ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୫
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପୁରୁଷୋତ୍ତମ ଶ୍ରୀଜଗନ୍ନାଥ, ଅଦ୍ଵିତୀୟ ଓ ଅନନ୍ୟ ମାନବବାଦର ପ୍ରତୀକ. ସମସ୍ତ ବିଲକ୍ଷଣ ଯୁକ୍ତ କଳେବର ଧାରଣ କରି ସେ ସାଧାରଣ ମାନବଟିଏ ଭଳି ସମସ୍ତ ରୀତିନୀତି, ସଂସ୍କୃତି ତଥା ପରମ୍ପରାକୁ ଆପଣେଇ ଥାନ୍ତି । ଏଠାରେ ଜଣେ ସାଧାରଣ ମଣିଷ ମନର ପ୍ରଶ୍ନ “ସତରେ କଣ ଶ୍ରୀଜଗନ୍ନାଥ ଏଭଳି ଲୀଳା କରୁଛନ୍ତି ନା ଏହି ମଣିଷ ଯିଏ ତାଙ୍କୁ ଗଢିଛି ଓ ଦେବତା ରୂପେ ପୂଜିବାର ଇଛା କରିଛି ସେହିଁ ଏସବୁ ଲୀଳାର ଅବତାରଣ କରି, ନିଜେ ହିଁ ପାଳନ କରୁଛି?
ଏ ପ୍ରଶ୍ନର ଯଥାର୍ଥତା ମଧ୍ୟ ଅଛି । ଯଦି ଆମେ ଶ୍ରୀଜଗନ୍ନାଥଙ୍କୁ କେବଳ ପ୍ରତିମା ବା ବିଗ୍ରହ ଜ୍ଞାନ କରିବା ତେବେ ଉପରୋକ୍ତ ପ୍ରଶ୍ନ ମନରେ ନିଶ୍ଚୟ ଆସିବ । କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ ଅନେକ ଥର ଆଲୋଚନା କରିଛି ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମ ସତ୍ତା ବିଷୟରେ ଅଥବା ପରମାତ୍ମା ସ୍ୱରୂପ ଶ୍ରୀଜଗନ୍ନାଥଙ୍କ ଅଂଶ ଆତ୍ମା ରୂପେ ଆମ ସଭିଙ୍କ ନିକଟରେ ବିରାଜିତ ଅଛନ୍ତି । ଶ୍ରୀମଦ ଭଗବତ ଗୀତା କହେ :
“ସମୋହଂ ସର୍ବଭୂତେଷୁ ନମେ ଦ୍ୱେଷ୍ୟୋଅସ୍ତି ନ ପ୍ରିୟଃ, ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା ମୟି ତେ ତେଷୁ ଚାପ୍ୟହମ “(ଗୀତା ୯ /୨୯ ) । ଅର୍ଥାତ ମୁଁ ସକଳ ଭୁତଙ୍କଠାରେ ସମଭାବରେ ବ୍ୟାପ୍ତ । ମୋର କେହି ଅପ୍ରିୟ ନୁହଁନ୍ତି କି କେହି ପ୍ରିୟ ନୁହଁନ୍ତି (ସମଦୃଷ୍ଟି ) । କିନ୍ତୁ ଯେଉଁ ଭକ୍ତମାନେ ମୋତେ ପ୍ରେମ ଭକ୍ତିରେ ଭଜନ୍ତି । ମୁଁ ସେମାନଙ୍କ ମଧ୍ୟରେ ପ୍ରତ୍ୟକ୍ଷ ପ୍ରକଟ ହୋଇଥାଏ । ସେମାନେ ମଧ୍ୟ ମୋଠାରେ ପ୍ରକଟ ହୁଅନ୍ତି । ଏହାହିଁ ଆତ୍ମ ଚେତନା । ପ୍ରଥମେ ଆଲୋଚନା ଆରମ୍ଭ କରିଥିଲେ ବିଲକ୍ଷଣ ଯୁକ୍ତ ବିଗ୍ରହ । ଏହା ସାଧାରଣ ଭାବରେ ଦେଖିଲେ ପ୍ରଭୁଙ୍କର ଅଧାଗଢ଼ା ପ୍ରତିମା ହିଁ ମନକୁ ଆସେ । କିନ୍ତୁ ସୁକ୍ଷ୍ମ ଭାବରେ ଚିନ୍ତା କଲେ, ଏହା ଅନେକ ବିଶେଷ ଗୁଣ ଯୁକ୍ତ (ବିଲକ୍ଷଣ )ସତ୍ତା ବୋଲି ପ୍ରତୀତ ହୁଅନ୍ତି । ଆମର ବୁଦ୍ଧି ଓ ଦୃଷ୍ଟି ଯଦି ସ୍ଥୁଳ ତେବେ ଆମେ କେବଳ ବିଗ୍ରହ ଦର୍ଶନ ହିଁ କରିବା । ସେହିପରି ଆମର ଦୃଷ୍ଟି ଓ ବୁଦ୍ଧି ଯଦି ସୁକ୍ଷ୍ମ ତେବେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମସ୍ତ ବିଚକ୍ଷଣ ଗୁଣ ଆମେ ଅନୁଭବ କରିପାରିବା । କାରଣ ସମସ୍ତ ଇନ୍ଦ୍ରିୟମାନଙ୍କ ଗୁଣର ଆଭାସ ପ୍ରଭୁଙ୍କଠାରେ ଆରୋପିତ ହୋଇଛି । କିନ୍ତୁ ଇନ୍ଦ୍ରିୟ ଗୁଡିକ ନାହିଁ ବା ବିବର୍ଜିତ ହୋଇଛି । ଗୀତା କହେ
“ସର୍ବ ଇନ୍ଦ୍ରିୟ ଗୁଣାଭାଷମ, ସର୍ବ ଇନ୍ଦ୍ରିୟ ବିବର୍ଜିତମ । “
ଲୌକିକ ଭାବରେ ଆମେ ଶ୍ରୀମନ୍ଦିର ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଟିକିଏ ଭଲରେ ପାଇଗଲେ, ଆତ୍ମ ସନ୍ତୋଷରେ କହିଥାଉ ଆଜି ପ୍ରଭୁ କୃପାରୁ ଖୋଲା ଦର୍ଶନ ହେଲା । କିନ୍ତୁ ଏହା କଣ ପ୍ରକୃତ ଦର୍ଶନ ? ଏହା କେବଳ ପ୍ରତିମା ଦର୍ଶନ ; ଆତ୍ମ ଦର୍ଶନ ନୁହେଁ । ଭକ୍ତ ଦାସିଆଙ୍କ କଥା ବିଚାର କରାଯାଉ, ଧଳା ଜାଉ ଉପରେ କଳା ଶାଗ ଭଜା ଦେଖି ସେ କଣ ପାଇଁ ପାଗଳ ପ୍ରାୟ ନାଚିଲେ, ଆଉ ଗାଇଲେ ଜଗନ୍ନାଥ ନାମ । କାରଣ ତାଙ୍କର ବ୍ରହ୍ମ ଦର୍ଶନ ହୋଇଥିଲା । ସେହି ପେଜ ଓ ଶାଗର ଆକୃତି ଭିତରେ ସେ ଦେଖି ଥିଲେ ଚକାଡୋଳାଙ୍କୁ । ଦାଢ୍ୟତା ଭକ୍ତିର ଉକ୍ତି “ସାକ୍ଷାତ ପଦ୍ମ ଡୋଳା ଏହି, ଗୋଳି କି ରୂପେ ଖାଇବଇଁ ।”
ଆଗକୁ ଆହୁରି ସୁକ୍ଷ୍ମ ଦର୍ଶନର କଥା ଆଲୋଚନା କରିବା । ଆଜି କିନ୍ତୁ ସେହି ସ୍ଥୁଳ, ବିଶେଷ ଲକ୍ଷଣ ଯୁକ୍ତ ସୁନ୍ଦର ମୂର୍ତ୍ତିଙ୍କୁ ଚିନ୍ତା କରି କବି ଦୀନକୃଷ୍ଣ ଦାସଙ୍କ ପରି ଗାଇବା ବା ଭଜିବା :
“ଜୟ ଜୟ ଜଗନ୍ନାଥ ନୀଳଗିରି ପତି
ଅଭିନବ ଜଳଧର ସୁନ୍ଦର ମୂରତି ହେ
“ଜୟ ଜଗନ୍ନାଥ, (ଦ. ତ୍ରୀ. ଉବାଚ )
Comments are closed.