Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୦୭ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଭୈରବ ଓ ମା ବିମଳାଙ୍କୁ ଭୈରବୀ ବୋଲି ବିବେଚନା କରି ଶ୍ରୀପୀଠକୁ ମହାପୀଠ ରୂପେ ପ୍ରମାଣ କରାଯାଇଛି। ଶାସ୍ତ୍ର ମତରେ
“ଉତ୍କଳେ ନାଭିଦେଶଶ୍ଚ, ବିରଜା କ୍ଷେତ୍ର ମୁଚ୍ୟତେ, ବିମଳା ସା ମହା ଦେବୀ, ଜଗନ୍ନାଥସ୍ତୁ ଭୈରବ ।” (ମହାପୀଠ ନିରୂପଣ ଶାସ୍ତ୍ର )। ସବୁ ଶକ୍ତି ପୀଠର କ୍ଷେତ୍ରଜ୍ଞ ମାତୃ ରୂପୀ ଶକ୍ତି ହୋଇଥିବା ବେଳେ ଶ୍ରୀପୀଠର କ୍ଷେତ୍ରଜ୍ଞ ହେଉଛନ୍ତି ଶ୍ରୀଜଗନ୍ନାଥ। ନାଭି କ୍ଷେତ୍ରର କ୍ଷେତ୍ରଜ୍ଞ ହେଲେ ମା ବିରଜା। ସେଭଳି ତନ୍ତ୍ର ଶାସ୍ତ୍ର ଅନୁସାରେ ଶ୍ରୀକ୍ଷେତ୍ରରେ କ୍ଷେତ୍ରଜ୍ଞ ମା ବିମଳା ହେବା କଥା। କିନ୍ତୁ ଏଠାରେ ପରାଭାବାତ୍ମିକl ଶକ୍ତିଙ୍କର ସ୍ପନ୍ଦିତ ବ୍ରହ୍ମଭାବକୁ ବିଚାରକୁ ନେଇ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ମଧ୍ୟ ସର୍ବଶକ୍ତିର ଆଧାର ବିବେଚନାରେ କ୍ଷେତ୍ରଜ୍ଞ ବା କ୍ଷେତ୍ର ନାୟକ ଭାବେ ଅଭିହିତ କରାଯାଇଛି। ଏହା ହିଁ ତ ଶ୍ରୀଜଗନ୍ନାଥ ତତ୍ତ୍ୱର ବିଶେଷତ୍ୱ। ସ୍କନ୍ଦ ପୁରାଣ ମଧ୍ୟ ଏହି କଥାର ପ୍ରମାଣ ଦିଏ ସୁଭଦ୍ରିକା ପରାଶକ୍ତି, ଭୈରବୀ ବିମଳା ତଥା ଶ୍ରୀଚକ୍ର ଅଧିଷ୍ଠିତେ ପୀଠେ ମାଧଵଃ କ୍ଷେତ୍ରନାୟକଃ । ” ଅର୍ଥାତ ମା ସୁଭଦ୍ରା ହେଲେ ପରାଶକ୍ତି, ମା ବିମଳା ହେଲେ ଭୈରବୀ। କିନ୍ତୁ ଶ୍ରୀଚକ୍ରରେ ପ୍ରତିଷ୍ଠିତ ପୀଠରେ କ୍ଷେତ୍ର ନାୟକ ହେଲେ ମାଧବ (ଶ୍ରୀଜଗନ୍ନାଥ )। ଏଠାରେ ପ୍ରଭୁଙ୍କର ମାଧବ ସ୍ୱରୂପ କୁ ପ୍ରାଧାନ୍ୟ ଦେବାର ଉଦ୍ଦେଶ୍ୟ ହେଲା ମାତୃ ଶକ୍ତିର ଅବତାରଣା କରିବା। ସେଥିପାଇଁ ତ ଶାରଦୀୟ ପୂଜା ଅବସରରେ ଶ୍ରୀମନ୍ଦିରରରେ “ଦୁର୍ଗା ମାଧବ “ଉପାସନା ଦେଖିବାକୁ ମିଳେ. ରତ୍ନବେଦୀରେ ସପ୍ତାଭରଣ ମୂର୍ତ୍ତିଙ୍କ ମଧ୍ୟରେ ସ୍ୱୟଂ ଜଗନ୍ନାଥ ସ୍ୱରୂପ ଛୋଟ ଦାରୁ ମୂର୍ତ୍ତି ହିଁ ମାଧବ ରୂପେ ପୂଜିତ ହୁଅନ୍ତି । ଅନ୍ୟ ଭାବରେ ଦେଖିଲେ “ମlତୁଃ ଧବ ଇତି ମାଧବ । “

ଏଠାରେ ମାଙ୍କ ଧବ ବା ପ୍ରଭୁ (ଇଷ୍ଠ )ରୂପେ ବିଚାର କଲେ ପ୍ରଭୁଙ୍କର ମାତୃ ରୂପ ଯେ ଜଗତ ପାଳନକାରିଣୀ, ରକ୍ଷାକର୍ତ୍ତୀ ।ତାଙ୍କର ଇଷ୍ଠ ରୂପ ଅର୍ଥାତ ସ୍ୱୟଂ ଶ୍ରୀଜଗନ୍ନାଥ। ଏହି ଭାବରେ ଶ୍ରୀଜଗନ୍ନାଥ ହିଁ କେବଳ କ୍ଷେତ୍ରଜ୍ଞ ଏହାକୁ ଅସ୍ବୀକାର କରାଯାଇ ପାରେନା। ଏହି ଦୃଷ୍ଟିରେ ମଧ୍ୟ ଲଷ୍ମୀ(ଶ୍ରୀ ), ମାଧବ, ଦୁର୍ଗା, ବିମଳା ଅବା ଭୈରବ ଓ ଭୈରବୀ ନାମତ୍ମକ ଶବ୍ଦ ଅଲଗା ଅଲଗା ଲାଗୁଥିଲେ ମଧ୍ୟ ତତ୍ତ୍ୱତଃ ଅଭିନ୍ନ ଓ ଏକ ଭାବର ପରିଚାରକ। ଯେଭଳି ବୈଷ୍ଣବ ମତରେ ଆମେ ଲଷ୍ମୀ ନାରାୟଣ (ବିଷ୍ଣୁ )ଙ୍କୁ ପ୍ରାଧାନ୍ୟ ଦେବା ବେଳେ, ଶାକ୍ତ ମତ (ତନ୍ତ୍ର ମତ )ରେ ଭୈରବ (ଶ୍ରୀଜଗନ୍ନାଥ )ଓ ଭୈରବୀ (ମା ବିମଳା )ଙ୍କୁ ପ୍ରାଧାନ୍ୟ ଦେଉଛେ। ପରମାତ୍ମା ତତ୍ତ୍ୱ ବିଚାରରେ ଏକତ୍ବର ଅନେକତ୍ୱ ଭାବ ହିଁ ଏହି ସବୁ ବିଚାରଧାରାକୁ ବିଭିନ୍ନ ମତ ଓ ପଥ ହିସାବରେ ପରିଗଣିତ କରାଇଛି। ଏହା ହିଁ ପ୍ରକୃତ ବ୍ରହ୍ମ ଜ୍ଞାନ, ଏହାର ଉପଲବ୍ଧି ବିନା ସାଧକ ବିଭିନ୍ନ ମତରେ ଛନ୍ଦି ହେଉଥାଏ। ମହାନିର୍ବାଣ ତନ୍ତ୍ର କହେ “ବ୍ରହ୍ମ ଭାବେ ନ ତତ୍ତ୍ୱଜ୍ଞ ଯେ ପଶ୍ୟନ୍ତି ଚରାଚରମ, ତେଷlମ ତତ୍ତ୍ୱ ବିଦଂ ପୁଂସା, ତତ୍ତ୍ୱ ଚକ୍ରେ ଅଧିକାରୀତଃ ।” କେବଳ ବ୍ରହ୍ମଜ୍ଞାନି ହିଁ ସମସ୍ତ ଚରାଚରକୁ ଏକ ଓ ଅଭିନ୍ନ ଭାବରେ ବିବେଚନା କରି ଚକ୍ରପ୍ରବେଶ ବା ସାଧନା ର ଅଧିକାରୀ ହୁଅନ୍ତି। ଆଗକୁ ଷଢ଼ଚକ୍ର ପ୍ରବେଶର କଥା ଜାଣିବା, ଏବେ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଆରାଧନା କରିବା ଉଭୟ ଭୈରବୀ ଓ ଭୈରବ ଜ୍ଞାନରେ।

“ଦାରୁବ୍ରହ୍ମ ନିରାକlରଂ ନିର୍ଗୁଣ ନିର୍ବିକାରକମ, ନିଶ୍ଚେଷ୍ଟଂ ସର୍ବୋତୋବ୍ୟାପ୍ତଂ ଭାବlଭାବ ବିବର୍ଜିତମ (ନୀଳାଦ୍ରି ମହୋଦୟ )
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.