ଚେନ୍ନାଇ: ଚଳିତ ଆଇପିଏଲରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଶ୍ରେୟାଶ ଆୟାର ଓ ପ୍ରଭସିମ୍ରନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗସ ୫ ୱିକେଟରେ ଚେନ୍ନାଇ ସୁପର କିଙ୍ଗସକୁ ପରାସ୍ତ କରିଛି । ଚେନ୍ନାଇର ଏହା କ୍ରମାଗତ ଦ୍ୱିତୀୟ ପରାଜୟ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୨୦ ଓଭରରେ ୫ ୱିକେଟ ବିନିମୟରେ ୨୦୯ ରନ କରିଥିଲା । ଆୟୂଷ ମାହାତ୍ରେ ୭୩, ଶିବମ ଦୁବେ ୪୫ ରନ କରିଥିଲେ । ଶେଷ ଭାଗରେ ସର୍ଫରାଜ ଖାଁ ୧୨ ବଲରେ ଦ୍ରୁତ ୩୨ ରନ ସଂଗ୍ରହ କରିଥିଲେ । ୨୧୦ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପଞ୍ଜାବ ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ ପ୍ରଦର୍ଶନ କରିଥିଲା ।
ପ୍ରିୟାନ୍ସ ଆର୍ଯ୍ୟ (୩୯) ଓ ପ୍ରଭସିମ୍ରନ ସିଂ (୪୩) ୪.୨ ଓଭରରେ ୬୧ ରନ କରିଥିଲେ । ପାୱାର ପ୍ଲେରେ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟିଂ ଏକପ୍ରକାର ଚେନ୍ନାଇ ହାତରୁ ମ୍ୟାଚ ଛଡେଇ ନେଇଥିଲା । କୂପର କୋନଲୀ ୩୬ ଓ ଶ୍ରେୟାଶ ୫୦ ରନ କରି ଦଳକୁ ବିଜୟର ଦ୍ୱାର ଦେଶରେ ପଂହଚାଇ ଦେଇଥିଲେ । ଶଶାଙ୍କ ସିଂ ୧୪ ଓ ମାର୍କସ ଷ୍ଟୋଇନିସ ୯ ରନ କରି ଅପରାଜିତ ରହିଥିଲେ । ଚେନ୍ନାଇ ପକ୍ଷରୁ ମ୍ୟାଟ୍ଟ ହେନେରୀ ଓ ଅଂଶୁଲ କମ୍ବୋଜ ୨ଟି ଲେଖାଏଁ ୱିକେଟ ନେଇଥିଲେ । ପଞ୍ଜାବ କ୍ରମାଗତ ଦ୍ୱିତୀୟ ବିଜୟ ସହ ଦୃଢ଼ ସ୍ଥିତିରେ ରହିଛି ।