Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୬୬

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ଓଁ ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଦେବଦୁର୍ଲ୍ଲଭ ଶ୍ରୀକ୍ଷେତ୍ର ତୀର୍ଥରାଜ ମହୋଦଧିର ପୁଣ୍ୟ ସ୍ଥଳି ସ୍ୱର୍ଗଦ୍ୱାର ସମ୍ମୁଖ ତଟରେ ପ୍ରଭୁଙ୍କୁ ସ୍ମରଣ ଓ ମନନ କରି କରି ମହା ଆନନ୍ଦରେ ସ୍ନାନ ସମାପନ କରିବା ପରେ ପୂର୍ବାଭିମୁଖୀ ହୋଇ ସୂର୍ଯ୍ୟନାରାୟଣଙ୍କୁ ଦର୍ଶନ ପୂର୍ବକ ଶ୍ରୀଜଗନ୍ନାଥଙ୍କୁ ହୃଦୟରେ ସ୍ଥାପନ କରି ଅଷ୍ଟାକ୍ଷର ମନ୍ତ୍ର ବା ଦ୍ୱାଦଶାକ୍ଷର ମନ୍ତ୍ର ଜପ ପୂର୍ବକ ସ୍ତୁତିକରି ଦଶଦିଗପାଳଙ୍କୁ ବନ୍ଦନା କରିବେ । “ପୂର୍ବେ ମାଂ ପାତୁ ଗୋବିନ୍ଦ ବାରିଯାକ୍ଷସ୍ତୁ ଦକ୍ଷିଣେ, ପ୍ରଦ୍ୟୁମ୍ନ ପଶ୍ଚିମେ ପାତୁ, ହୃଷିକେଶସ୍ଥ ଥୋତ୍ତରେ ଆଗ୍ନେଯ୍ୟାଂ ନାରସିଂହସ୍ତୁ ନୈରୁତ୍ୟାଂ ମଧୁସୂଦନ,ବାୟବ୍ୟାଂ ଶ୍ରୀଧର ପାତୁ ଐଶାନ୍ୟାଂ ଚ ଗଦାଧର, ଉର୍ଦ୍ବଂ ତ୍ରିବିକ୍ରମ ପାତୁ, ଅଧୋ ବରାହରୂପ ଧୃକ, ସର୍ବତ୍ର ପାତୁ ମାଂ ଦେବ ଶଙ୍ଖ ଚକ୍ର ଗଦାଧର, ନାରାୟଣ ମନଃ ପାତୁ ଚୈତନ୍ୟଂ ଗରୁଡ଼ଧ୍ୱଜ, ପାତୁ ମେ ବୁଧ୍ୟ୍ୟହଙ୍କାରୌ ତ୍ରିଗୁଣାତ୍ମା ଜନାର୍ଦନ, ଇନ୍ଦ୍ରିୟlଣୀ ସଦାପାତୁ ଦୈତ୍ୟବର୍ଗ ନିକୃନ୍ତନଃ । ବର୍ତ୍ତମାନ ତୁମର ସର୍ବ ଦିଗରେ ଦେବସ୍ୱରୂପ ବିଦ୍ୟମାନ ତେଣୁ ପୁଣି ତୀର୍ଥରାଜଙ୍କୁ ପ୍ରଣାମ ।

ତୀର୍ଥରାଜ ନମସ୍ତୁଭ୍ୟଂ ଜଳରୂପାୟ ବିଷ୍ଣବେ “କହି ଅଞ୍ଜଳିରେ ଜଳ ନେଇ ଦେବତା, ଋଷି ଓ ପିତୃଗଣଙ୍କୁ ପ୍ରଦାନ କରିବେ। ସଠିକ ଭାବରେ ସ୍ନାନ ସମାପନ ପରେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଶ୍ରୀମନ୍ଦିର ପରିକ୍ରମା ଅତ୍ୟନ୍ତ ପୁଣ୍ୟଫଳ ପ୍ରଦାନ କରେ। ଏଠାରେ କହି ରଖେ ମହୋଦଧିର ଅନ୍ୟ ଏକ ସ୍ଥଳି ହେଲା ଚକ୍ର ତୀର୍ଥ ତଟ। ଏଠାରେ ବରୁଣଙ୍କ ମନ୍ଦିର ସହ ଚକ୍ରନାରାୟଣଙ୍କ ମନ୍ଦିର ଅଛି। ତେଣୁ ଏଠାରେ ଉପରୋକ୍ତ ମନ୍ତ୍ର ସହ ସୁଦର୍ଶନ ମହାରାଜଙ୍କୁ ମଧ୍ୟ ପାର୍ଥନା କରିବେ। ଯଥା “ସୁଦର୍ଶନ ନମୋସ୍ତୁତେ କୋଟି ସୂର୍ଯ୍ୟ ସମପ୍ରଭୋ, ଅଜ୍ଞାନ ତିମିରାନ୍ଧସ୍ୟ ବିଶ୍ନୋମାର୍ଗଂ ପ୍ରଦର୍ଶୟ” ଆଉ କଣ କଣ ଉପଲବ୍ଧି ହୁଏ । ଜାଣିବା ଆଗାମୀ ଅଧ୍ୟାୟରେ । ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ।

ଆତ୍ମା କୁଶଳେ ସର୍ବ ସିଦ୍ଧି
ତରଇ ସଂସାର ଜଳଧି।
ପଣ୍ଡିତ ସଂlଖ୍ୟ ଯୋଗ ମତେ
ଧୀର ବିବେକ ପଣେ ମୋତେ ।
ଆତ୍ମାକୁ ଦେଖେ ସର୍ବଭୁତେ
ନିର୍ଲେପ ସର୍ବଶକ୍ତି ଯୁତେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.