Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୯୯

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସହ ଜଡିତ ପାଞ୍ଚ ଗୋଟି ଶିବ ମନ୍ଦିର, ଯାହାକି ପାଞ୍ଚ ପାଣ୍ଡବ ହିସାବରେ ବିବେଚିତ ହୁଅନ୍ତି, ଯଥା :
୧ . ଶ୍ରୀ ଯମେଶ୍ୱର -ଯୁଧିଷ୍ଠିର
୨ . ଶ୍ରୀ ଲୋକନାଥ -ଭୀମ /ଅର୍ଜୁନ
୩ . ଶ୍ରୀ ମାର୍କଣ୍ଡେୟ -ଅର୍ଜୁନ /ଭୀମ
୪ . ଶ୍ରୀ କପାଳମୋଚନ -ନକୁଳ
୫ . ଶ୍ରୀ ନୀଳକଣ୍ଠ -ସହଦେଵ
ଆମେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ର ରକ୍ଷକ ଶ୍ରୀ ଲୋକନାଥ ଠାକୁର ଶିବରାତ୍ରି ଦିନ ଶ୍ରୀ ମନ୍ଦିରରୁ ବାହାରି ଶ୍ରୀଲୋକନାଥ ମନ୍ଦିରକୁ ବିଜେ କରନ୍ତି, ସେଠାରେ ହରିହର ଭେଟ, ଭୋଗ, ବନ୍ଦାପନା ସାରିବା ପରେ ପୁଣି ଶ୍ରୀମନ୍ଦିରକୁ ଫେରି ଆସନ୍ତି।ସେହିପରି ଚନ୍ଦନ ଯାତ୍ରା ସମୟରେ ଏହି ପାଞ୍ଚ ପାଣ୍ଡବଙ୍କ ବିଜେ ମୂର୍ତ୍ତି ସ୍ୱ ସ୍ୱ ବିମାନରେ ବିଜେ କରି ନରେନ୍ଦ୍ରପୁଷ୍କରିଣୀର ଚନ୍ଦନ ଚକଡାକୁ ବିଜେ କରନ୍ତି। ଏଠାରେ ବଡ଼ ଚାପରେ ଶ୍ରୀମନ୍ଦିରରୁ ବିଜେ କରିଥିବା ଶ୍ରୀ ରାମକୃଷ୍ଣଙ୍କ ସହ ଏହି ପାଞ୍ଚପାଣ୍ଡପ ବିଜେ କରନ୍ତି, ଅନ୍ୟ ଏକ ଚାପରେ ମଦନ ମୋହନ, ଶ୍ରୀଦେବୀ, ଓ ଭୁଦେବୀ ବିଜେ କରନ୍ତି। ଚାପ ଉପରେ ପ୍ରସାଦ ଓ ବିଡ଼ିଆ ଲାଗି ମଣୋହି ହୁଏ। ପାଞ୍ଚ ମହାଦେବ ମଧ୍ୟରେ ଅନ୍ୟତମ ଶ୍ରୀ ମାର୍କଣ୍ଡେଶ୍ୱର ଶ୍ରୀମନ୍ଦିର ନିର୍ମାଣ ପୂର୍ବରୁ କଳ୍ପବଟର ବାୟୁ କୋଣରେ ମାର୍କଣ୍ଡେୟ ମହାମୁନିଙ୍କ ଦ୍ୱାରା ପୂଜିତ ବିଷ୍ଣୁଙ୍କ ଦ୍ଵିତୀୟ ତନୁ ହିସାବରେ ପରିଚିତ ମହାଦେବ ମାର୍କଣ୍ଡେଶ୍ୱରଙ୍କ ମହିମା ଅଶେଷ, ଯାହାଙ୍କ ଆଶିଷରେ ମାର୍କଣ୍ଡେୟ ମୁନି ମୁର୍ତ୍ୟୁଞ୍ଜୟି ହୋଇପାରିଥିଲେ। ଏହି ମନ୍ଦିରରେ ଏକ ସ୍ୱତନ୍ତ୍ର ବିଷୟ ଦୃଷ୍ଟି ଗୋଚର ହୁଏ। ସମସ୍ତ ଶିବ ମନ୍ଦିର ଚୂଡ଼ାରେ ତ୍ରିଶୂଳ ଶୋଭା ପାଉଥିବା ସମୟରେ ଏହି ମନ୍ଦିର ଚୂଡ଼ାରେ ଚକ୍ର ସ୍ଥାନ ପାଇଛନ୍ତି। ଯାହା ହରିହର ଉପାସନାର ପ୍ରକୃତ ନିଦର୍ଶନ ଅଟେ।

ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ଶ୍ରେଷ୍ଠ ରାଜା ଚୋଡ଼ଗଙ୍ଗ ଦେବ ଉଭୟ ବିଷ୍ଣୁ (ହରି )ଓ ଶିବ (ହର )ଉପାସକ ଥିଲେ। ସେ ନିଜକୁ ପରମବୈଷ୍ଣବ, ପରମମାହେଶ୍ୱର, ଓ ପରମବ୍ରହ୍ମଣ୍ୟ, ହିସାବରେ ପରିଗଣିତ କରୁଥିଲେ। ହୁଏତ ତାଙ୍କରି ପ୍ରଚେଷ୍ଠାରେ ପୁରୀରେ ହରିହର ଉପାସନା ବିଶେଷ ଆଦୃତ ହୋଇଥିଲା।ଶାସ୍ତ୍ର କହେ ସ୍ୱୟଂ ମାର୍କଣ୍ଡେୟ ମହାମୁନି ଭଗବାନଙ୍କୁ ପାର୍ଥନା କଲେ “ଶିବସ୍ୟାୟତନଂ ଦେବ, କରୋମୀ ପରମଂ ମହତ ପ୍ରତିଷ୍ଠେୟ ତଥା ତତ୍ର ତଵସ୍ଥାନେ ଚ ଶଙ୍କରମ୍ ।” ଅର୍ଥାତ ତୁମ୍ଭ କ୍ଷେତ୍ରରେ ଶିବ ଶଙ୍କରଙ୍କୁ ପ୍ରତିଷ୍ଠା କରି ଶୈବ ଓ ବୈଷ୍ଣବ। ସେମାନଙ୍କ ବିବାଦ ସମାଧାନ ହେବ। ଆଉ ତିନି ପାଣ୍ଡଵଙ୍କ ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା, ବର୍ତ୍ତମାନ ଆରାଧନା ଓ ଭାଗବତ ପାଠ
ମନକୁ ତତ୍ତ୍ୱ ଜ୍ଞାନେ ଆଣି l
ଭକତି ଯୋଗ ପରିମାଣି ll
ମୋ ରୂପ କରି ଉପାସନା l
କୀର୍ତନ ଅର୍ଚ୍ଚନ, ବନ୍ଦନା ll
ମନ ସଂଯମ କରି ହୃଦେ l
ନିଶ୍ଚଳେ ଦେଇ ମୋର ପାଦେ ll

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
ପୁରୀ (୯୪୩୭୦ ୩୭୨୩୦ )

Comments are closed.