ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୩
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପାବନ କ୍ଷେତ୍ର ଶ୍ରୀପୁରୁଷୋତ୍ତମରେ ତୀର୍ଥ ରାଜ ମହୋଦଧିଙ୍କ ଉପସ୍ଥିତି ବୋଲି ନକହି ତୀର୍ଥରାଜ ମହୋଦଧିଙ୍କ କୂଳରେ ଶ୍ରୀକ୍ଷେତ୍ରର ଅବସ୍ଥିତି ବୋଲି କହିବା ବିଶେଷ ଭାବରେ ସମୀଚିନ ମନେହୁଏ। କାରଣ ସମୁଦାୟ ଶ୍ରୀକ୍ଷେତ୍ର ପଞ୍ଚକୋଶ ବ୍ୟାପି ହୋଇଥିବା ବେଳେ ଏଥିରୁ ଦୁଇକୋଶ ଏହି ସମୁଦ୍ର (ମହୋଦଧି )ଭିତରେ ଅବସ୍ଥିତ। ବାମଦେବ ସଂହିତା କହନ୍ତି, ଶୃଣୁ ବୈଷ୍ଣବ କ୍ଷେତ୍ରସ୍ୟ ଚାୟତ୍ତଂ ପଞ୍ଚକ୍ରୋଶକମ, ଦ୍ୱିକ୍ରୋଶଂ ସାଗରେ ଅପିସ୍ୟାତ ତ୍ରିକୋଶଂ। ପୃଥିବୀ ତଳେ କ୍ଷେତ୍ରରାଜ ପୁରୀର ଦ୍ୱିକୋଶ ବ୍ୟାପି ଅଞ୍ଚଳ ସାଗର ମଧ୍ୟରେ ଅବସ୍ଥିତ ଥିବାରୁ ଏହି କ୍ଷେତ୍ର ସଂଲଗ୍ନ ମହୋଦଧିର ଅଂଶକୁ ତୀର୍ଥରାଜ ଆଖ୍ୟା ଦିଆଯାଇଛି।
ନାରଦ ପୁରାଣରେ ଏକ ସୁନ୍ଦର ଉପାଖ୍ୟାନର ଅବତାରଣା କରାଯାଇଛି। ତାହା ଏହିପରି : ଥରେ ସୁମେରୁ ପର୍ବତର କାଞ୍ଚନଶୃଙ୍ଗରେ ଶ୍ରୀଦେବୀ ଶ୍ରୀଜଗନ୍ନାଥଙ୍କୁ ପ୍ରଶ୍ନ କଲେ, ହେ ନାଥ ଏ ମର୍ତ୍ତ୍ୟମଣ୍ଡଳରେ ସବୁଠାରୁ ଶ୍ରେଷ୍ଠ ସ୍ଥାନ କିଏ ? ଏହାର ଉତ୍ତରରେ ଶ୍ରୀଜଗନ୍ନାଥ କହିଲେ ଦକ୍ଷିଣ ମହୋଦଧି କୂଳରେ ଅବସ୍ଥିତ ଶ୍ରୀପୁରୁଷୋତ୍ତମ
କ୍ଷେତ୍ର ଜଗତ ଭିତରେ ସବୁଠାରୁ ଶ୍ରେଷ୍ଠ କ୍ଷେତ୍ର ଅଟନ୍ତି। ଯାହା ଏହିପରି ପୁଷ୍କରାଦିନୀ ତୀର୍ଥlନି ପ୍ରୟଛନ୍ତି ସ୍ଵକଂ ଫଳମ୍, ତୀର୍ଥରାଜ ସମୁଦ୍ରସ୍ତୁ ସର୍ବତୀର୍ଥ ଫଳପ୍ରଦ। ଅର୍ଥାତ ପୁଷ୍କର, ପ୍ରଭାସ ଆଦି ତୀର୍ଥ ସ୍ୱ ସ୍ୱ ଫଳପ୍ରଦାନ କରୁଥିବା ସମୟରେ, ମହୋଦଧି ସମସ୍ତ ତୀର୍ଥର ଫଳ ଏକସଙ୍ଗେ ପ୍ରଦାନ କରିଥାଏ। ଏହିପରି କହିବାର ତlତ୍ପର୍ଯ୍ୟ ହେଲା ଧରାପୃଷ୍ଠରେ ଥିବା ଅନେକ ନଦନଦୀ (ତୀର୍ଥ ରୂପେ ପ୍ରସିଦ୍ଧି ଲାଭ କରିଥିବା )ଏହି ସାଗରରେ ନିଜକୁ ମିଶାଇଦେଇଛନ୍ତି। ତେଣୁ ସର୍ବତୀର୍ଥଙ୍କୁ ବକ୍ଷରେ ଧରି ମହୋଦଧି ସ୍ୱୟଂ ତୀର୍ଥରାଜ ହୋଇଛନ୍ତି ଓ ସର୍ବ ତୀର୍ଥଫଳ ପ୍ରଦାନ କରନ୍ତି। ତେଵେ ଏଠାରେ ସ୍ନାନ ଓ ତତପରବର୍ତ୍ତୀ ଧ୍ୟାନ, ତର୍ପଣ ଆଦି ବିଭିନ୍ନ ବିଧି ପାଳନର ସମସ୍ତ ବିଷୟରେ ଆଗାମୀ ଅଧ୍ୟାୟରେ ଆଲୋଚନା କରିବା। ଏବେ ଆରାଧନା ଓ ଭାଗବତ ପଠନର ସମୟ ।
ଏ ସୁତ ଦାରା ବନ୍ଧୁ ସଙ୍ଗ
ଯେସନେ ସମୁଦ୍ର ତରଙ୍ଗ ।
ପଥିକ ଯେହ୍ନେ ବୃକ୍ଷତଳେ
ଶ୍ରମେ ମିଳନ୍ତି ଏକ ମେଳେ ।
ଶ୍ରମ ସାରିଲେ ଯେଝାମତେ
ଚଳନ୍ତି ବୃକ୍ଷ ଛାଡି ପଥେ ।
ଯେସନେ ପ୍ରାଣୀ ନିଦ୍ରାଗତେ
ସମ୍ପଦ ଦେଖେ ସ୍ବପ୍ନଗତେ ।
ଏହି ପ୍ରକାରେ ଗୃହ ବାସ
ଏଣେ ନକରିବ ବିଶ୍ୱାସ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.