Latest Odisha News

BREAKING NEWS

ଚାମ୍ପିୟନ୍ସ ଟ୍ରଫି ପାଇଁ ହାଇବ୍ରିଡ ମଡେଲକୁ ସ୍ୱୀକାର କରିବନି ପିସିବି, ଆଇସିସିକୁ ଲେଖିଲା ପତ୍ର

ଦୁବାଇ: ପାକିସ୍ତାନ କ୍ରିକେଟ ବୋର୍ଡ ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି କରିବାକୁ ଚାହୁଁନି ବୋଲି ଆଇସିସିକୁ ପତ୍ର ଲେଖି ଜଣାଇଛି । ଯାହା ଫଳରେ ଆଇସିସି ଓ ପିସିବି ପରୋକ୍ଷରେ ମୁହାଁମୁହିଁ ହୋଇଛନ୍ତି । ଶୁକ୍ରବାର ଚାମ୍ପିୟନ୍ସ ଟ୍ରଫି କେଉଁଠାରେ ହେବ ସେ ନେଇ ବୈଠକରେ ନିଷ୍ପତି ନିଆଯିବ ବୋଲି ଆଇସିିସି ସ୍ପଷ୍ଟ କରିଛି । ଏହି ଭର୍ଚୁଆଲ ବୈଠକର କିଛି ଘଂଟା ପୂର୍ବରୁ ହାଇବ୍ରିଡ ମଡେଲ ସପକ୍ଷରେ ନାହିଁ ବୋଲି ଜଣାଇଛି । ଏବେ ଏହାକୁ ଆୟୋଜନ କରିବା ପାଇଁ ଅନ୍ୟ ବିକଳ୍ପ ଖୋଜିବାକୁ ଆଇସିସିକୁ ପିସିବି ଅନୁରୋଧ କରିଛି । ଭାରତ ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବ ନାହିଁ ବୋଲି କହିବା ପରେ ପିିସିବି କ୍ଷୁବ୍ଧ ହୋଇ ପଡିଛି । ହାଇବ୍ରିଡ ମଡେଲକୁ ଗୁରୁତ୍ୱ ଦେବାର ମାନେ ଭାରତର କଥା ମାନିନେବା ।

ଯଦି ଏହା ହୁଏ ତେବେ ୨୦୩୧ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟ ହାଇବ୍ରିଡ ମଡେଲରେ ଖେଳାଯାଉ ବୋଲି ପିସିବିର ଜନୈକ ଅଧିକାରୀ କହିଛନ୍ତି । ଆଇସିସି ପାରଦର୍ଶୀତା ଅବଲମ୍ବନ କରିବାକୁ ପିସିବି ଅନୁରୋଧ କରିଛି । ଅପରପକ୍ଷରେ ଭାରତ ମଧ୍ୟ ତାର ନିଷ୍ପତିରେ ଅଟଳ ରହିଛି । ଏପରିକି ଯଦି ଅସୁବିଧା ହୁଏ ତେବେ ଭାରତ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ପଛାଇବା ନାହିଁ ବୋଲି ବିସିସିଆଇ କହିଛି । ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଯୋଗୁ ହିଂସା ଲାଗି ରହିଛି । ଯାହା ଫଳରେ ଭାରତ ବ୍ୟତୀତ ଅନ୍ୟ କେତେକ ଦେଶ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବା ପାଇଁ ଅମଙ୍ଗ ହୋଇଛନ୍ତି ।

Comments are closed.