ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୯୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପାବନ ଶ୍ରୀକ୍ଷେତ୍ରରେ ପବିତ୍ର ଶ୍ୱେତ ଗଙ୍ଗା କୂଳରେ ମହର୍ଷି ଭୃଗୁଙ୍କ ଆଶ୍ରମ ସହ ଶ୍ରୀମନ୍ଦିରର ଅତ୍ୟନ୍ତ ଗୂଢ଼ ସମ୍ପର୍କ ଦେଖିବାକୁ ମିଳେ । ଯେହେତୁ ଭୃଗୁ ଙ୍କର ଏକ କନ୍ୟା ଭାର୍ଗବୀ ଓ ପୁତ୍ର ଭାର୍ଗବ ଥିଲେ । ତେଣୁ ରକ୍ଷାବନ୍ଧନ ଉତ୍ସବ ଏଠାରେ ଅତ୍ୟନ୍ତ ଉତ୍ସାହ ସହ ପାଳିତ ହୁଏ। ଏହି ରାକ୍ଷୀ ପୂର୍ଣ୍ଣିମାରେ ଚକ୍ରରାଜ ସୁଦର୍ଶନ ମହାରାଜ ବିମାନରେ ବିଜେ କରି ଏଠାକୁ ଆସନ୍ତି ଓ ରକ୍ଷାବନ୍ଧନ ପରେ ଶୀତଳ ମଣୋହି ପନ୍ତି ଭୋଗ ଲାଗି ଓ ବନ୍ଦାପନା ସହ ଆଶ୍ରମ ପରିକ୍ରମା କରି ଫେରନ୍ତି। ସେହିପରି କୁମାରପୁର୍ଣିମା ରାତ୍ରିରେ ବିମାନରେ ସୁଦର୍ଶନ ମହାରାଜ ଏଠାକୁ ବିଜେ କରି ଶୀତଳ ମଣୋହି ପନ୍ତି ଭୋଗ ସହ ଆଶ୍ରମ ପରିକ୍ରମା ଓ ବନ୍ଦାପନା ପରେ ଫେରନ୍ତି। ଚକ୍ରବୁଲା ଏକାଦଶୀ ବା ଶ୍ରlବଣ କୃଷ୍ଣ ଏକାଦଶୀରେ ଚକ୍ର ନାରାୟଣ, ଶ୍ରାବଣ କୃଷ୍ଣ ଅଷ୍ଟମୀ ଓ ଶ୍ରାବଣ ଶୁକ୍ଳ ଏକାଦଶୀରେ ବାଡ଼ି ନୃସିଂହ ତଥା ମାର୍ଗଶିର ପୂର୍ଣ୍ଣିମାରେ (ପଣ୍ଡୁ ପୁର୍ଣିମା )ପଣ୍ଡୁ ନୃସିଂହ ଏହି ଆଶ୍ରମ ଆସି ପନ୍ତି ଭୋଗରେ ଆପlୟିତ ହେବା ସହ ଆଶ୍ରମ ପରିକ୍ରମା କରି ଫେରନ୍ତି।
ଏହି ଆଶ୍ରମର ମୂଖ୍ୟ ଆକର୍ଷଣ ହେଲା ମୁକ୍ତି ଶିଳା, କଥିତ ଅଛି ବା ପ୍ରଚଳିତ ବିଶ୍ୱାସ ଏହିକିଯେ ଯଦି କୌଣସି ବ୍ୟକ୍ତି ତାର ଅନ୍ତିମ ସମୟରେ ଅତ୍ୟନ୍ତ କଷ୍ଟ ଓ ଯନ୍ତ୍ରଣା ସତ୍ୱେ ତାର ଜୀବ ଛାଡି ଯାଉ ନଥାଏ, ତେବେ ସେହି ବ୍ୟକ୍ତି ର ମୁକ୍ତି ପାଇଁ ଏହି ମୁକ୍ତି ଶିଳା ନିକଟରେ ପଣା ଭୋଗ ନିବେଦନ ସହ ହୋମ କରାଯାଏ। ମହାରାଜ ଉଗ୍ରସେନଙ୍କୁ ପାର୍ଥନା ପୂର୍ବକ ନିବେଦନ କରାଯାଏ :- “ହେ ଉଗ୍ରସେନ ମହାବାହୁ, ସମୁଦ୍ର କୂଳ (ସ୍ୱର୍ଗ ଦ୍ୱାର )ଯିବା ହେଉ।” ଏହାପରେ ସେହି ପଣା ଭୋଗ ସେହି ମାରାଣକାଂକ୍ଷୀ ବ୍ୟକ୍ତିକୁ ଦେବା ପରେ ସେ ସମସ୍ତ ଯନ୍ତ୍ରଣା ରୁ ମୁକ୍ତି ପାଇ ଶୀଘ୍ର ପଞ୍ଚତ୍ୱ ପ୍ରାପ୍ତ ହୁଏ। ତାହା ଛଡା ଏହି ଉଆଁସ ଦାଣ୍ଡ ଦେଇ ସ୍ୱର୍ଗଦ୍ୱାର ଯାଉଥିବା ପ୍ରତ୍ୟେକ ଶବ ଶୋଭାଯାତ୍ରା ଏହିଠାରେ ଟିକିଏ ଅଟକି ଯାଇ ମୁକ୍ତି ପାର୍ଥନା କରି ପୁଣି ସ୍ୱର୍ଗଦ୍ୱାର ଯାତ୍ରା କରନ୍ତି। ବିଶ୍ୱାସ ଅଛି ଏପରି ନକଲେ ଶବର ଓଜନ ଏତେ ବଢ଼ିଯାଏ ଯେ କାନ୍ଧେଇବା ବ୍ୟକ୍ତି ଅସମ୍ଭାଳ ହୋଇ ପଡେ। ତେଣୁ ସ୍ଥାନୀୟ ଲୋକେ ଏହି ଆଶ୍ରମକୁ ଉଗ୍ରସେନ ମୁଣ୍ଡି ଭାବରେ କହିଥାନ୍ତି। ବିଭିନ୍ନ ଅମାବାସ୍ୟାରେ ଏଠାକୁ ଅମାବାସ୍ୟା ନାରାୟଣ ମଧ୍ୟ ବିଜେ କରନ୍ତି ଓ ଶୀତଳ ମଣୋହି ପନ୍ତି ଭୋଗ ଲାଗି ହେବା ସହ ବନ୍ଦାପନା ହୁଏ। ମୁକ୍ତିକାମୀ ମନୁଷ୍ୟଙ୍କ ପାଇଁ ଏହି ତୀର୍ଥ ଏକ ବିଶେଷ ସ୍ଥାନ ଭାବେ ବିବେଚିତ ହୁଏ। ଆଶ୍ରମ ଓ ମୁକ୍ତି ଶିଳା ମୂଖ୍ୟ ଆକର୍ଷଣ ପାଲଟେ। ଆଗାମୀ ଅଧ୍ୟାୟରେ ଜାଣିବା ଅନ୍ୟ ଦୁଇ ଆଶ୍ରମ କଥା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନର ସମୟ ।
ଆପଣା ହସ୍ତେ ଜିହ୍ୱା ଛେଦି
କେ ତାର ଅଛି ପ୍ରତିବାଦୀ ।
ଦେବତା ବଶେ ସର୍ବ ଭୁତେ
ଇନ୍ଦ୍ରିୟେ ଅଭେଦ ସ୍ବରୁପେ ।
କୋପଇ ଏକ ଅଙ୍ଗେ ଥାଇ
ଅପର ଅଙ୍ଗେ ପ୍ରହାରଇ ।
ଏ ଦୁଃଖ ସୁଖ ବିଚାରିଲେ
ଲଗାଇ ନାହିଁ ଆତ୍ମା ତୁଲେ ।
ଜୟ ଜଗନ୍ନାଥ (ଦ . ତ୍ରି. ଉବାଚ )
Comments are closed.