Latest Odisha News

BREAKING NEWS

ପିଜିଆଇ ରିପୋର୍ଟ: ଫାଇଭ-ଟି ପଦକ୍ଷେପ ପାଇଁ ଓଡ଼ିଶାର ଶିକ୍ଷା ବ୍ଯବସ୍ଥା ତଳକୁ ଖସିଛି କହିଲା ବିଜେପି

ଭୁବନେଶ୍ୱର: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ପିଜିଆଇ ରିପୋର୍ଟ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି। ସର୍ବଭାରତୀୟ ସ୍ତରରେ ରାଜ୍ୟ ତାଲିକାରେ ଓଡିଶାର ମାନ ୧୦ରୁ ୨୪ କୁ ପହଂଚିଛି। ଶିକ୍ଷା ବ୍ୟବସ୍ଥା ପ୍ରତି ୨୩ ବର୍ଷର ବିଜେଡି ସରକାର ଆଦୈା ଗୁରୁତ୍ୱ ଦେଉନଥିବାର ଏହି ରିପୋର୍ଟରେ ସ୍ପଷ୍ଟ ପରିଲକ୍ଷିତ ହେଉଛି ବୋଲି ବିରୋଧୀ ଦଳ କହିଛି।

୫-ଟି ସ୍କୁଲକୁ ନେଇ ରାଜ୍ୟ ସରକାର ବହୁ ପ୍ରଚାର ପ୍ରସାର କରିବା ସହ ବିଜ୍ଞାପନ ନାଁରେ କୋଟି କୋଟି ଟଙ୍କା ବାଟମାରଣା ହେଉଛି । କିନ୍ତୁ ୫-ଟି ଅଧିନରେ ନିର୍ମାଣ ହେଉଥିବା ସ୍କୁଲର ବର୍ଷକ ଭିତରେ ପାଚେରୀ ଭୁଷୁଡିଯିବା, କାନ୍ଥ ଭାଙ୍ଗିଯିବା, ସିଲିଂ ଖସିପଡିବା ଏବଂ ସାମାନ୍ୟ ବର୍ଷା ପାଣିରେ ଛାତରୁ ପାଣି ପଡିବା ଆଦି ଘଟଣାର ଦୃଶ୍ୟ ବିଜୁ ଜନତା ଦଳର ବିକାଶର ନଗ୍ନ ଚିତ୍ରକୁ ସ୍ପଷ୍ଟ କରୁଛି ବୋଲି ବିଜେପି କହିଛି।

୫-ଟି ଦାୟିତ୍ୱ ନେବା ପରେ ଶିକ୍ଷାର ଠିକାଦାରୀ ବ୍ୟବସ୍ଥା ହେଉଛି ଏବଂ ଶିକ୍ଷା ବିଭାଗର ଅସ୍ଥିତ୍ୱ ସମାପ୍ତ ହେବାକୁ ଯାଉଛି । ରାଜ୍ୟ ସରକାର ଶାସନ ନୁହେଁ ବରଂ କ୍ଷମତା ଲୋଭରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ମଧ୍ୟ ବଳି ପକାଇବାରେ ପଛଘୂଂଚା ଦେଉନାହାନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଡ.ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।

ସେ କହିଛନ୍ତି ଯେ, ପିଜିଆଇ ରିପୋର୍ଟ ପ୍ରକାଶ ପାଇବା ନିଜ ଦୋଷ ଦୁର୍ବଳତାକୁ ଲୁଚାଇବା ପାଇଁ ଶାସକ ବିଜେଡିର ସାଂସଦ ସସ୍ମିତ ପାତ୍ର ଆଗଭରା ହୋଇ ଗଣମାଧ୍ୟମରେ ବିବୃତି ଦେଲେ, ଯାହାକି ସଂପୂର୍ଣ୍ଣ ଅବାସ୍ତବ ଓ ଅଯୌକ୍ତିକ । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟ ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ୟୁଡିଆଇଏସଇ ପୋର୍ଟାଲ ଜରିଆରେ ଦାଖଲ କରାଯାଉଥିବା ଏହାର ଆଇଡି ଏବଂ ପାସଓ୍ବାର୍ଡ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ତଥ୍ୟକୁ ଆକଳନ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି ।

୭୩ଟି ସୂଚକାଙ୍କ ଆଧାରରେ ହଜାରେ ପଏଂଟ(ସ୍କୋର)କୁ ନେଇ ୬ଟି ବର୍ଗରେ ମୂଲ୍ୟାୟନ ହୋଇଥିଲା । ସେଥିରୁ ଓଡ଼ିଶା ୫୧୭.୧ସ୍କୋର ହାସଲ କରି ଦେଶର ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରୁ ୨୪ତମ ସ୍ଥାନରେ ‘ଆକାଂକ୍ଷୀ-୨’ କ୍ୟାଟେଗୋରୀରେ ରହିଛି । କେନ୍ଦ୍ର ଓ ରାଜ୍ୟର ମିଶ୍ରିତ ଉଦ୍ୟମରେ ପିଜିଆଇ ରିପୋର୍ଟ ପ୍ରସ୍ତୁତ ହୋଇଛି । ଯଦି ଶ୍ରୀ ପାତ୍ରଙ୍କ ସମେତ ଶାସକ ଦଳର ନେତା, ମନ୍ତ୍ରୀ ଓ ବିଧାୟକମାନେ ନଜାଣି ରିପୋର୍ଟ ଉପରେ ତଥ୍ୟ ରଖୁଛନ୍ତି ତାହାଲେ ସେମାନେ ଆସନ୍ତୁ ଆମେ ବୁଝାଇ ଦେବୁ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।

Comments are closed.