Latest Odisha News

BREAKING NEWS

ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବାକୁ ଆବେଦନ, ଶୁଣାଣି ଶେଷ ରାୟ ସଂରକ୍ଷିତ

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସକୁ ନେବା ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା ପାଇଁ ସଂଶୋଧିତ ଆବେଦନ ଜରିଆରେ ଅନୁମତି ମାଗିଛି କ୍ରାଇମବ୍ରାଞ୍ଚ ଟିମ୍।

ଫେବୃଆରୀ ୨୭ରେ ଏହି ଶୁଣାଣି ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏହି ଆବେଦନର ଶୁଣାଣି ତାରିଖ ମାର୍ଚ୍ଚ ୧କୁ ଘୁଞ୍ଚାଇ ଦେଇଥିଲେ ଜିଲ୍ଲା ଦୌରାଜଜ କୋର୍ଟ।

ଝାରସୁଗୁଡାର ତଳ କୋର୍ଟ ଏପରି ଆବେଦନକୁ ଖାରଜ କରିଦେବା ପରେ କ୍ରାଇମବ୍ରାଞ୍ଚ ଟିମ୍ ଜିଲ୍ଲା କୋର୍ଟରେ ତଳ କୋର୍ଟର ରାୟକୁ ଚ୍ଯାଲେଞ୍ଜ କରି ସଂଶୋଧିତ ଆବେଦନ କରିଛି।

ଶୁଣାଣି ସମୟରେ ଉଭୟ ପକ୍ଷର ଆଇନଜୀବୀ ନିଜ ନିଜ ସପକ୍ଷରେ ଯୁକ୍ତି ଉପସ୍ଥାପନ କରିଥିଲେ। ଅଭିଯୁକ୍ତ ବିଚାରବିଭାଗୀୟ ହେପାଜତକୁ ଯିବାପରେ ଆଉ ରିମାଣ୍ଡ ଦେବାର ନିୟମ ନଥିବାରୁ ଏହି ଆବେଦନକୁ ଖାରଜ କରିବାକୁ ଗୋଟିଏ ପକ୍ଷ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାର ଶୁଣାଣି ଶେଷ ହୋଇଥିବା ବେଳେ କୋର୍ଟଙ୍କ ରାୟକୁ ଅପେକ୍ଷା କରାଯାଇଛି।

ସଂଶୋଧିତ ଆବେଦନରେ କ୍ରାଇମବ୍ରାଞ୍ଚ କୋର୍ଟଙ୍କୁ ଗୋପାଳକୁ ତିନି ସପ୍ତାହ ପାଇଁ ନିମାହନ୍ସ ନେବା ପାଇଁ ନିର୍ଦ୍ଦେଶ ଦେବାକୁ ଅନୁମତି ମାଗିଛି। ଏଥିସହ ଜେଲ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛି।

ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଚାରି ଜଣିଆ ଟିମର ପରାମର୍ଶ କ୍ରମେ ତାଙ୍କୁ ନିମହାନ୍ସ ସ୍ଥାନାନ୍ତର ପାଇଁ ସ୍ୱତନ୍ତ୍ର ଅନୁମତି ଦେବାକୁ ତଦନ୍ତକାରୀ ଟିମ୍ ନିବେଦନ କରିଛି। ଗୋପାଳଙ୍କ ମାନସିକ ସ୍ୱାସ୍ଥ୍ୟ ବିଷୟରେ ଏକ ସୁନିଶ୍ଚିତ ସିଦ୍ଧାନ୍ତ ନେବା ପାଇଁ ଅଭିଯୁକ୍ତର ବିସ୍ତୃତ ପରୀକ୍ଷା ଆବଶ୍ୟକ ବୋଲି ତଦନ୍ତକାରୀ ଟିମ୍ ଅନୁଭବ କରିଛି।

 

Comments are closed.