ନବରଙ୍ଗପୁର: କୁକୁର କାମୁଡ଼ା ଗାଈର କ୍ଷୀର ପିଇ ଭୟଭୀତ ଲୋକେ ।କୌଣସି ଅଘଟଣ ଘଟିବା ଭୟରେ ଲୋକେ ଉମରକୋଟ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଇଞ୍ଜେକ୍ସନ ନେବା ପାଇଁ ଜମାଇଲେ ଭିଡ଼ । ଉମରକୋଟ ସହରର ୧୨ ନମ୍ୱର ୱାର୍ଡର ଅଶ୍ରୁ ରାୟଙ୍କ ଗାଈକୁ କିଛି ଦିନ ପୂର୍ବେ ଏକ କୁକୁର କାମୁଡ଼ିଥିଲା ।
ଏବେ ସୁଦ୍ଧା ୩୦ରୁ ଉର୍ଦ୍ଧ୍ବ ଲୋକେ ଭେକ୍ସିଂ ନେଇଛନ୍ତି । କେହି ଗୁରୁତର ନାହାନ୍ତି । କିନ୍ତୁ ସତର୍କତା ମୂଳକ ଭାବେ ସମସ୍ତେ ପ୍ରତିଷେଧକ ଇଞ୍ଜେକ୍ସନ ନେଉଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଏହି ଘଟଣା ଉପରେ ନଜର ରଖିଥିବା ବେଳେ ଗ୍ରାମବାସୀଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦିଆଯାଇଛି ।
ସୂଚନାନୁସାରେ, ଗାଈଟି ନିକଟରେ ପ୍ରଥମ କରି ବାଛୁରୀ ଜନ୍ମ କରିଥିବାରୁ ମାଲିକ ଜଣକ ଶ୍ରଦ୍ଧାରେ ୱାର୍ଡର ଅନେକ ଘରକୁ କ୍ଷୀର ବାଣ୍ଟିଥିଲେ । ଆଉ କିଛି ଲୋକ ଗାଈ କ୍ଷୀର ନେଇ ପିଉଥିଲେ । କିନ୍ତୁ ଗତକାଲି ହଠାତ୍ ଗାଈର ମୃତ୍ୟୁ ଘଟିଥିଲା । ପରେ ଜଣାପଡିଥିଲା ଗାଈକୁ କୁକୁର କାମୁଡିବାରୁ ମୃତ୍ୟୁ ଘଟିଛି । ଏହାପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମନରେ ଆତଙ୍କ ଦେଖିବାକୁ ମିଳିଛି।