ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୬୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ଶରଣ ରକ୍ଷଣ ମହାବାହୁ ବୋଲି ଆମ୍ଭେମାନେ କହିଥାଉ। ଅର୍ଥାତ ଯିଏ (ଭକ୍ତ )ତାଙ୍କର ଶରଣ ନିଏ, ତାକୁ ଶ୍ରୀଜଗନ୍ନାଥ ନିଶ୍ଚୟ ରକ୍ଷା କରନ୍ତି। ଏଠାରେ ପ୍ରଶ୍ନ ଉଠେ କେବଳ ମୁହଁରେ ଉଚ୍ଚାରଣ କରିଦେଲେ କ’ଣ ଶରଣ ମିଳିଯାଏ? ନା, ଏହା ଠିକ ନୁହେଁ, କାରଣ ପ୍ରତିଦିନ ଅନେକ ଦର୍ଶନାର୍ଥୀ ସାମୟିକ ଭାବରେ ଭାବ ବିହ୍ଵଳ ହୋଇ କହିଥାନ୍ତି “ହେ ମହାବାହୁ ମୋତେ ଶରଣ ଦିଅ, ତୁମ ବିସ୍ତାରିତ ଭୁଜ ତଳେ ମୋତେ ରଖ।” ଅବା ନିଜର ଦୁଃଖ ନିବାରଣ ଆଶା ନେଇ କେହି କେହି ଡାକନ୍ତି “ହେ ଦୀନବନ୍ଧୁ ମୋତେ ଶରଣକୁ ନେଇ ମୋର ଦୁଃଖ ନିବାରଣ କର।
ମହାପ୍ରଭୁ ଏଭଳି ଡାକ ମଧ୍ୟ ଶୁଣନ୍ତି ଏବଂ ଦୁଃଖ ହରଣ କରି ଆନନ୍ଦ ପ୍ରଦାନ କରନ୍ତି। କାରଣ ଏହା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ସ୍ଵଭାବ, ସେଥିପାଇଁ ସ୍କନ୍ଧ ପୁରାଣ କହେ :
“ଖଣ୍ଡନlତ ସର୍ବ ଦୁଃଖlନାମ ଖଣ୍ଡୀନନ୍ଦଦାନତଃ, ସ୍ଵଭାବ ଦାରୁରୁପଂ ହି ପରଂବ୍ରହ୍ମ ଭିଧୀୟତେ।”
ମନୁଷ୍ୟର ସମସ୍ତ ଦୁଃଖ ଖଣ୍ଡନ କରିବା ଓ ଅଖଣ୍ଡ ଆନନ୍ଦ ଦାନ କରିବା ପ୍ରଭୁଙ୍କର ସ୍ଵଭାବ । କିନ୍ତୁ ମଣିଷର ସ୍ଵଭାବ କଣ? ସାଧାରଣ ଭାବରେ କହିଲେ ସୁଖରେ ପ୍ରଭୁଙ୍କୁ ପାଶୋରି ଦେବା ଓ ଦୁଃଖରେ ପ୍ରଭୁଙ୍କଶରଣ ନେବା। ଏହା ପ୍ରକୃତ ଶରଣାଗତି ନୁହେଁ। ସ୍ଥିରମନ ନେଇ ହୃଦୟରେ ସର୍ବୋତ୍ତ ଭାବେ ଶ୍ରୀଜଗନ୍ନାଥ ଙ୍କୁ ବସାଇ, ତତ୍ତ୍ୱତଃ ଦେହବୋଧରୁ ମୁକ୍ତ ହୋଇ ଆତ୍ମବୋଧ ରେ ପ୍ରତିଷ୍ଠା ଲାଭ କରି ଶରଣ ନେବା ହିଁ ପ୍ରକୃତ ଭଗବତ ଶରଣ ବୋଲି ବିବେଚନା କରାଯାଏ। ଏଥିପାଇଁ ବ୍ୟାପକ ସାଧନା ଲୋଡ଼ା। ଏହି ସାଧନା ଦ୍ୱାରା ଉନ୍ନତତର ଅବସ୍ଥା ପାଇବା ବିଷୟ ସ୍ୱୟଂ ଶ୍ରୀକୃଷ୍ଣ, ଉଦ୍ଧବଙ୍କୁ କହିଛନ୍ତି।
ଶ୍ରୀମଦ ଭାଗବତମ୍ କହେ “ମନ୍ମନସ୍କାମମତପ୍ରାଣl ମଦର୍ଥେ ତ୍ୟକ୍ତ ଦୈହିକା, ଯେ ତ୍ୟକ୍ତ ଲୋକ ଧର୍ମାଶ୍ଚ ମଦର୍ଥେ ତାନ ବିଭର୍ମ୍ୟହମ। “
ଆତ୍ମଭାବରେ ପ୍ରତିଷ୍ଠିତ ହୋଇ, ନିଜର ସମସ୍ତ କର୍ମକୁ ଈଶ୍ୱରାପ୍ରିତ କରି ଯଦି ଆମେ ଶରଣ ନେବା, ତେବେ ପ୍ରଭୁ ଆମ ପାଇଁ କେବଳ ଦୀନବନ୍ଧୁ ନୁହେଁ ପ୍ରାଣବନ୍ଧୁ ହୋଇଯିବେ। ଆସନ୍ତୁ ତେବେ ମହାନ ସନ୍ଥ “ଭୀମ ଭୋଇ “, ଯେକି ଶୂନ୍ୟବାଦୀ ସେ ମଧ୍ୟ କିପରି ପ୍ରଭୁଙ୍କର ଶରଣ ନେଇ ଗାଇଛନ୍ତି, ତାହା ସ୍ମରଣ କରିବା :
“ବେଦ ବଖାଣିଛି ଶାସ୍ତ୍ରରେ ଲିହିଛି ନିୟତ ପ୍ରମାଣ ସତ, ନୀଳାଚଳେ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ।”
ଅନୁସରି ବହୁଦୂରୁ ଆଶା କରି ହୃଦୟ ପଦ୍ମରେ ଚିନ୍ତି, ମୌନରେ ବସି ନାମ ବୋଲଇଲେ ଦାରୁ ପ୍ରତିମା ମୂରତି । ” (ଦ. ତ୍ରୀ. ଉବାଚ )
ଜୟ ଜଗନ୍ନାଥ
Comments are closed.