ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୮୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମାଉସୀ ମା ଭାବରେ ବିଖ୍ୟାତ ମା ଅର୍ଦ୍ଧାଶିନୀଙ୍କ ମନ୍ଦିର ବଡ଼ଦାଣ୍ଡରେ ଥିବା (ବର୍ତ୍ତମାନ ଲୁପ୍ତ )ମାଳିନୀ ନଦୀର ବଡ଼ ଗଣ୍ଡ ନିକଟରେ କାହିଁ କେଉଁ ଆଦିମ କାଳରୁ ବିଦ୍ୟମାନ। ବିଶ୍ୱାବସୁ ଶବରଙ୍କ ମୂଳ ବଂଶଧର ଦଇତା ସେବକଙ୍କ ଇଷ୍ଟଦେବୀ ବା କୂଳ ଦେବୀ ହେଲେ ଅର୍ଦ୍ଧାଶିନୀ ବା ଅର୍ଦ୍ଧଶୋଷିନୀ ମା। କିଏ କହେ ପ୍ରଳୟ କଳାରେ ଅଧା ଜଳ ଶୋଷିନେଇ ସଂସାରକୁ ରକ୍ଷା କଲେ। ପୁଣି କିଏ କହେ ମାଳିନୀ ନଦୀର ବଡ଼ ଗଣ୍ଡରେ ଥିବା ଅକାତ ଜଳକୁ ଶୋଷି ନେଇ ଏହାକୁ ଏକ ମୃତ ନଦୀ କରିଦେଇ ଥିଲେ। ଯାହା ପରବର୍ତ୍ତୀ କାଳରେ ତତ୍କାଳୀନ ରାଜା ଦ୍ଵିତୀୟ ନରସିଂହ ଦେବଙ୍କ ପତ୍ନୀ ରାଣୀ ଶ୍ରଦ୍ଧା ଦେବୀଙ୍କ ନିଜସ୍ୱ ଉଦ୍ୟମରେ ସମୁଦ୍ରବାଲି ଦ୍ୱାରା ପୋତା ଯାଇଥଲା। ତେଣୁ ଏହି ସ୍ଥାନର ନାମ ହୋଇଛି ଶରଧାବାଲି। ସେତେବେଳର ଭକ୍ତମାନେ, କବିମାନେ ଏହି ଶରଧାବାଲିର ଏତେ ଗୁଣ ଗାନ କରିଛନ୍ତି ଯେ ଆଜିର ପରିବର୍ତ୍ତିତ ପରିବେଶରେ ମଧ୍ୟ ଭକ୍ତ ଗାଇ ଉଠେ ।
ଜଗନ୍ନାଥ ହୋ କିଛି ମାଗୁନାହିଁ ତୋତେ
ଧନ ମାଗୁ ନାହିଁ, ଜନ ମାଗୁ ନାହିଁ, ମାଗୁଛି ଶରଧାବାଲିରୁ ହାତେ।
ଆଉ ଏହି ଶରଧାବାଲିରେ ପୂଜିତ ଦେବୀ ଅର୍ଦ୍ଧାଶିନୀଙ୍କ ପାଖରେ ଆମ ପ୍ରଭୂ ଜଗନ୍ନାଥଙ୍କ ଭାରି ଶରଧା, ତେଣୁ ସେ ରଥଯାତ୍ରା ସମୟରେ ନିଜେ ମାଉସୀମାଙ୍କୁ ଫଳମୂଳ, ମିଠା ନେଇ ଦିଅନ୍ତି ଓ ବାହୁଡା଼ ସମୟରେ ପୋଡ଼ପିଠା ଖାଇ ଫେରନ୍ତି। ଆଗରୁ କହିଛି ମାଙ୍କ ଦୃଶ୍ୟମାଣ ମୂର୍ତ୍ତି ଦେବୀ ସୁଭଦ୍ରାଙ୍କ ସ୍ୱରୂପ ହୋଇଥିଲେ ମଧ୍ୟ, ପ୍ରକୃତ ମୂର୍ତ୍ତି (ଯାହା ଲୁକାୟିତ ଅଛି )ଶାଣ ପଥରରେ ନିର୍ମିତ୍ତ ଏକ ଖମ୍ବାକାର ରମଣୀୟ ମୂର୍ତ୍ତି। ତାଙ୍କର ଦୁଇ ପାର୍ଶ୍ଵରେ ଛାୟା ଓ ମାୟା ନାମରେ ପାର୍ଶ୍ଵ ଦେବୀ ଉପସ୍ଥିତ। ଏହି ବିଗ୍ରହର ଉପରିସ୍ଥ ଅଂଶକୁ ଆଛାଦନ କରି ସୁଭଦ୍ରାଙ୍କ ଆକୃତି ହୋଇଛି। ମନ୍ଦିରଟି କ୍ଷୁଦ୍ର ହେଲେ ମଧ୍ୟ ମୁଖଶାଳା, ଜଗମୋହନ ଓ ଗର୍ଭଗୃହ ଏପରି ତିନି ଭାଗରେ ବିଭକ୍ତ। ଦେବୀଙ୍କ ସମ୍ମୁଖରେ ବାହନ ମହାସିଂହ ଉପସ୍ଥିତ। ମନ୍ଦିରର ଅନ୍ୟ ବର୍ଣ୍ଣନା ସହ ରୀତିନୀତି ବିଷୟରେ ଆଲୋଚନା ଅନ୍ୟ ଅଧ୍ୟାୟରେ ଜାରି ରଖିବା।ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ । ଆଜି ମାଙ୍କ ସ୍ତୁତି :-
“ଦ୍ବିଭୁଜା ସୌମ୍ୟବଦନା ଅଭୟ ଅକ୍ଷଧାରିଣୀ,
ବିଷ୍ଣୁପ୍ରିୟାଙ୍ଗ ସମ୍ଭୁତା ପ୍ରଳୟ ବାରିଶୋଷିକା,
ନାନା ବସନ ଭୂଷିତା ଆର୍ତ୍ତତ୍ରାଣ ପାରାୟଣୀ
ଅର୍ଦ୍ଧାଶନୀ ନମସ୍ତେତୁ ଭକ୍ତାନାଂ ଅଭୟ ପ୍ରଦା।”
ଜୟ ଜଗନ୍ନାଥ. (ଦ. ତ୍ରି. ଉବାଚ )
Comments are closed.