାଉଳରେ ପ୍ରସ୍ତୁତ ଖେଚୁଡ଼ିକୁ ଭକ୍ତଙ୍କ ଭିତରେ ବାଣ୍ଟି ବାଃ ବାଃ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଆଉ ଆଜି ଚାଉଳର ମାନକୁ ନେଇ ହୋଇଛି ବଡ ଖୁଲାସା । ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଗାଁ ଗାଁ ବୁଲୁଥିଲା ଅର୍ପଣ ରଥ । ହେଲେ ସେତେବେଳେ ସାମ୍ନାକୁ ଆସିଥିଲା ବିବାଦ, ଯେତେବେଳେ ବିଭିନ୍ନ ସ୍ଥାନରେ ପଡି ରହିଥିଲା ଏହି ଚାଉଳ ।

ମହାପ୍ରଭୁଙ୍କ ନାମ କହି ଚାଉଳ ନେଇ କାହିଁକି ଫୋପଡ଼ାଯାଇଛି ବୋଲି ପ୍ରଶ୍ନ କରିଥିଲେ ଜନସାଧାରଣ । ଲୋକଙ୍କ ଆକ୍ରୋଶରୁ ବଞ୍ଚିବା ପାଇଁ ଏହାକୁ ରୋଷେଇ କରି ଭକ୍ତଙ୍କୁ ବାଣ୍ଟିବା ପାଇଁ ସୁଆର ମହାସୁଆର ନିଯୋଗକୁ ରାଜି କରାଇଥିଲେ ସରକାର । ତେବେ ଏହି ଚାଉଳ ର ସୁଦ୍ଧତା ଓ ମାନକୁ ନେଇ ଉଠିଥିଲା ପ୍ରଶ୍ନ । ଶ୍ରୀମନ୍ଦିର ରୋଷ ଘରେ ବାରମିଶା ଚାଉଳ କିଭଳି ପଶିବ, ଏନେଇ ପ୍ରଶ୍ନ କରିଥିଲେ ଜନସାଧାରଣ ।

ତେବେ ସବୁ ପରେ ବି ଚାଉଳର ମାନ ନିର୍ଦ୍ଧାରଣ ପାଇଁ କମିଟି ଗଠନ ପରେ ଏହାକୁ ରାନ୍ଧି ଶ୍ରୀମନ୍ଦିର ତିନି ଦୁଆରେ ବାଣ୍ଟିଛି ଶ୍ରୀମନ୍ଦିର ପ୍ରଶାସନ । ହେଲେ ମାତ୍ର ୨୪ ଘଣ୍ଟା ନ ବିତୁଣୁ ସତ ଜଣାଇଲେ ମହାପ୍ରଭୁ । ଶ୍ରୀମନ୍ଦିର ରୋଷ ଘରେ ଯାଇ ପ୍ରସ୍ତୁତ ହୋଇଥିବା ଏହି ଖେଚୁଡ଼ି ଯେ ବାରମିଶା ତାହା ଏବେ ସ୍ପଷ୍ଟ ପ୍ରମାଣିତ ହୋଇଛି ।

ଗୋଟିଏ ପଟରେ ବାର ମିଶା ଚାଉଳରେ ଖେଚୁଡ଼ି ପ୍ରସ୍ତୁତ ହେବା ପରେ ସମାନ ଦିନରେ ଅର୍ଥାତ ଗତକାଲି ଦେଖାଦେଇଛି ବିବାଦ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିବା ପରେ ଆଗ ଆଳତୀ ହେବ ନା ଭୋଗ ମଣ୍ଡପ ତାକୁ ନେଇ ଦେଖା ଦେଇଥିଲା ବିବାଦ ।

ତେବେ ଭୋଗ ମଣ୍ଡପ ଶେଷ ହେବା ବେଳକୁ ରାତି ୧୧ ଟା ୩୫ ହୋଇଥିବା ବେଳେ, ଏତେ ରାତିରେ ମହାପ୍ରସାଦ କଣ କରିବୁ କହି ଚାଲିଯାଇଥିଲେ ସୁଆର । ଯାହା ଫଳରେ ଭୋଗ ମଣ୍ଡପ ଘରେ ରାତିସାରା ମହାପ୍ରସାଦ ବନ୍ଦ ରହିବା ଫଳରେ ଅନେକ ଶ୍ରଦ୍ଧାଳୁ ବ ରାତି ମହାପ୍ରସାଦ ପାଇବାରୁ ବଞ୍ଚିତ ରହିଥିଲେ । ଏହାଦ୍ବାରା ପ୍ରାୟ ୧୨ ଲକ୍ଷ ଟଙ୍କାର ମହାପ୍ରସାଦ କ୍ଷତି ହୋଇଛି । ଏହାର ପ୍ରଭାବରେ ନୀତି ମଧ୍ୟ ବିଳମ୍ବ ହୋଇଛି ।

ତେବେ ବାରମିଶା ଚାଉଳ ଶ୍ରୀମନ୍ଦିର ପ୍ରବେଶ ପରେ ମହାପ୍ରଭୂଙ୍କ କୋପ ଓ ଲୀଳାରୁ ଏଭଳି ଶିକ୍ଷା ମିଳିଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି ।

Leave A Reply

Your email address will not be published.