ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୩୧୪
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଦି ସ୍ୱରୂପ ଭାବରେ ନୃସିଂହ ଠାକୁରଙ୍କୁ ବିବେଚନା କରିବାର ପ୍ରମାଣ ଆମେ ଅନେକ ଶାସ୍ତ୍ରରେ ପାଇଲେ, ଶ୍ରୀଜଗନ୍ନାଥ (ବିଗ୍ରହ )ଙ୍କ ଉତ୍ପତ୍ତି ଇତିହାସ ଅନୁଧ୍ୟାନ କଲେ ଜଣାଯାଏ ଯେ ନାରଦଙ୍କ ପରାମର୍ଶ କ୍ରମେ ମହାରାଜ ଇନ୍ଦ୍ରଦ୍ୟୁମ୍ନ ଯଜ୍ଞ ନୃସିଂହଙ୍କୁ ନିଜର ଇଷ୍ଠ ଭାବରେ ଗ୍ରହଣ କରି ଓ ଯଜ୍ଞ କ୍ଷେତ୍ରରେ ପ୍ରତିଷ୍ଠା ପୂର୍ବକ ଅଶ୍ୱମେଧ ଯଜ୍ଞ ସମାପନ କରିଥିଲେ। ଯାହାର ପ୍ରଭାବରେ ମହାଦାରୁଙ୍କର ଆବିର୍ଭାବ ଘଟିଲା। ଯାହାକୁ ସ୍ୱୟଂ ବିଶ୍ଵକର୍ମା, ଅନନ୍ତ ମହାରଣା ରୂପରେ ଆସି ଆଜିର ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କଲେ। ଯଜ୍ଞ ନୃସିଂହଙ୍କ ଅବା ଯଜ୍ଞ ଶମ୍ଭୁତ ଆଦି ନୃସିଂହଙ୍କ ଉପାସନା ଯୁଗେ ଯୁଗେ ଶ୍ରୀଜଗନ୍ନାଥଙ୍କ ନୀତି, ପୂଜା,ଓ ଯାନୀଯାତ୍ରାମାନଙ୍କରେ ପ୍ରଚଳିତ ହୋଇଆସୁଛି। ଶ୍ରୀମନ୍ଦିର ବିଗ୍ରହମାନଙ୍କର ଅଣସର, ରଥଯାତ୍ରା, ଦୈନିକ ରୋଷ ଓ ପୂଜାନୀତି ତଥା ନବକଳେବର ନୀତି ସମ୍ପାଦନ ସମୟରେ ନୃସିଂହଙ୍କ ଆବାହନ କରାଯାଏ। ବିଶେଷତଃ ନବକଳେବର ସମୟରେ ଅନୁଷ୍ଠିତ ହେଉଥିବା ବନଯାଗ ନୀତିରେ ମା ମଙ୍ଗଳାଙ୍କଠାରୁ ସ୍ୱପ୍ନାଦେଶ ପାଇ ଦାରୁମାନଙ୍କ ସନ୍ଧାନ ପାଇବା ପରେ ନୃସିଂହ ମନ୍ତ୍ର ରାଜରେ ଯଜ୍ଞ କରାଯାଏ। ପତି ମହାପାତ୍ର ଓ ବାଡ଼ଗ୍ରାହୀ ଦଇତା ଯଜ୍ଞଶାଳରେ ପାତାଳ ନୃସିଂହ ମନ୍ତ୍ର ଜପ କରନ୍ତି। ଯଜ୍ଞରେ ଆହୁତି ବେଳେ ମଧ୍ୟ ନୃସିଂହ ମନ୍ତ୍ର ଉଚ୍ଚାରଣ କରାଯାଏ।
ଦାରୁ ପ୍ରତିଷ୍ଠା ସମୟରେ ନ୍ୟାସ ଦାରୁ ରୂପେ ଏହାଙ୍କୁ ନୃସିଂହ ମନ୍ତ୍ରରେ ପ୍ରତିଷ୍ଠା କରାଯାଇ, ନୃସିଂହ ଗାୟତ୍ରୀ ମନ୍ତ୍ରରେ ଅଭିଷେକ କରାଯାଏ। ଆଗାମୀ ଅଧ୍ୟlୟରେ ଏହି ନୃସିଂହ ମନ୍ତ୍ର ଓ ନବକଳେବର ସମୟରେ ଏହାର ଉପଯୋଗୀତା ବିଷୟରେ ବିଷଦ ଆଲୋଚନା କରିବା। ଏବେ କରିବା ଆରାଧନା ଓ ଭାଗବତ ପଠନ ।
ପୃଥିବୀ ପବନ ଆକାଶ
ସଲିଳ ଅନଳ ପୁରୁଷ ।
ପ୍ରକୃତି ସତ୍ତ୍ୱ ରଜ ତମ
ବିକାର ମହତ ପରମ ।
ମୁଁ ଗୁଣା ଗୁଣ ମୁହିଁ ଜୀବ
ନିର୍ଗୁଣ ମୁହିଁ ସଦାଶିବ ।
ମୁଁ ଆତ୍ମା ସର୍ଵ ଜୀବ ଦେହୀ
ମୋ ବିନୁ ସ୍ଥୁଳ ସୁକ୍ଷ୍ମ ନାହିଁ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.