ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୭୭
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ଯାତ ବା ଯାତ୍ରା ପାଳିତ ହୁଏ। ଏହି ଯାତ୍ରା ଛଡା କିଛି ଉପଯାତ୍ରା ମଧ୍ୟ ପାଳିତ ହୁଏ। ଏହିସବୁ ଯାତ୍ରା ଓ ଉପ ଯାତ୍ରା ଭିତରେ ମାତ୍ର ଦୁଇ ଥର ଶ୍ରୀବିଗ୍ରହ ମାନେ ରତ୍ନ ସିଂହାସନରୁ ଓହ୍ଲାଇ ଆସି ପତିତ ଉଦ୍ଧାର ସହ ଭକ୍ତମାନଙ୍କ ଗହଣରେ ଲୀଳା ପଦର୍ଶନ କରନ୍ତି। ତାହା ହେଲା ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରା। ଏହି ଦୁଇ ଯାତ୍ରା ଛଡା ଅନ୍ୟ ଯାତ୍ରା ବା ଉପଯାତ୍ରା ମାନଙ୍କରେ ରତ୍ନ ସିଂହାସନସ୍ଥ ଶ୍ରୀବିଗ୍ରହ ମାନଙ୍କଠାରୁ ଆଜ୍ଞା ମାଳ ପ୍ରାପ୍ତ ହୋଇ ବିଭିନ୍ନ ଚଳନ୍ତି ପ୍ରତିମା ଯାତ୍ରାରେ ଭାଗ ନେଇଥାନ୍ତି। ଏହି ଚଳନ୍ତି ପ୍ରତିମା ଗୁଡିକ ମଧ୍ୟରେ ମୁଖ୍ୟ ହେଲେ ଶ୍ରୀମଦନ ମୋହନ, ଶ୍ରୀ ରାମକୃଷ୍ଣ, ଦୋଳଗୋବିନ୍ଦ, ନାରାୟଣ, ବାଡ଼ିନୃସିଂହ, ଲଷ୍ମୀ ନୃସିଂହ, ରାମ ଲକ୍ଷ୍ମଣ ସୀତା, ହନୁମାନ, ପଞ୍ଚୁପାଣ୍ଡବ, ଶ୍ରୀ ଲୋକନାଥ, ମା ଦୁର୍ଗା, ଓ ଶୟନ ଠାକୁର ରତ୍ନସିଂହାସନରେ ବିଜେ ଶ୍ରୀଦେବୀ ଓ ଭୁଦେବୀ ମଧ୍ୟ ଚଳନ୍ତି ପ୍ରତିମା ହିସାବରେ ଭାଗ ନେଇଥାନ୍ତି। ହଁ ଯେଉଁ ପଞ୍ଚୁପାଣ୍ଡବଙ୍କ କଥା ଉଲ୍ଲେଖ କରାଗଲା ସେଥି ମଧ୍ୟରୁ ତିନି ବଗ୍ରହ ଚଳନ୍ତି ପ୍ରତିମା ହିସାବରେ ଯୋଗ ଦିଅନ୍ତି। ଆମେ ଜାଣିଲେ ରତ୍ନସିଂହାସନରେ ଶ୍ରୀଦେବୀ ଓ ଭୁଦେବୀ ଥାନ୍ତି। ସେହିପରି ଶ୍ରୀମନ୍ଦିରର ଭଣ୍ଡାର ଘରେ ଥାନ୍ତି ଶ୍ରୀଲୋକନାଥ, ମାଦୁର୍ଗା ଓ ଶୟନ ଠାକୁର, ଆଉଗୋଟିଏ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସ୍ଥାନ ହେଲା ଶ୍ରୀମନ୍ଦିରର ଦକ୍ଷିଣ ଘର ଯେଉଁଠି ଅନ୍ୟ ପ୍ରତିମାମାନେ ଅବସ୍ଥାନ କରନ୍ତି। ଚଳନ୍ତି ପ୍ରତିମାମାନଙ୍କ ଛଡା କିଛି ଅଚଳନ୍ତି (ଯେଉଁମାନେ ବାହାରକୁ ଯାଇ ନଥାନ୍ତି )ପ୍ରତିମା ମଧ୍ୟ ଦକ୍ଷିଣ ଘରେ ବିରାଜିତ ଅଛନ୍ତି। ସେମାନେ ହେଲେ ଛୋଟ ରାମକୃଷ୍ଣ, ନାରାୟଣ, ବଦ୍ରି ନାରାୟଣ, ଲଡ଼ୁଗୋପାଳ, ବାମନ, ଲଷ୍ମୀନାରାୟଣ, ଓ ଶେଷଦେବ ଏହି ଦକ୍ଷିଣଘର ଭିତର କାନ୍ଥରେ ମହାଲକ୍ଷ୍ମୀ ଓ ବୀରଭଦ୍ର (ବଳଭଦ୍ର )ଙ୍କ ଚିତ୍ର ରହିଛି। ସେହିପରି ବାହାର କାନ୍ଥରେ ଦଶଭୁଜା ଦୁର୍ଗା, ଗଣେଶ, କାର୍ତ୍ତିକେୟ, ହନୁମାନ, ଈଶ୍ୱର ପାର୍ବତୀ, ଭୀମେଶ୍ୱରୀ, ହରଚଣ୍ଡୀ, ବେଢା ଦୁର୍ଗା, ଦନ୍ତେଶ୍ୱରୀ ଓ ମହାବୀର ଙ୍କ ଚିତ୍ର ରହିଛି। କେବଳ ଚିତ୍ର ନୁହେଁ ଏହି ଦକ୍ଷିଣଘର ସିଂହାସନରେ ପ୍ରାୟ ଅଠର ମୂର୍ତ୍ତି ଶାଳଗ୍ରାମ ପାଉଛନ୍ତି। ଆଗାମୀ ଅଧ୍ୟାୟରେ ସମ୍ପୂର୍ଣ ବିବରଣୀ ଏହି ଦକ୍ଷିଣଘର ବିଷୟରେ। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।
ରୂପ, ଅରୂପ ସ୍ଥିତି ତିନି
ଯାହା ଗୋଚର ଅନୁମlନି ।
ସ୍ଵଭାବେ ନୁହେଁ ଯେ ଏମନ୍ତ
ଏ ସଂlଖ୍ୟ ଯୋଗୀଙ୍କର ମତ ।
ଆତ୍ମ ପ୍ରକାଶେ ଛନ୍ନ ହୋଇ
ନିରସ୍ତ କୁହୁକ ବୋଲାଇ ।
ସତ୍ୟ ପରମାନନ୍ଦ ହରି
ଯାହା ଭାବିଲେ ଭବୁଁ ତରି ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.