Latest Odisha News

BREAKING NEWS

ପିକକ୍ ଶିଶୁମେଳା ଉଦଘାଟିତ :ଶିଶୁ ନିଜର ଅଭିଲାଷ ସାକାର କରିବାକୁ ପ୍ରଚେଷ୍ଟା କରିବା ଜରୁରୀ

ଭୁବନେଶ୍ୱର: ସବୁ ଶିଶୁ ସୁନ୍ଦର । ପ୍ରତ୍ୟେକ ଶିଶୁଙ୍କ ପାଖରେ ବହୁମୂଖୀ ପ୍ରତିଭା ଭରିରହିଛି । ଏହାର ସଠିକ ଉପଯୋଗ ପାଇଁ ପିଲାମାନେ ଯେତିକି ନୁହେଁ ତାଠାରୁ ଢେର ଗୁଣ ଅଧିକ ଅଭିଭାବକମାନେ ଯତ୍ନବାନ ହେବାର ଅବଶ୍ୟକତା ରହିଛି । ୩୪ ତମ ପିକକ୍ ଶିଶୁମେଳାର ଉଦ୍‌ଘାଟନ ଉତ୍ସବରେ ଅତିଥିମାନେ ଏହା କହିଛନ୍ତି ।

ମଙ୍ଗଳବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ଆୟୋଜିତ ହୋଇଯାଇଛି ଶିଶୁମେଳା । ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୂଳରୁ ଯତ୍ନବାନ ହେବା ଆବଶ୍ୟକ । ପ୍ରତ୍ୟେକ ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ଅଭିଲାଷକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବା ଜରୁରୀ । ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଥିଲେ ।

ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପିଲାମାନେ ନିଜ ପାଠ ପଢିବା ସହିତ ତାଙ୍କ ଭିତରେ ଅନ୍ତର୍ନିହିତ ଗୁଣକୁ ପରିପ୍ରକାଶ କରିବା ପାଇଁ ସୁଯୋଗ ପାଇବା ଆବଶ୍ୟକ ବୋଲି କହିଥିଲେ । ଭୁବନେଶ୍ୱରର ମେୟର ସୁଲୋଚନା ଦାଶ କହିଥିଲେ ଯେ ଭଲ ନାଗରିକ ହେବା ନିମନ୍ତେ ସମସ୍ତ ଶିଶୁ ନିଜର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା ସବୁପିଲା ସବୁ ଅଧିକାର ପାଇବା ଉଚିତ ବୋଲି ନିଜର ମତ ରଖିଥିଲେ । ରୋଟାରୀ କ୍ଲବ ୟୁନିକ୍ ର ସଭାପତି ଆର୍ଯ୍ୟା ପଟ୍ଟନାୟକ ପିଲାମାନଙ୍କୁ ନିଜ ଭିତରର ପ୍ରତିଭାକୁ ଚିହ୍ନିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ ।

ଶିଶୁ କଳାକାର ସୁହାନା କର, କହିଲେ ଆମେ ପିଲାମାନେ ଏକ ସୁସ୍ଥ ପୃଥିବୀ ଗଢିବା ନିମନ୍ତେ କଠିନ ପରିଶ୍ରମ କରିବା, ପାଠ ପଢିବା ଓ ସ୍ୱପ୍ନ ଦେଖିବା ଆବଶ୍ୟକ । ଅନ୍ୟମାନଙ୍କ ମାଧରେ ବର୍ଲିନ ରେ ହୋଇଥିବା ସ୍ୱତନ୍ତ୍ର ଅଲମ୍ପିକ୍ସର ସାଇକଲ ରେସ ରେ ବ୍ରୋଞ୍ଜ ପଦକ ବିଜୟନୀ କଲ୍ପନା ଜେନା ଓ ୪୦୦ ମିଟର ଦୌଡ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜୟନୀ ଅରିଦିତା ଚକ୍ରବର୍ତୀ ମଧ୍ୟ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୁତ କରଯାଇଥିଲା ।

ପିକକ୍ ର ଶିଶୁମେଳା କମିଟିର ସଭାପତି ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଶିଶୁମେଳା ଉତ୍ସବରେ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ପିକକ ଡ. ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା ପିଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳତା କାମନା କରିଥିଲେ । ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଦେଇଥିଲେ । ଶେଷରେ ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଳ୍ପନା ଦାସ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।

Comments are closed.