ଆମ ଐତିହ୍ୟ : କଳିଙ୍ଗ ସ୍ଥାପତ୍ୟ କଳାର ଭିନ୍ନ ଏକ ପରିଭାଷା, ବୌଦ୍ଧର ‘ପଶ୍ଚିମ ସୋମନାଥ’, ‘କପିଳେଶ୍ୱର’ ଓ ‘ଭୁବନେଶ୍ୱର’ ମନ୍ଦିର
କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ଆମ ଐତିହ୍ୟ
ଓଡିଶାର ପ୍ରାଚୀନ ମନ୍ଦିର ଏବଂ ଐତିହ୍ୟ ସ୍ଥଳୀ ତଥା ସେଗୁଡିକର ନିର୍ମାଣଶୈଳୀ ମଧ୍ୟରେ ଲୁକ୍କାୟିତ ରହିଛି ଅନେକ କାହାଣୀ ଓ କିମ୍ବଦନ୍ତୀ । କଳିଙ୍ଗ ମନ୍ଦିର ସ୍ଥାପତ୍ୟ କଳାରେ ମୁଖ୍ୟତଃ ରେଖା ଦେଉଳ, ପିଢା ଦେଉଳ ଓ ଖାଖରା ନିର୍ମାଣ ଶୈଳୀ ରହିଥିବାବେଳେ କେତେକ ମନ୍ଦିରରେ ଏଥିରେ ସାମାନ୍ୟ ବ୍ୟତିକ୍ରମ ବା ଭିନ୍ନତା ପରିଲକ୍ଷିତ ହୋଇଛି ।
ସେହିଭଳି କିଛି ଭିନ୍ନତା ଭରି ରହିଥିବା ଏକ ଐତିହ୍ୟ ସ୍ଥଳ ହେଉଛି ବୌଦ୍ଧ ସହରରେ ରହିଥିବା ରାମନାଥ ମନ୍ଦିର ପ୍ରାଙ୍ଗଣରେ ସ୍ଥିତ ତିନୋଟି ମନ୍ଦିର ‘ପଶ୍ଚିମ ସୋମନାଥ’, ‘କପିଳେଶ୍ୱର’ ଓ ‘ଭୁବନେଶ୍ୱର’ । ପ୍ରାୟ ଏକା ଭଳି ଦେଖାଯାଉଥିବା ଏହି ତିନି ଶିବ ମନ୍ଦିର ଗୋଟିଏ ପ୍ରାଙ୍ଗଣରେ ଠିକ ଏକ ତ୍ରିଭୁଜର ତିନି କୋଣରେ ଅବସ୍ଥାପିତ ହେବା ଭଳି ରହିଛନ୍ତି ।
ଏହି ତିନି ମନ୍ଦିରର ସବୁଠାରୁ ସ୍ୱତନ୍ତ୍ର ବୈଶିଷ୍ଟ୍ୟ ହେଉଛି ତାରା ବା ତାରକା ଆକାରର ପ୍ରାୟ ଚାରି ଫୁଟ ଉଚ୍ଚ ପିଣ୍ଡି, ଯାହା ଉପରେ ରେଖା ଦେଉଳ ଶୈଳୀର ମୂଳ ମନ୍ଦିର ବା ବିମାନ ରହିଛି । ଏହି ମନ୍ଦିରଗୁଡିକ ରହିଥିବା ତାରା ଆକୃତିର ପିଣ୍ଡି ବା ଆଧାରରେ ଏପରି ଭାବେ ସ୍ଥାପିତ ହୋଇଛି ଯେପରି ଦୁଇଟି ବର୍ଗକାର ପିଣ୍ଡି ପରସ୍ପରକୁ ଏକ ନିର୍ଦ୍ଦିଷ୍ଟ କୋଣରେ ବିଚ୍ଛେଦ କରି ଏକ ତାରା ପରି ଆଠଟି ତ୍ରିକୋଣୀୟ ଧାର ସୃଷ୍ଟି କରିଛନ୍ତି । ଏଥିସହିତ ସମସ୍ତ ତିନିଟି ମନ୍ଦିରରେ ପୂଜା ପାଉଥିବା ଶିବ ଲିଙ୍ଗ ମଧ୍ୟ ପାରମ୍ପରିକ ଶିବ ମନ୍ଦିରଗୁଡିକର ଅର୍ଦ୍ଧ ବୃତ୍ତାକାର ଶକ୍ତି ପରିବର୍ତ୍ତେ କଳା ମୁଗୁନି ପଥରର ଏକ ତାରକା ଆକୃତିର ପିଣ୍ଡି ତଥା ଶକ୍ତି ବା ଯୋନିପୀଠ ଉପରେ ଅବସ୍ଥାପିତ ରହିଛି । ତାରକା ଆକୃତିର ପିଣ୍ଡି ଉପରେ ନିର୍ମିତ ମନ୍ଦିର ଏବଂ ତାରକା ଆକୃତିର ପିଣ୍ଡି ଓ ଶକ୍ତି ଉପରେ ଅବସ୍ଥାପିତ ଶିବ ଲିଙ୍ଗ ତଥା ତିନିଟି ମନ୍ଦିର ତ୍ରିଭୁଜର ତିନି କୋଣରେ ଅବସ୍ଥାପିତ ହେବା ଭଳି ରହିଥିବାରୁ ଏହା ତନ୍ତ୍ର ଶୈଳୀ ଦ୍ୱାରା ପ୍ରଭାବିତ ବୋଲି କିଛି ମତ ରହିଥିବା ବେଳେ ସେଥିନେଇ କୌଣସି ବଳିଷ୍ଠ ପ୍ରମାଣ ନାହିଁ । ତେବେ ପଶ୍ଚିମ ଓଡିଶାର କଳାହାଣ୍ଡି ଓ ବଲାଙ୍ଗୀର ତଥା ମଧ୍ୟ ଭାରତର କେତେକ ସ୍ଥାନରେ ମଧ୍ୟ ଏହିଭଳି ତାରା ବା ତାରକା ଆକୃତିର ପିଣ୍ଡି ଉପରେ ନିର୍ମିତ ପ୍ରାଚୀନ ମନ୍ଦିର ରହିଛି ।
ଯଦିଓ ରାମନାଥ ମନ୍ଦିର ନାମରେ ଏହି କମ୍ପ୍ଲେକ୍ସ ନାମିତ ତେବେ ଏହା ସେଠାରେ ପ୍ରାଙ୍ଗଣରେ ରହିଥିବା ତିନୋଟି ପ୍ରାଚୀନ ଶିବ ମନ୍ଦିରଠାରୁ ବହୁ ବିଳମ୍ବରେ ଭାରତର ସ୍ୱାଧୀନତା ପରବର୍ତ୍ତୀ ସମୟରେ ନିର୍ମିତ ହୋଇଥିବା ବିଶ୍ୱାସ କରାଯାଏ । ଏହି ତିନୋଟି ପ୍ରାଚୀନ ଶିବ ମନ୍ଦିର ‘ପଶ୍ଚିମ ସୋମନାଥ’, ‘କପିଳେଶ୍ୱର’ ଓ ‘ଭୁବନେଶ୍ୱର’ ପ୍ରାୟ ନବମ ଶତାବ୍ଦୀର ମଧ୍ୟ ଭାଗରୁ ଦଶମ ଶତାବ୍ଦୀ ମଧ୍ୟ ନିର୍ମିତ ହୋଇଥିବା ପ୍ରତ୍ନତତ୍ତ୍ଵବିଦ ମାନେ ଅନୁମାନ କରିଛନ୍ତି । ତେବେ ବର୍ତ୍ତମାନ ସମୟରେ ଆଂଶିକ ଭଗ୍ନ ଅବସ୍ଥାରେ ରହିଥିବା ଏହି ତିନୋଟି ପ୍ରାଚୀନ ମନ୍ଦିରର ନିର୍ମାଣ କାଳ ନେଇ କୌଣସି ଲିଖିତ ପ୍ରମାଣ ନାହିଁ । ଏହି ମନ୍ଦିର ତ୍ରୟର କାରୁକାର୍ଯ୍ୟ ଭାସ୍କର୍ଯ୍ୟ ଓ ନିର୍ମାଣ ଶୈଳୀ ଦୃଷ୍ଟିରୁ ଏହା ଦଶମ ଶତାବ୍ଦୀରେ ନିର୍ମିତ ହୋଇଥିବା ଭୁବନେଶ୍ୱରର ମୁକ୍ତେଶ୍ଵର ମନ୍ଦିର ନିର୍ମାଣର ପୂର୍ବ ସମୟରେ ହୋଇଥାଇପାରେ ବୋଲି ବିଶିଷ୍ଟ ପ୍ରତ୍ନତତ୍ତ୍ଵବିଦ ସ୍ବର୍ଗତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନେକ ପ୍ରତ୍ନତତ୍ତ୍ଵବିଦ ଉଲ୍ଲେଖ କରିଛନ୍ତି ।
ବର୍ତ୍ତମାନ ପ୍ରତ୍ନତାତ୍ତ୍ୱିକ ସର୍ଭେ ଅଫ୍ ଇଣ୍ଡିଆ (ASI) ଦ୍ୱାରା ସଂରକ୍ଷିତ ରହିଥିବା ଏହି ତିନୋଟି ମନ୍ଦିର, ପଶ୍ଚିମ ସୋମନାଥ ମନ୍ଦିର, କପିଳେଶ୍ୱର ମନ୍ଦିର ଏବଂ ଭୁବନେଶ୍ୱର ମନ୍ଦିର ଲାଲ୍ ବାଲୁକା ପଥରରେ ନିର୍ମିତ । ସମପ୍ରାୟ ଦେଖାଯାଉଥିବା ଏହି ତିନି ମହାଦେବ ମନ୍ଦିର ମଧ୍ୟରୁ ଦୁଇଟି ପୂର୍ବ ଦିଗକୁ ମୁହଁ କରି ରହିଥିବା ବେଳେ କପିଳେଶ୍ୱର ମନ୍ଦିର ପଶ୍ଚିମ ଦିଗକୁ ମୁହଁ କରି ରହିଛି । ପ୍ରାୟତଃ ନଷ୍ଟ ହୋଇଯାଇଥିଲେ ମଧ୍ୟ ଏଠାରେ ପ୍ରମୁଖ ଭାସ୍କର୍ଯ୍ୟ ଗୁଡିକ ମଧ୍ୟରେ ରହିଛି ପଦ୍ମ ପାଖୁଡା, ଶଳଭଞ୍ଜିକା, କୀର୍ତ୍ତିମୁଖ, ଗଜଲକ୍ଷ୍ମୀ, ଡାଳି ପଟାଳୀ, ମାଳି ଧଡ଼ି ବା ପଟି, ପଶୁ ଓ ମାନବ ମୂର୍ତ୍ତି ଇତ୍ୟାଦି ଏବଂ ଏଥିମଧ୍ୟରୁ ଅନେକର ସାମଞ୍ଜସ୍ୟ ମୁକ୍ତେଶ୍ଵର ମନ୍ଦିରରେ ରହଥିବା କଳାକୃତି ଓ ଭାସ୍କର୍ଯ୍ୟ ସହିତ ରହିଛି । ତିନିଟି ମନ୍ଦିର ମଧ୍ୟରୁ ଦୁଇଟିର ଚୁଡାରେ କୌଣସି ଆୟୁଧ ନଥିବାବେଳେ କପିଳେଶ୍ୱର ମନ୍ଦିର ଚୁଡାରେ ଆୟୁଧ ଭାବେ ଚକ୍ର ବା ଆକାଶ ଚକ୍ର ରହିଛି । ତେବେ ଏକ ଶିବ ମନ୍ଦିରର ମସ୍ତକରେ ଆୟୁଧ ଭାବେ ଚକ୍ରର ଅବସ୍ଥିତି ନେଇ ପ୍ରତ୍ନତତ୍ତ୍ଵବିଦମାନେ କୌଣସି ନିର୍ଦ୍ଦିଷ୍ଟ କାରଣ ବା ସିଦ୍ଧାନ୍ତରେ ପହଂଚି ପାରିନାହାନ୍ତି ।
ରାମନାଥ ମନ୍ଦିର ପ୍ରାଙ୍ଗଣରେ ଅନେକ ଭଗ୍ନ କଳାକୃତି ଓ ପ୍ରତିମା ବିକ୍ଷିପ୍ତ ଅବସ୍ଥାରେ ରହିଛି, ଯାହା ମଧ୍ୟରେ ଅଛି ବ୍ରହ୍ମା, ବୁଦ୍ଧ ଓ ନଟରାଜଙ୍କ ମୂର୍ତ୍ତୀ, ନବଗ୍ରହ ପଟି ଇତ୍ୟାଦି । ଏଥି ସହିତ ସୂକ୍ଷ୍ମ କାରୁକାର୍ଯ୍ୟ ବିଶିଷ୍ଟ ଅନ୍ୟ ଏକ ମନ୍ଦିରର ଆଂଶିକ ନିର୍ମିତ ପରିତ୍ୟକ୍ତ ଢାଞ୍ଚା ମଧ୍ୟ ରହିଛି । ସ୍ଥାନୀୟ ଲୋକଙ୍କ ଅନୁଯାୟୀ ଏହି ଅର୍ଧ ନିର୍ମିତ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବା ବ୍ୟକ୍ତିଙ୍କ ମୃତ୍ୟୁ ହେତୁ ଅଧାରେ ହିଁ ବନ୍ଦ ହୋଇଯାଇଥିଲା।
Comments are closed.