ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୭୨
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କଠାରେ ନିଜର ଅନୁରୂକ୍ତି ବା ଅନୁରାଗ ପ୍ରକାଶ କରିବା ହିଁ ଭକ୍ତିର ନିଦର୍ଶନ ଏହା ଜାଣିବା ପରେ ଏହି ଅନୁରାଗ କିପରି ପ୍ରକାଶ କରିବା ବା ଏହାର ପ୍ରକୃତ ଉପାୟ କଣ ତାହା ଜାଣିବା ପାଇଁ ମନ ବ୍ୟାକୁଳ ହେଲାଣି । ଏତିକି ବେଳେ ମନେପଡନ୍ତି ଷଟଦର୍ଶନାକାର ବାଚସ୍ପତି ମିଶ୍ର ମହୋଦୟ। ଯାହାଙ୍କ ପ୍ରଣୀତ ଶ୍ଳୋକ ହେଲା “ପ୍ରଣିଧାନାନ ଭକ୍ତିବିଶେଷାନ ମlନସାତ, ବାଚିକାତ, କାୟିକାତ ବର୍ଜିତଃ ଅଭିମୁଖୀକୃତ ସ୍ତମନୁଗୃହ୍ନାତି ।” ଅର୍ଥାତ ଈଶ୍ୱରଙ୍କ ପ୍ରଣିଧାନ ଦ୍ୱାରା ଈଶ୍ୱର କୃପା ଲାଭ ହୁଏ। ଆଉ ଏହି ପ୍ରଣିଧାନ ବା ବିଶେଷ ଭକ୍ତି ଭାବ ନିଜର ମାନସିକ, ବାଚିକ, ଓ କାୟିକ କ୍ରିୟା ଦ୍ୱାରା ନିଜକୁ ଈଶ୍ୱର ଅଭିମୁଖୀ କରିବାର ପ୍ରକ୍ରିୟାକୁ ବୁଝାଏ।
ମହାତ୍ମା ପାଣିନୀ କୁହନ୍ତି “ଭଜ୍ୟତେ ସେବ୍ୟତେ ଇତି ଭକ୍ତି “। ଏଥିରେ ଭଜ୍ୟତେ ଓ ସେବ୍ୟତେ ଅଲଗା ଲାଗୁଥିଲେ ମଧ୍ୟ ଉଭୟ ସମାନ। କାରଣ ଭଜ ଧାତୁର ଅର୍ଥ ସେବା, ତେଣୁ ଉଭୟ ଭଗବାନଙ୍କ ସେବାକୁ ହିଁ ପ୍ରକୃତ ଭକ୍ତି ଭାବରେ ପ୍ରତିପାଦିତ କରିଛନ୍ତି। ଗରୁଡ଼ ପୁରାଣ ଏହାର ସମ୍ପୂର୍ଣ୍ଣ ସମର୍ଥନରେ ବ୍ୟକ୍ତକରେ “ଭଜ ଇତ୍ୟେଷ ବୈ ଧତୁଃ ସେବୟାଂ ପରିକୀର୍ତ୍ତିତଃ, ତସ୍ମାତ ସେବା ବୁଧୈ ପ୍ରୋକ୍ତl ଭକ୍ତି ସାଧନ ଭୁୟସୀ ।” ତେଣୁ ଏହା ପ୍ରମାଣିତ ଯେ ଭକ୍ତି ଅର୍ଥ ଈଶ୍ୱର ସେବା ଓ ଏହା ମାନିସିକ ସେବା। ବାଚିକ ସେବା ତଥା କାୟିକ ସେବା ହୋଇ ପାରେ। “ନାରଦ ଭକ୍ତି ସୂତ୍ର “ରେ ଏହାକୁ ସାମାନ୍ୟ ଅନ୍ୟ ରୂପରେ ପରିପ୍ରକାଶ ହୋଇଛି ଯାହା ଏହିପରି “ସା ତସ୍ମିନ ପ୍ରେମ ରୁପା ” ଅର୍ଥାତ ଭକ୍ତି ହିଁ ଭଗବାନଠାରେ ପ୍ରେମର ପରିପ୍ରକାଶ କରିବା। ଟିକିଏ ସରଳରେ କହିଲେ ନିରୋଳା ଈଶ୍ୱର ପ୍ରେମ ହିଁ ଭକ୍ତି। ତେବେ ଏ ନିରୋଳା ଈଶ୍ୱର ବା ଭାଗବତ ପ୍ରେମ କଣ ଓ କିପରି କରାଯାଏ ଏହାର ବିଷଦ ବିବରଣୀ ଆଗାମୀ ଅଧ୍ୟାୟରେ ଜାଣିବା। ଏବେ ଆରାଧନା କରିବା
“ଶଙ୍ଖ ଚକ୍ର ଗଦା ପଦ୍ମ ଚତୁଭୃଜେ ଶୋହେ,
କୋଟିଏ କନ୍ଦର୍ପ ରୂପ ତ୍ରିଭୁବନ ମୋହେ
ଭକତ ଜନ ସଙ୍ଖାଳି ମୁକତିର ଘର
ସେ ପଦେ ଶରଣ ଗଲି ଦାସେ ରକ୍ଷା କର ।” (କବି କୃଷ୍ଣ ଦାସଙ୍କ ପ୍ରର୍ଥନା )
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.