Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ପରିକ୍ରମା ଅବସରରେ ଆମେ ଏବେ ପହଞ୍ଚି ଯାଇଛେ ଏକ ଗୁରୁତ୍ୱପୂର୍ଣ ମନ୍ଦିର ନିକଟରେ “ଶ୍ରୀ ନୀଳମାଧବ “ମନ୍ଦିର। ପାଖରେ, ପଞ୍ଚଶକ୍ତି ବା ମା ଭୁବନେଶ୍ୱରୀ ମନ୍ଦିରର ଠିକ ଉତ୍ତର ପାର୍ଶ୍ଵରେ ଏହି ମନ୍ଦିର ଅବସ୍ଥିତ ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୫୭ ରେ ତଥା ଶ୍ରୀମନ୍ଦିରର ଉତ୍ତର ପଶ୍ଚିମ କୋଣରେ ଶ୍ରୀ ନୀଳମାଧବଙ୍କ ମନ୍ଦିର ଅବସ୍ଥିତ। ଏହି ମନ୍ଦିରଟି ଅତ୍ୟନ୍ତ କମନୀୟ ଓ ରେଖ ଶୈଳୀରେ ନିର୍ମିତ୍ତ ହୋଇଛି। ଏହାର ପରିଦୃଶ୍ୟମାନ ଗର୍ଭଗୃହ ଓ ଜଗମୋହନ ଅଛି ମନ୍ଦିରଟି ପ୍ରାୟ ୬୦୦ ବର୍ଷ ପୁରୁଣା । ଜଗମୋହନ ଲମ୍ବରେ ୧୬ ଫୁଟ ଓ ଓସାରରେ ୭ ଫୁଟ ଅଟେ। ଗର୍ଭଗୃହଟି ଉଭୟ ଲମ୍ବ ଓ ଓସାର ରେ ୮/୮ଫୁଟ ଓ ଉଚ୍ଚତା ୩୪ଫୁଟ ଅଟେ। ପୂର୍ବାଭିମୁଖୀ ଏହି ମନ୍ଦିରର ମୂଖ୍ୟ ଦ୍ୱାରର ଉଚ୍ଚତା ସାଢେ ଚାରି ଫୁଟ ଓ ଓସାର ତିନି ଫୁଟ। ଉଭୟ ପାର୍ଶ୍ଵରେ ଜୟ ଓ ବିଜୟ ମୂର୍ତ୍ତି ଥିବା ବେଳେ ଦ୍ୱାରବନ୍ଧର ଉପରେ ନବଗ୍ରହ ମୂର୍ତ୍ତି ପ୍ରତିଷ୍ଠିତ ହୋଇଛି। ମନ୍ଦିରର ଉତ୍ତର ପାର୍ଶ୍ଵରେ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ତ୍ରିବିକ୍ରମ ପୃଥ୍ୱୀ ଦେବୀଙ୍କୁ ଏକ ପାଦରେ ଟେକି ଧରିବାର ମୂର୍ତ୍ତି ବିରାଜିତ। ଦକ୍ଷିଣ ପାର୍ଶ୍ଵରେ ବରାହ ଓ ପଶ୍ଚିମ ପାର୍ଶ୍ଵରେ ନୃସିଂହ ମୂର୍ତ୍ତି ବିରାଜିତ। ଏହି ୧୦/୧୫ ବର୍ଷ ମଧ୍ୟରେ ଜଗମୋହନରେ ବ୍ରହ୍ମl, ଶିବଙ୍କ ସହିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଚିତ୍ର ଅଙ୍କିତ ହୋଇଛି। ଗରୁଡ଼ ଖୁମ୍ବ ମଧ୍ୟ ସ୍ଥାପିତ ହୋଇଛି। ମୂଖ୍ୟ ନୀଳ ମାଧବଙ୍କ ବିଗ୍ରହ ମଧ୍ୟ ଦୁଇ ଫୁଟ ଉଚ୍ଚତା ବିଶିଷ୍ଟ ଚିକ୍କଣ କୃଷ୍ଣ ମର୍ମର ପ୍ରସ୍ତରରେ ନିର୍ମିତ୍ତ ଅଟନ୍ତି। ବିଗ୍ରହଙ୍କ ଚତୁର୍ଭୁଜ ଡାହାଣ ଉପର ହସ୍ତରେ ଚକ୍ର ଓ ତଳ ହସ୍ତ ବରଦ ମୁଦ୍ରାରେ ଖୋଦିତ ପଦ୍ମ ସହ, ବାମରେ ଉପରେ ଶଙ୍ଖ ଓ ତଳେ ଗଦା ଧାରଣ କରିଥିବାର ଦୃଶ୍ୟମାନ ହୁଏ। କଣ୍ଟିଲୋ ନୀଳମାଧବଙ୍କ ସମ୍ମୁଖରେ ଗରୁଡ଼ ଉପବେଶନ କରିଛନ୍ତି। କିନ୍ତୁ ଶ୍ରୀମନ୍ଦିର ବେଢାରେ ଥିବା ନୀଳମାଧବଙ୍କ ସମ୍ମୁଖରେ ଶବର ରାଜା ବିଶ୍ୱାବସୁଙ୍କ ପ୍ରlଣବନ୍ତ ଓ ଭାସ୍କର୍ଯ୍ୟ ପୁର୍ଣ୍ଣ ବିଗ୍ରହ ଉପବେଶନ କରି ପ୍ରଭୁଙ୍କୁ ଫଳ ପ୍ରଦାନ କରୁଥିବାର ଦୃଶ୍ୟମାନ ହୁଅନ୍ତି।

ଆଗାମୀ ଅଧ୍ୟାୟରେ ଏହାର ତାତ୍ପର୍ଯ୍ୟ ଆଲୋଚନା କରିବା । ଏବେ ଆରାଧନା ।

“ନୀଳାଦ୍ରିଶିଖରାସୀନଂ ନମାମି ନୀଳମାଧଵମ୍, ପ୍ରଣତାର୍ତୀହରଂ ଦେବଂ ଶରଣାଗତ ରକ୍ଷକମ୍। ”

ଅର୍ଥାତ ହେ ନୀଳମାଧଵ ! ତୁମେ ନୀଳାଚଳର ଅଗ୍ର ଭାଗରେ ଅବସ୍ଥାନ କରିଅଛ, ତୁମେ ପ୍ରଣତ ଲୋକର ଦୁଃଖନାଶକ, ତୁମେ ଶରଣଦାୟକ, ଆମ୍ଭେ ତୁମକୁ ପ୍ରଣାମ କରୁଅଛୁ। ଜୟ

ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.