ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢାରେ ଆମେ ଠିକ ମୁକ୍ତି ମଣ୍ଡପ ପଶ୍ଚିମରେ ଅବସ୍ଥିତ। ଶ୍ରୀ ନୃସିଂହ ମହାପ୍ରଭୁଙ୍କ ବିଷୟରେ ଆଲୋଚନା କରୁଥିଲେ। ଏକ ସୁନ୍ଦର ତଥ୍ୟ ମଧ୍ୟ ଆମ ଦୃଷ୍ଟି ଗୋଚର ହେଲା। ଶ୍ରୀ ନୃସିଂହ ମନ୍ଦିରର ମୂଖ୍ୟ ଦ୍ୱାର ଦେଶରେ ଦୁଇ ପାର୍ଶ୍ଵରେ ଦୁଇଟି ଶିଳା ଲେଖ ଅଛି ; ଯାହା ବିଶିଷ୍ଟ ଗବେଷକ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁଙ୍କ ଦ୍ୱାରା ପାଠୋଦ୍ଧାର କରାଯାଇଛି ଓ ସେଥିରେ ପ୍ରମାଣିତ ହୋଇଛି। ବର୍ତ୍ତମାନ ପ୍ରଚଳିତ ତ୍ରିମୁର୍ତ୍ତି ତତ୍ତ୍ୱ, ସେହି ଦ୍ୱାଦଶ ଶତାବ୍ଦୀରେ ମଧ୍ୟ ଥିଲା। କିନ୍ତୁ ମୂଖ୍ୟ ମନ୍ଦିରରେ ପ୍ରତିଷ୍ଠିତ ତ୍ରିମୁର୍ତ୍ତିର ଅତ୍ୟନ୍ତ କ୍ଷୁଦ୍ର ପ୍ରତିକୃତି ବା କ୍ଷୁଦ୍ର ମୂର୍ତ୍ତି ଏହି ନୃସିଂହଙ୍କ ସହ ପୂଜା ପାଉଥିଲେ। ଏହାଙ୍କ ପରିଚିତି ଥିଲା ବଲଭଦ୍ର, ସୁଭଦ୍ରା ଓ ପୁରୁଷୋତ୍ତମ। ତେଣୁ ଶ୍ରୀମନ୍ଦିର ଇତିହାସରେ ପ୍ରାୟ ୩୫ ଫୁଟ ଉଚ୍ଚତା ବିଶିଷ୍ଟ ଶ୍ରୀ ନୃସିଂହ ମନ୍ଦିରର ଅନେକ ବୈଶିଷ୍ଠ ଅଛି। ଏହାର ବାହାର ପାର୍ଶ୍ଵ କାନ୍ଥରେ ଦଶଅବତାର ମୂର୍ତ୍ତି ଖୋଦିତ ହୋଇଛନ୍ତି। ଶ୍ରୀ ନୃସିଂହ ବା ମୁକ୍ତ ନୃସିଂହଙ୍କ ଦୈନିକ ନୀତି ପ୍ରାୟ ଶ୍ରୀଜୀଉ ମାନଙ୍କ ନୀତି ସହ ସମାନ ହୋଇଥାଏ। ଯଥା ଅବକାଶ, ବଲ୍ଳଭ, ବାହାର ଦେଉଳି ଭୋଗ, ଚନ୍ଦନଲାଗି ଓ ପହୁଡ଼ ହୋଇଥାଏ। ପତିମହାପାତ୍ର ସେବକ ଦୈନିକ ସେବା କରନ୍ତି। କୋଠରୁ ବଲ୍ଳଭ ବଢେ, କୋରା ଦୁଇଟି, ସାନକାକରା ଦୁଇଟି ମହନଭୋଗ ଚାରି ମେଞ୍ଚା ମିଳେ। ବୈଶାଖ ଶୁକ୍ଳ ଚତୁଦର୍ଶୀରେ (ନୃସିଂହ ଜନ୍ମ )ବିଶେଷ ନୀତି ପାଳିତ ହୁଏ। ପ୍ରଶାସନ ତରଫରୁ ଗୋଟିଏ ପାଟ ବସ୍ତ୍ର ଓ କିଛି ଦକ୍ଷିଣା ମିଳେ। ଏହି ଦିନ ଶ୍ରୀଜଗନ୍ନାଥଙ୍କ ଆଜ୍ଞା ମାଳ ଚକ୍ରତୀର୍ଥରେ ଥିବା ଚକ୍ରନାରାୟଣଙ୍କ ନିକଟକୁ ଯାଏ। ସେହିଦିନ ଦକ୍ଷିଣଘରେ ରହୁଥିବା ନୃସିଂହ ବିଗ୍ରହ ଆସି ମୁକ୍ତ ନୃସିଂହଙ୍କ ସାମନାରେ ମୁକ୍ତି ମଣ୍ଡପ ଉପରେ ଖଟୁଳିରେ ବିରାଜମାନ କରନ୍ତି। ଏଠାରେ ମହା ସ୍ନାନ ହୋଇ ପଞ୍ଚୋପଚାରରେ ଶୀତଳ ଭୋଗ ହୁଏ। ବନ୍ଦାପନା ଓ ଜନ୍ମ ନୀତି ପରେ, ଖଟୁଳିରେ ବିଜେ ନୃସିଂହ ପ୍ରତିମା (ବିଜେ ପ୍ରତିମା )ଜଗନ୍ନାଥ ବଲ୍ଳଭ ମଠକୁ ଯାତ୍ରା କରନ୍ତି।
ଶ୍ରୀ ମନ୍ଦିର ବେଢା ବୁଲାର ଏକ ପ୍ରମୁଖ ଅଂଶ ହେଲା ମୁକ୍ତି ମଣ୍ଡପରେ ମଥା ଲଗାଇ, ସଙ୍ଗେ ସଙ୍ଗେ ମୁକ୍ତ ନୃସିଂହଙ୍କ ଦର୍ଶନ ଅଶେଷ ପୁଣ୍ୟ ପ୍ରଦାନ କରିଥାଏ। ଆସନ୍ତୁ ଆରାଧନା କରିବା, ଆଉ କବି ଜଗନ୍ନାଥ ଦାସ ରଚିତ ଓଡ଼ିଆ ଭାଗବତର ଆଦ୍ୟ ପଦ ବା ନୃସିଂହଙ୍କୁ କରିଥିବା ବନ୍ଦନା ଗାଇବା।
ନମଇଁ ନୃସିଂହ ଚରଣ
ଅନାଦି ପରମ କାରଣ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.