ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୦୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ର ଉତ୍ତର-ପୂର୍ବ କୋଣରେ ପ୍ରାୟ ଏକ କି.ମି ଦୂରତ୍ୱ ରେ ଥିବା ଦାଣ୍ଡମାଳି ସାହି ମୌଜାରେ
ଏହି ବୃହତମ ପୁଷ୍କରିଣୀ ଅବସ୍ଥିତ । ସମୁଦାୟ ଆଠ ଏକର ପରିମିତ ଯାଗାରେ ଏହି ପୁଷ୍କରିଣୀ ର ମଝିରେ ରହିଛି ଚନ୍ଦନ ମଣ୍ଡପ। ଓଡ଼ିଶାର ଏହି ବୃହତ୍ତମ ପୁଷ୍କରିଣୀର ସୃଷ୍ଟି ବିଷୟରେ ଏକ ଅତ୍ୟନ୍ତ ରୋଚକ କିମ୍ବଦନ୍ତୀ ଶୁଣିବାକୁ ମିଳେ। ଏହି କିମ୍ବଦନ୍ତୀ କହେ ଏକ କଖାରୁ ମଞ୍ଜିରୁ ଏହି ପୁଷ୍କରିଣୀ ନିର୍ମିତ୍ତ ହୋଇଛି। ଅବଶ୍ୟ ଏଥିରେ ମଧ୍ୟ ଦୁଇଟି ମତ ପ୍ରଚଳିତ। ଅର୍ଥାତ ଏହି କଖାରୁ ମଞ୍ଜିଟି କିଏ ଦେଇଥିଲେ ଓ କିଏ ପୋତିଥିଲେ । ଆସନ୍ତୁ ଜାଣିବା ରଣପୁର ରାଜବଂଶ ସହ ଏହି କିମ୍ବଦନ୍ତୀ କିପରି ସଂଯୁକ୍ତ ହୋଇଛି ।
କୁହାଯାଏ ତତ୍କାଳୀନ ରଣପୁର ରାଜା ନରେନ୍ଦ୍ର ଦେବ, ତାଙ୍କ ସର୍ବରlକାରଙ୍କୁ ଏହି ଐତିହାସିକ କଖାରୁ ମଞ୍ଜିଟି ଦେଇ ଏହାକୁ ଶ୍ରୀକ୍ଷେତ୍ରରେ ଏକ ଉପଯୁକ୍ତ ସ୍ଥାନରେ ଲଗାଇବାକୁ କହିଥିଲେ। ନିଜର ଶ୍ରୀକ୍ଷେତ୍ର ରହଣି ସମୟରେ ସେ ଉକ୍ତ ମଞ୍ଜିଟିକୁ ଏହି ନରେନ୍ଦ୍ର ପୁଷ୍କରିଣୀ ସ୍ଥାନରେ ଲଗାଇ ତାର ଯତ୍ନ କଲେ। ସେହି ମଞ୍ଜିରୁ ଗଛ ହୋଇ ତାହା ଆଠ ଏକର ଯାଗାରେ ବ୍ୟାପି ଗଲା ଓ ଏଥିରୁ ବାହାରୁ ଥିବା କଖାରୁ ଶ୍ରୀମନ୍ଦିର ରୋଷରେ ବ୍ୟବହୃତ ହୋଇ, ବଳକା କଖାରୁ ବିକ୍ରି କରାଗଲା। ସେହି ବିକ୍ରି ଲବ୍ଧ ଧନରେ ରଣପୁର ରାଜା ଭକ୍ତମାନଙ୍କ ସୁବିଧା ପାଇଁ ଏହି ପୁଷ୍କରିଣୀ ଗଛ ମାଡ଼ିଥିବା ଆଠ ଏକର ଜାଗାରେ ଖୋଳାଇଥିଲେ।
ଦ୍ଵିତୀୟ ମତଟି ମଧ୍ୟ କଖାରୁ ମଞ୍ଜି ସହ ଜଡିତ। କିନ୍ତୁ ଏଠାରେ ଗଜପତି କପିଳେନ୍ଦ୍ର ଦେବଙ୍କ କନିଷ୍ଠ ପୁତ୍ରର ନିଧନ ପରେ, ତାଙ୍କ ବିଧବା ରାଣୀ କାଳିନ୍ଦୀ ମହାଦେଈ ଆସି ଜଗନ୍ନାଥବଲ୍ଳଭ ଓ ବଳଭଦ୍ର ବଲ୍ଳଭ ବଗିଚାର ମଧ୍ୟ ସ୍ଥଳରେ ଅବସ୍ଥାନ କଲେ। ଏହି ସମୟରେ ତାଙ୍କର ଗୁରୁ ବାବାଜୀ ଗୋବିନ୍ଦ ଦାସ ତାଙ୍କୁ ଏକ ଚମତ୍କାରୀ କଖାରୁ ମଞ୍ଜି ଦେଇଥିଲେ। ଯେଉଁ ମଞ୍ଜିକୁ ପୋତି ଦେବାପରେ ତାହା ମଧ୍ୟ ବିଶାଳ ଆକାର ନେଇ ଆଠ ଏକର ଜାଗାରେ ବ୍ୟାପି ଅନେକ ଫଳ ପ୍ରଦାନ କଲା। ପ୍ରଭୁଙ୍କ ରୋଷେଇରେ ଏହି କଖାରୁ ବ୍ୟବହାର କରାଯିବା ସହ ଗଛଟି ମୃତ୍ୟୁ ବରଣ କରିବା ପରେ ସେହି ଆଠ ଏକର ସ୍ଥାନରେ ଏହି ପୁଷ୍କରିଣୀ ମହାରାଜ କପିଳେନ୍ଦ୍ର ଦେବଙ୍କ ଦ୍ୱାରା ଖନନ କରାଯାଇ ନିଜ ପୁତ୍ର ନରେନ୍ଦ୍ରଙ୍କ ନାମରେ ନାମିତ କରାଗଲା। ଏଥିରେ ଥିବା ଷୋହଳଟି ଘାଟରୁ ମୁଖ୍ୟ ଘାଟର ନାମ ନରେନ୍ଦ୍ର ଘାଟ ରଖାଯାଇଛି । ଅନ୍ୟ ଏକ ଘାଟ ରାଣୀ କାଳିନ୍ଦୀଙ୍କ ନାମରେ ନାମିତ ହୋଇଛି। ବାକି ଚୌଦଟି ଘାଟ ଚଉଦ ପୁତ୍ର ଙ୍କ ନାମ ଅନୁସାରେ ଅଛି। କିନ୍ତୁ ମାଦଳା ପାଞ୍ଜି କହେ ଗଙ୍ଗବଂଶର ରାଜା ବୀର ନରସିଂହ ଦେବଙ୍କ ମନ୍ତ୍ରୀ ନରେନ୍ଦ୍ର ମହାପାତ୍ରଙ୍କ ଦ୍ୱାରା ଭକ୍ତମାନଙ୍କ ସୁବିଧା ନିମିତ୍ତ ୧୪ ଶ /୧୫ ଶ ଶତାବ୍ଦୀ ମଧ୍ୟରେ ଏହା ନିର୍ମିତ୍ତ ହୋଇଥିଲା । ଆଗାମୀ ଅଧ୍ୟୟ ରେ ଏହାର ଚନ୍ଦନ ଚକଡା ଓ ଚନ୍ଦନ ଯାତ୍ରା କଥା ଆଲୋଚନା କରିବା ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ ।
,ଅଧିକ କର୍ମ କରି ଯେତେ
ଅନ୍ତରେ ସମର୍ପିବ ମୋତେ।
ଆଶା ନକରି କର୍ମ ଫଳେ
ଶରଣ ମୋ ପାଦ କମଳେ ।
ଜୟ ଜଗନ୍ନାଥ ( ଦ ତ୍ରି ଉବାଚ )
Comments are closed.