ବାଲେଶ୍ୱର: ନୀଳଗିରି ବ୍ଲକର ବେଗୁନିଆ ପ୍ରାଥମିକ ବିଦ୍ୟାଳୟର ହଷ୍ଟେଲରେ ପ୍ରାୟ ୧୦ ଦିନ ଧରି ଶିକୁଳିରେ ବନ୍ଧା ହୋଇ ରହିଥିଲେ ଜଣେ ଆଠ ବର୍ଷର ବାଳକ। ଯାହାଙ୍କୁ ବୁଧବାର ଦିନ ଉଦ୍ଧାର କରାଯାଇଥିଲା। ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଉକ୍ତ ଭିଡିଓ ଜଣେ ପିଲାର ଗୋଡ଼ରେ ଲୁହା ଶିକୁଳି ବନ୍ଧା ହୋଇଥିବା ଦେଖାଯାଉଛି।
ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଯାହା ଫଳରେ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏନେଇ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏନେଇ ନୀଳଗିରି ଶିଶୁ କଲ୍ୟାଣ ଅଧିକାରୀ ଶୈଳେନ୍ଦ୍ର ସତପଥୀ କହିଛନ୍ତି ଯେ, ବାଲେଶ୍ୱର ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଟିମ୍ ଯାଇ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ଉଦ୍ଧାର କରିଥିଲା। ତେବେ ଘଟଣାର ସମ୍ପୂର୍ଣ୍ଣ ତଦନ୍ତ କରାଯିବ ଏବଂ ଦାୟୀ ଲୋକଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।
ସୂଚନା ଅନୁଯାୟୀ, ଅନୁମତି ବିନା ହଷ୍ଟେଲରୁ ପଳାଉ ଥିବାରୁ ଉକ୍ତ ବାଳକକୁ ଶିକୁଳିରେ ବାନ୍ଧି ରଖିବା ପାଇଁ ତାଙ୍କ ବାପା ହଷ୍ଟେଲ କର୍ମଚାରୀଙ୍କୁ ଅନୁରୋଧ କରିଥିବା ଜଣାପଡ଼ିଛି। ସେହିପରି ପ୍ରଧାନ ଶିକ୍ଷକ ରଘୁନାଥ ବୁଗୁଡ଼ାଇ କହିଛନ୍ତି ଯେ ପୁଅକୁ ତାଙ୍କ ବାପା ଶିକୁଳିରେ ବାନ୍ଧି ରଖିଥିଲେ। “ମୋତେ କୁହାଯାଇଥିଲା ଯେ ପିଲାଟି ବାରମ୍ବାର ପଳାଉ ଥିବାରୁ ତାଙ୍କ ବାପା ପୁଅକୁ ସ୍କୁଲକୁ ଫେରାଇ ଆଣି ଶିକୁଳିରେ ବାନ୍ଧି ଦେଇଥିଲେ। ଏପରିକି ତାଙ୍କ ବାପା ପିଅନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ ତାକୁ କ୍ଲାସ ବ୍ୟତୀତ ଅନ୍ୟ ସବୁବେଳେ ଶିକୁଳିରେ ବାନ୍ଧି ରଖିବାକୁ।
ପୁଅ ପାଠ ନ ପଢ଼ି ପଳାଉ ଥିବାରୁ ତାକୁ ସାବାଡ କରିବା ପାଇଁ ଏହା ଶେଷ ଉପାୟ ବୋଲି ବାଳକର ମାଆ ମଧ୍ୟ କହିଥିଲେ। “ଆମେ ତାଙ୍କୁ ଅନେକ ଥର ପାଠ ପଢ଼ାରେ ଧ୍ୟାନ ଦେବାକୁ କହିଥିଲୁ କିନ୍ତୁ ସେ କେବେ ଶୁଣେ ନାହିଁ। ତେଣୁ ଆମ ପାଖରେ ତାଙ୍କୁ ଶିକୁଳିରେ ବାନ୍ଧି ରଖିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା। ଆମେ ପରିସ୍ଥିତି ବିଷୟରେ ସମ୍ପୂର୍ଣ୍ଣ ଅବଗତ ବୋଲି” ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି।