Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୦ 

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥ ପଞ୍ଚୁପାଣ୍ଡଵଙ୍କ ସହ ଅନେକ ଲୀଳା କରିଥାନ୍ତି।  ଶିବଚତୃଦଶୀ ଓ ଚନ୍ଦନ ଯାତ୍ରା ବିଷୟରେ ଆମେ ଜାଣିଲେ । ଶ୍ରୀମନ୍ଦିରର ଭଣ୍ଡାର ରକ୍ଷକ ଶ୍ରୀ ଲୋକନାଥଙ୍କ ପରେ ଶ୍ରୀଯମେଶ୍ୱର ହେଉଛନ୍ତି ଶ୍ରୀଜଗନ୍ନାଥଙ୍କ ହିସାବ ରକ୍ଷକ। କିନ୍ତୁ ପ୍ରକୃତରେ ଶ୍ରୀପୁରୁଷୋତ୍ତମ କ୍ଷେତ୍ରରେ ଯମେଶ୍ୱର ଯମଙ୍କ ପ୍ରଭାବ ନଷ୍ଟ କରିଥିବାରୁ ତାଙ୍କନାମ ଯମେଶ୍ୱର ହୋଇଛି। ହରଚଣ୍ଡୀ ସାହିର ଦକ୍ଷିଣଶେଷ ସୀମାରେ ଚଟକ ପାହାଡ଼ ତଳେ ବିଜେ କରିଛନ୍ତି ଶ୍ରୀ ଯମେଶ୍ୱର। ସେହିପରି ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ଶ୍ରୀକପାଳ ମୋଚନ ବିରାଜମାନ କରିଛନ୍ତି।

ଏକ ରୋଚକ କିମ୍ବଦନ୍ତୀ ଅନୁସାରେ “କ୍ରୋଧ ଜର୍ଜରିତ ଶିବଙ୍କ ଚାପଡା ମାଡ଼ରେ ବ୍ରହ୍ମାଙ୍କ ପଞ୍ଚମ ଶୀରଟି ଛିଡିଯାଇ ଶିବଙ୍କ ପାପୁଲିରେ ଲାଗିରହିଲା। ବ୍ରହ୍ମlଣ୍ଡ ସାରା ଘୁରି ବୁଲିଲେ। ମୁଣ୍ଡଟି ଖସିଲାନି । ଶେଷରେ ଶ୍ରୀକ୍ଷେତ୍ରରେ ସେହି ଶୀରଟି ପଡିଯିବାଯୋଗୁ “କପାଳ ମୋଚନ “ନାମ ହେଲା ଓ ଦର୍ଶନ ମାତ୍ରେ ବ୍ରହ୍ମହତ୍ୟା ପାପ ନାଶ ହୁଏ । ଆହୁରି ଜନସ୍ମୃତି କହେ ଶ୍ରୀ କପାଳ ମୋଚନ ମହାଦେବ ମନ୍ଦିରରେ ପୂଜା ପାଉଥିବା ଶ୍ରୀଗଣେଶଙ୍କୁ ପୂଜା କରାଯାଇ ଶ୍ରୀମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା । ସେହିପରି ଶ୍ରୀବିଗ୍ରହମାନଙ୍କ ନିର୍ମାଣ ପୂର୍ବରୁ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ନିକଟରେ ଶ୍ରୀ ନୀଳକଣ୍ଠ ମହାଦେବଙ୍କ ପ୍ରତିଷ୍ଠା ହୋଇଛି। କୁହାଯାଏ ଶଙ୍ଖକ୍ଷେତ୍ରର ଅଗ୍ରଭାଗରେ ଶ୍ରୀ ନୀଳକଣ୍ଠଙ୍କୁ ରଖାଯାଇ ଏହି କ୍ଷେତ୍ରର ପରିକଳ୍ପନା କରାଯାଏ।

ଶ୍ରୀମନ୍ଦିରର ଏକ ବିଶେଷ ପରମ୍ପରା ହେଲା ଅମାବାସ୍ୟା ତିଥିରେ ଶ୍ରୀଜଗନ୍ନାଥଙ୍କ ବିଜେ ପ୍ରତିମାଙ୍କ ସମୁଦ୍ର ସ୍ନାନ ଓ ଶ୍ରୀ ଯମେଶ୍ୱର ଦର୍ଶନ। ଏହାର ତାତ୍ପର୍ଯ୍ୟ ହେଲା ଅମାବାସ୍ୟାରେ ଚନ୍ଦ୍ରଙ୍କ ମୃତ୍ୟୁ ହେତୁ ମାସର ମଧ୍ୟ ମୃତ୍ୟୁ ହୁଏ। କିନ୍ତୁ ଶ୍ରୀ ଯମେଶ୍ୱରଙ୍କ ଦର୍ଶନ ମୃତ୍ୟୁ ଭୟ ଦୂର କରିଥାଏ। ସେ ଯାହା ହେଉ ହରିହର ଉପାସନାର କ୍ଷେତ୍ର ଭାବେ ପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ଅନେକ ଶିବ ମନ୍ଦିର ଥିଲେ ମଧ୍ୟ ଶ୍ରୀମନ୍ଦିର ରୀତିନୀତି ସହ ଜଡିତ ପାଞ୍ଚ ମହାଦେବଙ୍କ କଥା ଆଲୋଚନା କଲେ। ଶେଷରେ ଏହି ହରି ହର ଉଭୟଙ୍କୁ ପ୍ରଣିପାତ କରି ସ୍ତୁତି କରିବା :

ଦେଶିତଂ ଲୋକନାଥେସ୍ତୁ ଜ୍ଞାନ ମତ୍ୟଭୂତଂ ପରମ, ସିଦ୍ଧିଦଂ ଜନ୍ମନୀହୈବ ସର୍ବବୁଦ୍ଧମୟଂ ଶିବମ । “

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.