ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୦
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥ କେବଳ ସମନ୍ୱୟର ବିଗ୍ରହ ନୁହନ୍ତି । ସେ ସମନ୍ୱୟର ଅଥଳ ସାଗର, ମତ, ପଥ, ଧର୍ମ, ଧାରଣା, ସିଦ୍ଧାନ୍ତ, ସଂସ୍କୃତି, ସମ୍ପ୍ରଦାୟ, ଇତ୍ୟାଦି ସମସ୍ତ ଧାରା ସେ ସାଗରରେ ଲୀନ ହୋଇଯାଇଛନ୍ତି। କେବଳ ଲୀନ ହୋଇ ନାହାନ୍ତି ନିଜର ସମସ୍ତ ସତ୍ତା ହରେଇ ଶ୍ରୀଜଗନ୍ନାଥ ସଂସ୍କୃତିକୁ କରିଛନ୍ତି ମହନୀୟ। ସେଥିପାଇଁ ସର୍ବ ସତ୍ତାର ସତ୍ୱାଧlର ଶ୍ରୀଜଗନ୍ନାଥ ନିଶ୍ଚିତ ଭାବେ ସର୍ବାଶ୍ଚର୍ଯ୍ୟ ବିଗ୍ରହ ବୋଲି ମାନିବାକୁ ପଡିବ। ଏହାର ବିଶ୍ଳେଷଣର ବାଟ ଖୋଜି ଅନେକ ଜ୍ଞାନୀ ଗୁଣୀ ବାଟବଣା ହୋଇଛନ୍ତି ଓ ଶେଷରେ ନିଜକୁ ସମର୍ପଣ କରି ଲଭିଛନ୍ତି ଅଖଣ୍ଡ ଆନନ୍ଦ । ଶ୍ରୀଜଗନ୍ନାଥ କେତେବେଳେ ନିର୍ଗୁଣ, କେତେବେଳେ ସୁଗୁଣ, କେତେବେଳେସମ୍ପୂର୍ଣ୍ଣ ପୁଣି କେତେବେଳେ ଅପୂର୍ଣ୍ଣ । ସେହିପରି କେବେ ଚେତନ ତ କେବେ ଅବଚେତନ ଅବସ୍ଥାରେ ପ୍ରତୀୟମାନ ।
ମୋଟା ମୋଟି ଦେଖିବାକୁ ଗଲେ ଅଶେଷ ମାତବାଦର ସମନ୍ୱୟ ହେଲା ଏହି ଶ୍ରୀଜଗନ୍ନାଥ ତତ୍ତ୍ୱ । ଏଠି ତତ୍ତ୍ୱର ମହିମା ଯେତିକି, ଭାବ ଭକ୍ତିର ପରାକାଷ୍ଠା ମଧ୍ୟ ସେତିକି । ନିହାତି ଅଜ୍ଞାନୀ ମଧ୍ୟ ଏଠାରେ ନିଜ ଭାବ ଭକ୍ତି ଦ୍ୱାରା ପ୍ରଭୁଙ୍କର ସାନିଧ୍ୟ ପାଇଥାନ୍ତି । ଅଥଚ ସମଦୃଷ୍ଟି ସମ୍ପନ୍ନ ପଣ୍ଡିତମାନେ ମଧ୍ୟ ତତ୍ତ୍ୱ ଆଲୋଚନା କରି କରି ଥକି ପଡନ୍ତି। କିନ୍ତୁ ସର୍ବୋତ ଭାବେ ବୁଝି ପାରନ୍ତିନି ଶ୍ରୀଜଗନ୍ନାଥଙ୍କୁ। କେତେବେଳେ ପ୍ରବଳ ପରାକ୍ରମୀ ଗଜପତିମାନେ, ନିଜ ପ୍ରଭୁଙ୍କୁ ରାଜାର ଆସନ ଦେଇ, ନିଜକୁ ରାଉତ ସଜାନ୍ତି। ପୁଣି କେତେବେଳେ ନିର୍ଦ୍ଧନୀ ଭକ୍ତଟିଏକୁ ଆପଣାର କରି ଶ୍ରୀଜଗନ୍ନାଥ ଭାବର ରାଜା କରିଦିଅନ୍ତି । ଆଜି ବିଶ୍ୱ ସଂସ୍କୃତିରେ ଦେଖାଦେଇଥିବା ବୈଷମ୍ୟ ଭାବ କେବଳ ଶ୍ରୀଜଗନ୍ନାଥ ସଂସ୍କୃତିର ଏହି ସାମ୍ୟବାଦୀ ଚିନ୍ତାଧାରା ଦ୍ୱାରା ସମାଧାନ କରାଯାଇ ପାରିବ। ଶ୍ରୀଜଗନ୍ନାଥ ସଂସ୍କୃତି ଦ୍ୱାରା କରାଯାଉଥିବା, ପୂଜା, ସେବା, ନୀତି କାନ୍ତି, ସର୍ବୋପରି “ମହାପ୍ରସାଦ “ସେବନର ପରମ୍ପରାରେ ଯେଉଁ ସମନ୍ଵୟ ଭାବ, ବା ବୈଷମ୍ୟର ବିଲୋପ କରାଯାଇଛି ତାହା ହିଁ ସଠିକ ସାମ୍ୟବାଦୀ ଚିନ୍ତାଧାରା ବୋଲି ଧରିବାକୁ ପଡିବ। ଏଭଳି ପ୍ରମାଣ ସାରା ଜଗତରେ ବିରଳ ଓ ସାରା ଜଗତ । ତେଣୁ ଏହା ପ୍ରତି ଆକୃଷ୍ଟ। ଯେଭଳି ଭାବରେ ପାଶ୍ଚାତ୍ୟ ସଭ୍ୟତା ର ପରିପନ୍ଥୀ ମାନେ ଶ୍ରୀଜଗନ୍ନାଥ ସଂସ୍କୃତି କୁ ଆପଣାର କଲେଣି, ଆଉ ବେଶୀଦିନ ନୁହେଁ ସାରା ସଂସାର ଏବେ ଖୋଜିବ ଶ୍ରୀଜଗନ୍ନାଥଙ୍କୁ। ପ୍ରାୟତଃ ସବୁ ମହାଦେଶରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା, ରଥଯାତ୍ରାର ପ୍ରଚଳନ ଏହାର ପ୍ରକୃଷ୍ଠ ଉଧାରଣ। ଭିନ୍ନ ଭିନ୍ନ ଦେଶୀମାନେ ଯେଉଁ ବ୍ୟାକୁଳତାରେ ଶ୍ରୀଜଗନ୍ନାଥଙ୍କ ଭଜନ କୀର୍ତ୍ତନ କରୁଛନ୍ତି ତାହା ଭାବ ନୁହେଁ ତ ଆଉ କଣ? ଆସନ୍ତୁ ତେବେ ଆମେ ଆପଣାର ଠାକୁରଙ୍କୁ ଅନ୍ତର ଖୋଲି ଡାକିବା “ଆହେ ଜଗନ୍ନାଥ” ଆଉ ଗାଇବା ଉପନିଷଦ ।
“ବେଦାହ ମେତଂ ପୁରୁଷଂ ମହାନ୍ତ ମlଦିତ୍ୟ ବର୍ଣଂ
ତମଶଃ ପରସ୍ତlତ ତମେବ ବିଦିତ୍ୟାତି ମୃତ୍ୟୁ ମେତିନାନ୍ୟ
ପନ୍ଥା ବିଦ୍ୟତେଅୟ ନ୍ୟାୟ । “
ଅର୍ଥାତ ସେହି ପୁରୁଷୋତ୍ତମ ହିଁ ଜଗତ ପିତା ଓ଼ ଅନନ୍ତ ରୂପlତ୍ମକ ଆଦିତ୍ୟ ମଣ୍ଡଳରେ ସେହି ହିରଣ୍ମୟ ପୁରୁଷ। ସେହି ପୁରୁଷୋତ୍ତମ ତତ୍ତ୍ୱ ନିତ୍ୟ, ଅଚିନ୍ତ୍ୟ, ଅପ୍ରାକୃତ ।
ଜୟ ଜଗନ୍ନାଥ (ଦ. ତ୍ରୀ ଉବାଚ )
Comments are closed.