ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୪୮
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ ଧରି ବଟ ପତ୍ରରେ ଶୟନ ଓ ପ୍ରଳୟ ଜଳରେ ଭାସି ଆସୁଥିବା ମାର୍କଣ୍ଡେୟ ଋଷିଙ୍କୁ ଉଦ୍ଧାର କରି ନିଜ ଉଦର ମଧ୍ୟରେ ପ୍ରବେଶ କରାଇ ବିଶ୍ୱବ୍ରହ୍ମlଣ୍ଡ ଦର୍ଶନ କରାଇବାର ପୌରାଣିକ ଉପାଖ୍ୟାନ ସହ ବୈଜ୍ଞାନିକ ଚିନ୍ତା ଧାରାର ସାମଞ୍ଜସ୍ୟ ରହିଛି। ସେଥିପାଇଁ ତ ଶ୍ରୀଜଗନ୍ନାଥଙ୍କୁ ପରଂବ୍ରହ୍ମ ରୂପେ ପ୍ରତିପାଦିତ କରି ଆମେ ଆଲୋଚନା ଜାରି ରଖିଛେ। ପୃଥିବୀରେ ସର୍ବପ୍ରଥମ ଜୀବ ସତ୍ତା ଏକକୋଷି ଉଦ୍ଭିଦଟିଏ। କିନ୍ତୁ ଗର୍ଭରେ ତାର ସାରା ସଂସାର ସୃଷ୍ଟି କରିବାର ଉପାଦାନ। ମନେ କରନ୍ତୁ ପ୍ରଳୟରେ ସବୁ ନଷ୍ଟ ହୋଇ କେବଳ ସେହି ଏକ ପ୍ରାଣ ସତ୍ତା ଜୀବିତ ଅଛି। ତେବେ ସେ କିଏ ଶ୍ରୀଜଗନ୍ନାଥଙ୍କ ପ୍ରାଣ ସତ୍ତା ନୁହେଁକି ? ବ୍ରହ୍ମ ତତ୍ତ୍ୱରେ ଆଲୋଚନା କଲେ ଆମେ ଜାଣିବା ବା ଉତ୍ତର ଦେବା “ହଁ ସେ ହିଁ ଶ୍ରୀଜଗନ୍ନାଥଙ୍କ ବାଳମୁକୁନ୍ଦ ରୁପ “। ଚିତ୍ରକାର ର କଳ୍ପନାରେ ବାଳକୃଷ୍ଣ ମୂର୍ତ୍ତି ଧାରଣ କରିଛନ୍ତି। ଯେପରି କବି , ଭାବୁକ, ଭକ୍ତ ଯୋଗୀ, ମୁନି, ଋଷି, ଦାର୍ଶନିକ ପ୍ରତ୍ୟେକ ନିଜ ନିଜ ଚିନ୍ତାଧାରା ଅନୁସାରେ ଶ୍ରୀଜଗନ୍ନାଥଙ୍କୁ ପରିପ୍ରକାଶ କରିଛନ୍ତି। ଭାଗବତର ତ୍ରୟୋଦଶ ସ୍କନ୍ଦ (ଅପ୍ରକାଶିତ )ଦ୍ଵାରକା ଦାସ ଲେଖିଲେ ।
“ନମଇଁ ପରମ ପୁରୁଷ, ନୀଳକନ୍ଦରେ ତୋର ବାସ
ଯୋଗୀଜନ ରଞ୍ଜିବା ପାଇଁ
ନିଶ୍ଚଳେ ବସିଛ ଗୋସାଇଁ
ବ୍ରହ୍ମ ଜ୍ଞାନୀଙ୍କ ଗର୍ବ ଚୁରି
ତେଣୁ ବୋଲାଉ ବ୍ରହ୍ମଚାରି
ଅଷ୍ଟାଙ୍ଗ ଯୋଗ ସାଧିବାରେ
ନିଶ୍ଚଳ ଆତ୍ମା ଲୟେ ଦ୍ୱାରେ।
ଅର୍ଥାତ ଶ୍ରୀଜଗନ୍ନାଥ କେବଳ ବିଗ୍ରହ ନୁହଁନ୍ତି ମହଯୋଗୀ ସ୍ୱରୂପ ଦାର୍ଶନିକଟିଏ ତାଙ୍କୁ ଓଁ କାରର ପ୍ରତ୍ୟେକ ଅକ୍ଷର ମଧ୍ୟରେ ଖୋଜିଲାଣି ଯଥା ଅ -ଉ -ମ। ଅ କୁ ବିଶ୍ୱ, ଉ କୁ ତେଜସ ଓ ମ କୁ ପ୍ରାଜ୍ଞ ରୂପେ ନେଇ ବିଶ୍ୱ ଓ ବିରାଟ ତେଜ ବା ପରଂବ୍ରହ୍ମଙ୍କ ହିରଣ୍ୟ ଗର୍ଭ ମଧ୍ୟରେ ପ୍ରାଜ୍ଞ ରୂପୀ ବ୍ରହ୍ମ ସ୍ୱରୂପର ପ୍ରକାଶ ହିଁ ପରମ ପୁରୁଷ ଶ୍ରୀଜଗନ୍ନାଥଙ୍କ ପ୍ରକୃତ ଉପଲବ୍ଧି । ସ୍କନ୍ଦ ପୁରାଣ କହେ ଶ୍ରୀଜଗନ୍ନାଥ ପ୍ରଣବ ରୂପୀ “ଇତିସ୍ତୁତ୍ଵା ସୁରେଶାନଂ ଦେବଂ ପ୍ରଣବ ରୂପିଣମ୍ ପ୍ରଣତଃ ପ୍ରଣବଂ ମନ୍ତ୍ରଂ ଜଜାପ ପୁରତୋ ହରେ ତ୍ରିମୁର୍ତ୍ତୀର ପରିକଳ୍ପନା ଏହି ଅ -ଉ -ମରୁ ହେଉ ବା ଚତୃଦ୍ଧା ମୂର୍ତ୍ତିଙ୍କ ପରିକଳ୍ପନା” ହରେ କୃଷ୍ଣ “ମହାମନ୍ତ୍ର ର ଚାରି ଅକ୍ଷର କୁ ନେଇ ହେଉ। ପ୍ରତ୍ୟେକ ସ୍ତରରେ ଶ୍ରୀଜଗନ୍ନାଥଙ୍କ ପରଂବ୍ରହ୍ମତ୍ବ ପରିପ୍ରକାଶ ଘଟିଛି, ଆଗକୁ ଜାଣିବା ଆହୁରି ସୁନ୍ଦର ତତ୍ତ୍ୱ ଓ ତଥ୍ୟ, ଏବେ ଆରାଧନାର ସମୟ :
କୋଟି ବ୍ରହ୍ମlଣ୍ଡ ପ୍ରଭୁ ଜଗନ୍ନାଥ
କରନ୍ତି ପୂର୍ଣ୍ଣ ପ୍ରାଣୀ ମନୋରଥ
ଜୟ ଜଗନ୍ନାଥ ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.