ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୬୧
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ନାମ ମାହାତ୍ମ୍ୟ ଆମେ ଏହା କିପରି ଓ କେଉଁଠି କରିବା ସେ ସମ୍ପର୍କରେ ଜାଣିଲେ। ତଥାପି କିଛି ବ୍ୟକ୍ତି ନିଜ ଧନ ଯୌବନ ର ମୋହରେ ମତ୍ତ ହୋଇ ଧର୍ମ ଅର୍ଜନ ଓ ନାମ କୀର୍ତ୍ତନକୁ ତୁଛ ମଣୁଛନ୍ତି। ଏଠାରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ “ମୋହମୁଗଗର ” ବର୍ଣ୍ଣିତ ପଦଟି “ମା କୁରୁ ଧନଜନ ଯୌବନ ଗର୍ଵମ ହରତି ନିମିଷାତ କାଳ ସର୍ଵମ।”
ଅର୍ଥାତ କ୍ଷଣସ୍ଥାୟୀ ଧନଜନ ଓ ଯୌବନ ପାଇଁ ଗର୍ବ କରୁଥିବା ମଣିଷ। ଏଭଳି କରିବା ଉଚିତ ନୁହେଁ। କାରଣ ନିମିଷକ ମାତ୍ରେ ଏସବୁ କାଳ ହରଣ କରି ନେଇ ପାରେ ଏହାକୁ କଵି ଭକ୍ତଚରଣ ନିଜ “ମଥୁରା ମଙ୍ଗଳ “କାବ୍ୟ ରେ ଅତି ସୁନ୍ଦରଭାବେ ଦର୍ଶାଇ ଲେଖିଛନ୍ତି ।
“ଧନ ଜୀବନ ଚିର ନୁହେଁ,
ପାପ ଅନଳ ପିଣ୍ଡ କାଷ୍ଟ ଦହେ
ଲୋଭ ସକଳ ଦ୍ରବ୍ୟେ ପ୍ରବର୍ତ୍ତାଇ
କାମ କାମିନୀ ମଦରେ ମତାଇ ।”
ଏସବୁ ଭିତରେ ମନେ ପଡ଼ିଯାଏ ଓଡ଼ିଶା ର ପୁରପଲ୍ଲୀରେ ଆଜିବି ନିନାଦିତ ଏକ ସୁନ୍ଦର ପଦ । “ମନବୋଧ ଚଉତିଶା “ରୁ ଯାହା ହେଲା “ଗଲେଣି ତୋ ସାଙ୍ଗରୁ ଯେତେକ ଜନ, ଗଣ୍ଠିରେ ବାନ୍ଧି ନେଲେ କେ କେତେ ଧନ ରେ
* * * * *
ଘର ବୋଲି ଅର୍ଜିଛୁ ଯେତେ ପଦାର୍ଥ ଘଟ ଛୁଟିଲେ ତୋତେ ବୋଲିବେ ଭୂତ ।
ହଁ ଆପଣ ମାନେ ଏହାକୁ ବୈରାଗ୍ୟର ପ୍ରଭାବ କହି ପାରନ୍ତି। କିନ୍ତୁ, ଏଠାରେ ମୁଁ କହିବି ଏହାହିଁ ଚିରନ୍ତନ ସତ୍ୟ । ଆଉ ଏକ ସତ୍ୟକୁ ଜାଣିବା ଓଡ଼ିଆ ଜାତିର ଅମୁଲ୍ୟ ଗ୍ରନ୍ଥ। “ଟୀକା ଗୋବିନ୍ଦଚନ୍ଦ୍ର “କବି ଯଶୋବନ୍ତଙ୍କ ଭାଷାରେ :
“ଆସିବାର ବେଳେ ଏକାରେ କୁମର, ଗଲା ବେଳେ ଯିବୁ ଏକା, ମଲେ ତୋର ସଙ୍ଗେ ଜଣେ କେ ନଯିବ, ଧର୍ମ ଥିଲେ ହେବ ସଖା । ”
ଏଠାରେ ଧର୍ମ ସଖା ସାଜିବ ବୋଲି ଦର୍ଶାଯାଇଛି। ଯାହା ଅର୍ଜନ କରିବା କୁ ସମୟ ଓ ସାଧନ ଲୋଡ଼ା। କିନ୍ତୁ ନାମ କୀର୍ତ୍ତନ ପାଇଁ କଣ ଲୋଡ଼ା। ନିଜ ଜାଣତରେ ହେଉ ବା ଅଜାଣତରେ ହେଉ ନାମ ଉଚାରଣ ଆପଣକୁ ମୁକ୍ତି ଦେବ । ଯେପରି ଭାଗବତରେ ଅଜାମିଳର ମୁକ୍ତି ଦର୍ଶାଯାଇଛି । ନିଜ ଅଜାଣତରେ ପୁତ୍ର ନାମ ନାରାୟଣ ଉଚ୍ଚାରଣ କରି। ସେ ବିଷ୍ଣୁ ଧାମ ପ୍ରାପ୍ତ ହେଲା। କାରଣ ଏଠାରେ ନାମ ସ୍ୱୟଂ ବ୍ରହ୍ମ ଭାବରେ ଉଦ୍ଭାସିତ ହୋଇ ମୁକ୍ତି ପ୍ରଦାନ କଲେ। ଭକ୍ତ ଅଚ୍ୟୁତାନନ୍ଦଙ୍କ “ଶୂନ୍ୟ ସଂହିତା “ ଏହାର ପ୍ରମାଣ ଦିଏ “ନାମ ଯେ ନିର୍ଲେପ ଅଵ୍ୟୟ ଅରୂପ ରୂପକୁ ଜାଣନ୍ତି ସର୍ବ।
ବ୍ରହ୍ମ ବୋଲି ଏହି ନଜାଣନ୍ତି କେହି ମନେ ବହିଥାନ୍ତି ଗର୍ବ
* * * *
ଆହେ ସୁଜ୍ଞଜନ ନାମକୁ ଆଶ୍ରୟ ବେଳୁ କରିଣ ଯେ ଥିବେ,
ଲୀଳା ସମୟରେ ଭକ୍ତଙ୍କ ସଙ୍ଗରେ ଗଣନା ନିଶ୍ଚୟ ହୋଇବେ ।”
ତେଣୁ ବିଚାର ଆପଣଙ୍କ ହାତରେ, ଆପଣ ଧନ କୁ ପ୍ରାଧାନ୍ୟ ଦେବେ ନା ନାମକୁ। ମୁଁ କିନ୍ତୁ ଏବେ କରିବି ପ୍ରଭୂ ଆରାଧନା ଭକ୍ତ ବଳରାମଙ୍କ ଭାଷାରେ : “ହରି ହୋ –ମୋ କଥା ଯେହ୍ନେ ଲାଗଇ ତୋତେ ରକ୍ଷା କର ମୋତେ ଶ୍ରୀଜଗନ୍ନାଥେ, ହରି ତୋ ଚରଣେ କିଙ୍କର ମୁହିଁ, ମାରିବା ତାରିବା ଲୋକ(ପ୍ରଭୁ ) ଯେ ତୁହି।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.