Latest Odisha News

ନିଲମ୍ବିତ PEO ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା: ଗିରଫ ହେଲେ ଦୁର୍ନୀତିଖୋର ନିଲମ୍ବିତ ପିଇଓ । ନିଲମ୍ବିତ ପିଇଓ ଦେବାନନ୍ଦ ସାଗରଙ୍କୁ ଗିରଫ କଲା ଭିଜିଲାନ୍ସ । ସରକାରୀ ଅର୍ଥକୁ ଆତ୍ମସାତ କରି ବେଟିଂ ଆପ୍‌ରେ ଲଗାଇଥିଲେ ଦେବାନନ୍ଦ । ୩ କୋଟିରୁ ଊର୍ଦ୍ଧ୍ବ ସରକାରୀ ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଗିରଫ ହେଲେ ଦେବାନନ୍ଦ । ଥୁଆମୂଳ ରାମପୁର ବ୍ଲକର ୨ଟି ପଞ୍ଚାୟତରୁ କରିଥିଲେ ଅର୍ଥ ଆତ୍ମସାତ । ୨୦୨୨ରେ ଭିଜିଲାନ୍ସ ଜାଲରେ ପଡ଼ି ନିଲମ୍ବିତ ହୋଇଥିଲେ ।

କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡ଼ପଦର ପଞ୍ଚାୟତର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ (ପିଇଓ) ହେଉଛନ୍ତି ଦେବାନନ୍ଦ ସାଗର । ପଞ୍ଚାୟତର ସରକାରୀ ଅନୁଦାନ ରାଶି ହଡପ କରିଥିବା ନେଇ ଅଭିଯୋଗ ପ୍ରମାଣିତ ହେବା ପରେ ଜିଲାପାଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ନିଲମ୍ବିତ କରିଥିଲେ। ପାହାଡ଼ ପଦର ପଞ୍ଚାୟତର ସରପଞ୍ଚ ଲକ୍ଷ୍ମଣ ମାଝିଙ୍କ ଜାଲ୍‌ ଦସ୍ତଖତ କରି ୪୭ ଲକ୍ଷ ୧୭ ହଜାର ୯୭୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ସରପଞ୍ଚ ଓ ସମିତିସଭ୍ୟଙ୍କ ଅଭିଯୋଗ ପରେ ଲାଞ୍ଜିଗଡ଼ ଏବିଡିଓ ବିଭୂତିଭୂଷଣ ଶତପଥୀ, ଜିପିଇଓ ସରୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପ୍ରଶାସନିକ ତଦନ୍ତ ହୋଇଥିଲା ।

ଏହି ରିପୋର୍ଟ ଆଧାରରେ ସମ୍ପୃକ୍ତ ପିଇଓ ସାଗରଙ୍କୁ ନିଲମ୍ବନ କରାଯାଇଥିଲା। ଏହା ପୂର୍ବରୁ ଥୁଆମୂଳ ରାମପୁର ବ୍ଲକରେ ମଧ୍ୟ ଦେବାନନ୍ଦ ଏପରି କାରନାମା କରିଥିବା ସହିତ ୫୮ ଲକ୍ଷ ୭୨ ହଜାର ୬୧୬ ଟଙ୍କା ହଡପ କରିଥିବା ଅଭିଯୋଗ ହୋଇଥିଲା । ତେବେ ଉଭୟ ବ୍ଲକରେ ସରକାରୀ ଅନୁଦାନ ଚଳୁ କରିବା ଅଭିଯୋଗରେ ଦେବାନନ୍ଦଙ୍କୁ ନିଲମ୍ବନ କରାଯାଇଥିଲା। ନିଲମ୍ବନ ପରେ ସେ ଆତ୍ମହତ୍ୟା କରିବାକୁ ପ୍ରଚେଷ୍ଟା କରିଥିବା ଖବର ସାମ୍ନାକୁ ଆସିଥିଲା । ମାତ୍ର ଚିକିତ୍ସା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଉକ୍ତ ମାମଲାର ଖୋଳତାଡ ଜାରି ରଖିଥିଲା ଭିଜିଲାନ୍ସ । ଶେଷରେ ଆଜି ଦେବାନନ୍ଦଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Leave A Reply

Your email address will not be published.