Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୮୦ 

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ। ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ ଆପଣେଇ ଥାନ୍ତି। ଏଠାରେ ଜଣେ ସାଧାରଣ ମଣିଷ ମନର ପ୍ରଶ୍ନ “ସତରେ କଣ ଶ୍ରୀଜଗନ୍ନାଥ ଏଭଳି ଲୀଳା କରୁଛନ୍ତି ନା ଏହି ମଣିଷ ଯିଏ ତାଙ୍କୁ ଗଢିଛି ଓ ଦେବତା ରୂପେ ପୂଜିବାର ଇଛା କରିଛି ସେହିଁ ଏସବୁ ଲୀଳାର ଅବତାରଣ କରି, ନିଜେ ହିଁ ପାଳନ କରୁଛି?

ଏ ପ୍ରଶ୍ନ ର ଯଥାର୍ଥତା ମଧ୍ୟ ଅଛି। ଯଦି ଆମେ ଶ୍ରୀଜଗନ୍ନାଥଙ୍କୁ କେବଳ ପ୍ରତିମା ବା ବିଗ୍ରହ ଜ୍ଞାନ କରିବା ତେବେ ଉପରୋକ୍ତ ପ୍ରଶ୍ନ ମନରେ ନିଶ୍ଚୟ ଆସିବ। କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଅନେକ ଥର ଆଲୋଚନା କରିଛି ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମ ସତ୍ତା ବିଷୟରେ ଅଥବା ପରମାତ୍ମା ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ଅଂଶ ଆତ୍ମା ରୂପେ ଆମ ସଭିଙ୍କ ନିକଟରେ ବିରାଜିତ ଅଛନ୍ତି। ଶ୍ରୀମଦ ଭଗବତ ଗୀତା କହେ :

“ସମୋହଂ ସର୍ବଭୂତେଷୁ ନମେ ଦ୍ୱେଷ୍ୟୋଅସ୍ତି ନ ପ୍ରିୟଃ, ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ “(ଗୀତା ୯ /୨୯ ) ।

ଅର୍ଥାତ ମୁଁ ସକଳ ଭୁତଙ୍କଠାରେ ସମଭାବରେ ବ୍ୟାପ୍ତ। ମୋର କେହି ଅପ୍ରିୟ ନୁହଁନ୍ତି କି କେହି ପ୍ରିୟ ନୁହଁନ୍ତି (ସମଦୃଷ୍ଟି )।କିନ୍ତୁ ଯେଉଁ ଭକ୍ତ ମାନେ ମୋତେ ପ୍ରେମ ଭକ୍ତିରେ ଭଜନ୍ତି ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରକଟ ହୋଇଥାଏ। ସେମାନେ ମଧ୍ୟ ମୋଠାରେ ପ୍ରକଟ ହୁଅନ୍ତି। ଏହାହିଁ ଆତ୍ମ ଚେତନା। ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ ବିଲକ୍ଷଣ ଯୁକ୍ତ ବିଗ୍ରହ, ଏହା ସାଧାରଣ ଭାବରେ ଦେଖିଲେ ପ୍ରଭୁଙ୍କର ଅଧାଗଢ଼ା ପ୍ରତିମା ହିଁ ମନକୁ ଆସେ। କିନ୍ତୁ ସୁକ୍ଷ୍ମ ଭାବରେ ଚିନ୍ତା କଲେ, ଏହା ଅନେକ ବିଶେଷ ଗୁଣ ଯୁକ୍ତ (ବିଲକ୍ଷଣ )ସତ୍ତା ବୋଲି ପ୍ରତୀତ ହୁଅନ୍ତି। ଆମର ବୁଦ୍ଧି ଓ ଦୃଷ୍ଟି ଯଦି ସ୍ଥୁଳ ତେବେ ଆମେ କେବଳ ବିଗ୍ରହ ଦର୍ଶନ ହିଁ କରିବା। ସେହିପରି ଆମର ଦୃଷ୍ଟି ଓ ବୁଦ୍ଧି ଯଦି ସୁକ୍ଷ୍ମ ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ବିଚକ୍ଷଣ ଗୁଣ ଆମେ ଅନୁଭବ କରିପାରିବା। କାରଣ ସମସ୍ତ ଇନ୍ଦ୍ରିୟମାନଙ୍କ ଗୁଣର ଆଭାସ ପ୍ରଭୁଙ୍କଠାରେ ଆରୋପିତ ହୋଇଛି। କିନ୍ତୁ ଇନ୍ଦ୍ରିୟ ଗୁଡିକ ନାହିଁ ବା ବିବର୍ଜିତ ହୋଇଛି। ଗୀତା କହେ : “ସର୍ବ ଇନ୍ଦ୍ରିୟ ଗୁଣାଭାଷମ, ସର୍ବ ଇନ୍ଦ୍ରିୟ ବିବର୍ଜିତମ। “

ଲୌକିକ ଭାବରେ ଆମେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଟିକିଏ ଭଲରେ ପାଇଗଲେ, ଆତ୍ମ ସନ୍ତୋଷରେ କହିଥାଉ ଆଜି ପ୍ରଭୁ କୃପାରୁ ଖୋଲା ଦର୍ଶନ ହେଲା। କିନ୍ତୁ ଏହା କଣ ପ୍ରକୃତ ଦର୍ଶନ? ଏହା କେବଳ ପ୍ରତିମା ଦର୍ଶନ, ଆତ୍ମ ଦର୍ଶନ ନୁହେଁ।

ଭକ୍ତ ଦାସିଆଙ୍କ କଥା ବିଚାର କରାଯାଉ, ଧଳା ଜାଉ ଉପରେ କଳା ଶାଗ ଭଜା ଦେଖି ସେ କଣ ପାଇଁ ପାଗଳ ପ୍ରାୟ ନାଚିଲେ, ଆଉ ଗାଇଲେ ଜଗନ୍ନାଥ ନାମ। କାରଣ ତାଙ୍କର ବ୍ରହ୍ମ ଦର୍ଶନ ହୋଇଥିଲ। ସେହି ପେଜ ଓ ଶାଗର ଆକୃତି ଭିତରେ ସେ ଦେଖି ଥିଲେ ଚକାଡୋଳାଙ୍କୁ ଦାଢ୍ୟତା ଭକ୍ତିର ଉକ୍ତି “ସାକ୍ଷାତ ପଦ୍ମ ଡୋଳା ଏହି, ଗୋଳି କି ରୂପେ ଖାଇବଇଁ “

ଆଗକୁ ଆହୁରି ସୁକ୍ଷ୍ମ ଦର୍ଶନର କଥା ଆଲୋଚନା କରିବା। ଆଜି କିନ୍ତୁ ସେହି ସ୍ଥୁଳ, ବିଶେଷ ଲକ୍ଷଣ ଯୁକ୍ତ ସୁନ୍ଦର ମୂର୍ତ୍ତିଙ୍କୁ ଚିନ୍ତା କରି କବି ଦୀନକୃଷ୍ଣ ଦାସଙ୍କ ପରି ଗାଇବା ବା ଭଜିବା :

“ଜୟ ଜୟ ଜଗନ୍ନାଥ ନୀଳଗିରି ପତି
ଅଭିନଵ ଜଳଧର ସୁନ୍ଦର ମୂରତି ହେ ।” (ଦ. ତ୍ରୀ. ଉବାଚ )

ଜୟ ଜଗନ୍ନାଥ,

Comments are closed, but trackbacks and pingbacks are open.