ବଲାଙ୍ଗୀର: ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ୍ ମେହେର୍ ପୁଣି ଜେଲକୁ ଫେରିଛନ୍ତି । ମାଆଙ୍କ ଦେହାନ୍ତ ଘଟିଥିବା ଯୋଗୁଁ ସେ ରବିବାର ରାତିରେ ତାଙ୍କର ଅନ୍ତିମ ସଂସ୍କାର ସାରି ଜେଲକୁ ଫେରିଛନ୍ତି ।
ମାଆଙ୍କ ଅନ୍ତିମ ସଂସ୍କାର ଲାଗି ପୁଞ୍ଜିଲାଲଙ୍କୁ ଶନିବାର ଦିନ ପାଟଣାଗଡ଼ର ଅତିରିକ୍ତ ଜିଲ୍ଲା ଜଜ୍ (ଏଡ଼ିଜେ) ଗୋଟିଏ ଦିନ ଲାଗି ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ପୁଞ୍ଜିଲାଲଙ୍କ ମାଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ମୃତ୍ୟୁ ଘଟିଥିଲା ।
ପୋଲିସ ରବିବାର ଦିନ ସକାଳେ ମାଆଙ୍କ ଅନ୍ତିମ ସଂସ୍କାର ଲାଗି ତାଙ୍କ ପୈତୃକ ଗ୍ରାମ ରାମପୁରକୁ ଆଣିଥିଲା । ମୃତ୍ୟୁ ପରବର୍ତ୍ତୀ ବୈଦିକ ସଂସ୍କାର ସମାପ୍ତ ହେବା ପରେ ଗତରାତିରେ ହିଁ ପୋଲିସ ତାଙ୍କୁ ପୁନର୍ବାର ଜେଲରେ ଆଣି ଛାଡ଼ିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୮ ଫେବୃଆରୀ ୨୩ ତାରିଖରେ ଭୋଳାନାଥପଡ଼ାଠାରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଉପହାର ପାର୍ସଲଟି ଖୋଲିବା ଯୋଗୁଁ ବିସ୍ଫୋରଣ ବିସ୍ଫୋରଣ ଘଟି ନବ ବିବାହିତ ଦମ୍ପତ୍ତି ସୌମ୍ୟଶେଖର ସାହୁ ଓ ରିମାରାଣୀଙ୍କ ସହିତ ତାଙ୍କର ଜେଜେମା ଗୁରୁତର ଭାବେ ଆହତ ହୋଇଥିଲେ । ଏହି ବିସ୍ଫୋରଣରେ ଜେଜେମା ଓ ସୌମ୍ୟଶେଖରଙ୍କ ମୃତ୍ୟୁ ଘଟିଥିଲା ।
ଏହି ବିସ୍ଫୋରଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କୁ ପୋଲିସ ଏପ୍ରିଲ୍ ୨୫ ତାରିଖରେ ଗିରଫ କରି କୋର୍ଟକୁ ଚାଲାଣ କରିଥିଲା ।
ପାର୍ସଲ ବୋମା ବିସ୍ଫୋରଣରେ ଗୁରୁତର ଆହତ ହୋଇ ବୁର୍ଲାସ୍ଥିତ ଭିମସାରରେ ଚିକିତ୍ସିତ ହେଉଥିବା ରିମାରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବି ମେଡ଼ିକାଲ୍ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ପାର୍ସଲ ବୋମା ଘଟଣା ସେତେବେଳେ ସାରା ରାଜ୍ୟ ସହିତ ଦେଶରେ ଚହଳ ସୃଷ୍ଟି କରିଥିଲା ।
ରିମାରାଣୀ ଏହି ଘଟଣାର ନିରପେକ୍ଷ ତଦନ୍ତ ଲାଗି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର ସିବିଆଇ ଏସଆଇଟି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Comments are closed.