Latest Odisha News

BREAKING NEWS

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ପ୍ୟାରିସର ପରିସଂଖ୍ୟାନ

ପ୍ୟାରିସ: ସିଟି ଅଫ୍ ଲଭ୍ ଆଣ୍ଡ୍ ଲାଇଟ୍ସ ପ୍ୟାରିସରେ ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ କ୍ରୀଡାର ହୋଇଛି ଭବ୍ୟ ଉଦଯାପନୀ । ଏବେ ଆଉ ଚାରିବର୍ଷ ଅପେକ୍ଷା । ୨୦୨୮ରେ ଲସଆଞ୍ଜେଲସ ଆୟୋଜନ କରିବ ବିଶ୍ୱକ୍ରୀଡାର ମହାକୁମ୍ଭ । ପ୍ୟାରିସରେ ଏଥର ଅନେକ କିିଛି ନୂଆ ଦେଖିବାକୁ ମିଳିଥିଲା । ସୃଷ୍ଟି ହୋଇଛି ଅନେକ ରେକର୍ଡ । ବାଦ ବିବାଦ ବି କମ୍ ନୁହେଁ । କିଏ ମଧୁର ତ କିଏ ତିକ୍ତ ଅନୁଭୂତି ନେଇ ଫେରିଛି । କିଏ ପୁଣି ଆରଥରକୁ ଦୃଢ ପ୍ରତ୍ୟାବର୍ତ୍ତନ ପାଇଁ ନେଇଛି ବଜ୍ର ଶପଥ । ୧୦୦ ବର୍ଷ ପରେ ପୁଣି ପ୍ୟାରିସକୁ ଫେରିଥିଲା ଅଲିମ୍ପିକ୍ସ । ପ୍ୟାରିସ ଅଲିମ୍ପିକ୍ସର କିଛି ହାଇଲାଇଟ୍ସ ଉପରେ ନଜର ପକାଇବା ।

ଏଥର ମଧ୍ୟ ଆମେରିକା ପଦକ ତାଲିକାର ଶୀର୍ଷରେ ରହିଛି । ୪୦ଟି ସ୍ୱର୍ଣ୍ଣ ସହ ସର୍ବାଧିକ ୧୨୬ଟି ପଦକ ପାଇ ପ୍ରଥମ ସ୍ଥାନରେ ରହିଛି ଆମେରିକା । ଚୀନ୍ ମଧ୍ୟ ୪୦ ସ୍ୱର୍ଣ୍ଣ ପଦକ ପାଇଛି । କିନ୍ତୁ ମୋଟ ପଦକ ସଂଖ୍ୟା କମ୍ ଥିବାରୁ ଦ୍ୱିତୀୟ ସ୍ଥାନରେ ରହିଛି ଚୀନ୍ । ଚୀନ୍ ମୋଟ ୯୧ଟି ପଦକ ପାଇଛି । ୨୦ଟି ସ୍ୱର୍ଣ୍ଣ ସହ ତାଲିକାର ତୃତୀୟ ସ୍ଥାନରେ ରହିଛି ଜାପାନ । ୧୮ଟି ସ୍ୱର୍ଣ୍ଣ ଅଷ୍ର୍ଟ୍ରେଲିଆ ଚତୁର୍ଥ ଓ ଆୟୋଜକ ଫ୍ରାନସ ୧୬ଟି ସ୍ୱର୍ଣ୍ଣ ସହ ପଂଚମ ସ୍ଥାନରେ ରହିଛି । ପ୍ୟାରିସ ଅଲିମ୍ପିକ୍ସରେ ନୂଆ ବିଶ୍ୱ ରେକର୍ଡର ସଂଖ୍ୟା ଥିଲା ୩୨ । ୮ଟି ଶୃଙ୍ଖଳାରେ ୩୨ଟି ବିଶ୍ୱ ରେକର୍ଡ ଭଙ୍ଗ ହୋଇଛି । କେବଳ ସାଇକେଲ ଚାଳନାରେ ସର୍ବାଧିକ ୩୯ ପ୍ରତିଶତ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି ।

ଏଥର ଅଲିମ୍ପିକ୍ସରେ ଜଣେ ନୂଆ ସ୍ୱିମିଂ ସୁପରଷ୍ଟାରଙ୍କୁ ଦେଖିବାକୁ ମିଳିଛି । ଫ୍ରାନ୍ସର ୨୨ ବର୍ଷିୟ ଲିଓନ ମାର୍ଚାଣ୍ଡ୍ ସନ୍ତରଣରେ ୪ଟି ସ୍ୱର୍ଣ୍ଣ ସହ ୫ଟି ପଦକ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗୋଟିଏ ଅଲିମ୍ପିକ୍ସର ସନ୍ତରଣରେ ୪ଟି ବ୍ୟକ୍ତିଗତ ଇଭେଂଟରେ ସ୍ୱର୍ଣ୍ଣ ଜିତିବାରେ ମାତ୍ର ତୃତୀୟ ପୁରୁଷ ସନ୍ତରଣକାରୀ ହୋଇଛନ୍ତି ଲିଓନ୍ । ପୂର୍ବରୁ ଆମେରିକାର ମାର୍କ ସ୍ପିଜ୍ ଓ ମାଇକେଲ ଫେଲପ୍ସ ହିଁ ଏଭଳି ସଫଳତା ହାସଲ କରିଥିଲେ । ଏଥର ଅଲିମ୍ପିକ୍ସରେ ତିନି ପ୍ରତିଯୋଗୀ ସର୍ବାଧିକ ୫ଟି ଲେଖାଏଁ ପଦକ ଜିତିଛନ୍ତି । ଏମାନେ ସମସ୍ତେ ସନ୍ତରଣକାରୀ । ଫ୍ରାନସର ଲିଓନ ମାର୍ଚାଣ୍ଡ୍‌ଙ୍କ ସମେତ ଆମେରିକାର ସନ୍ତରଣକାରୀ ଟୋରି ହୁସକେ ଓ ଅଷ୍ଟ୍ରେଲିଆର ମୋଲି ଓ’କାଲାଘାନ ୫ଟି ଲେଖାଏଁ ପଦକ ଜିତିଛନ୍ତି । ତେବେ ଫ୍ରାନସର ଲିଓନ ସର୍ବାଧିକ ୪ଟି ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

ଏଥର ଅଲିମ୍ପିକ୍ସରେ ୯୧ଟି ଦେଶ ଓ ଆଇଓସି ରିଫ୍ୟୁଜି ଟିମ୍ ପଦକ ଜିତିଛନ୍ତି । ୪ଟି ଦେଶ ପ୍ରଥମ ଥର ପାଇଁ ଜିତିଛନ୍ତି ଅଲିମ୍ପିକ୍ସ ପଦକ । ଆଲବାନିଆ, କେପ୍ ଭେର୍ଡ, ଡୋମିନିକା ଓ ସେଂଟଲୁସିଆ ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ସରେ ପଦକ ଜିତିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଚାରିିଟି ଦେଶ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ବୋଟ୍ସୱାନା, ଡୋମିନିକା, ଗୁଏଟମାଲା ଓ ସେଂଟ୍ ଲୁସିଆ ପ୍ରଥମ ଥର ପାଇଁ କୌଣସି ଅଲିମ୍ପିକ୍ସର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଏକମାତ୍ର ନୂଆ କ୍ରୀଡା ଥିଲା ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ପୁରୁଷ ହକିରେ ଭାରତ ୫୨ ବର୍ଷ ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଥିଲା । ଗ୍ରୁପ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ହରାଇଥିଲା ଭାରତ ।

Comments are closed.