ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଭିତର ବେଢା ବୁଲିବା ଅବସରରେ ଆମେ ପହଞ୍ଚିଯାଇଛେ। ଶ୍ରୀ ବେଢାକାଳୀଙ୍କ ପାଖରେ କେହି କେହି ମାଙ୍କୁ “ଭଦ୍ରକାଳୀ “ଅବା କେହି “ଗୁହ୍ୟକାଳୀ “ଭାବରେ ବର୍ଣ୍ଣନା କରିଥାନ୍ତି। ଶ୍ରୀମନ୍ଦିର ସତ୍ୱଲିପି ଅନୁସାରେ ପ୍ଲଟ ନମ୍ବର ୫୬ ରେ ଅବସ୍ଥିତ । ଏହା ମୂଖ୍ୟ ମନ୍ଦିରର ପଶ୍ଚିମ କୋଣରେ ଠିକ ଶ୍ରୀନୀଳମାଧବ ଓ ମା ଲଷ୍ମୀଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ଏକ ନାତିଉଚ୍ଚ ମନ୍ଦିର ମଧ୍ୟରେ ମା ବେଢାକାଳୀ ପ୍ରତିଷ୍ଠତ ଓ ପୂଜିତ ଅଟନ୍ତି। ଏହି ବେଢାକାଳୀଙ୍କ ପ୍ରତିଷ୍ଠା ଵିଷୟରେ ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ମତ ହେଲା ମାହାଲଷ୍ମୀଙ୍କ ମନ୍ଦିର ପ୍ରତିଷ୍ଠା ସମୟରେ ହିଁ ମା ବେଢାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି। ଏହା ଆଗରୁ ଅରଣ୍ୟ ପରିପୂର୍ଣ୍ଣ ସ୍ଥାନରେ ଅତ୍ୟନ୍ତ ଗୁପ୍ତ ଅବସ୍ଥାରେ ମା ଗୁହ୍ୟକାଳୀ ଅବସ୍ଥାନ କରି, ନିଜର ଉଗ୍ର ସ୍ଵଭାବ ଯୋଗୁ ସେ ଅନେକ ବିତ୍ପାତ ଘଟାଇ ଅନେକ ଜୀବନ ନେଇଥିଲେ। ଲୋକମାନେ ଭୟରେ ଉକ୍ତ ସ୍ଥାନକୁ ଆସିବାକୁ ମଧ୍ୟ ଭୟ କରୁଥିଲେ। ମରହଟ୍ଟା ରାଜ୍ୱତ କାଳରେ ବାବା ବ୍ରହ୍ମଚାରିଙ୍କ ଉଦ୍ୟମରେ ସେହି ଉଗ୍ର କାଳୀ ମୂର୍ତ୍ତିଙ୍କ ପ୍ରଥମ ବିଗ୍ରହକୁ ଲୁଚାଇ ପୁନଶ୍ଚ ଏକ ଶାନ୍ତ ସ୍ଵଭାବର ମୂର୍ତ୍ତି ପ୍ରତିଷ୍ଠା କରାଗଲା। ସେହି ଦିନଠାରୁ ମା’ଭଦ୍ରକାଳୀ ଭାବରେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱ ତୁଲାଇ ଆସୁଛନ୍ତି। କଥିତ ଅଛି ଶ୍ରୀଜଗନ୍ନାଥ ଓ ଅନ୍ୟ ଦେବାଦେବୀ ପହୁଡ଼ ହୋଇସାରିବା ବେଢା ମଧ୍ୟରେ କେବଳ ମା ବେଢା କାଳୀ ଜାଗ୍ରତ ରହି ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ତୁଲାଇଥାନ୍ତି। ସମ୍ପୂର୍ଣ୍ଣ ବେଢାର ରକ୍ଷାକର୍ତ୍ତା ହିସାବରେ ମା ବେଢାକାଳୀଙ୍କର ବେଶ ପରିଚିତି ଅଛି।ସାଧାରଣ ଶ୍ରଦ୍ଧାଳୁଟିଏ ଆଜି ବି ମା ବେଢାକାଳୀଙ୍କ ଦର୍ଶନ କରିବା ସମୟରେ ଜାଣି ପାରେନି ଯେ ସେ ମା ଙ୍କ ପ୍ରକୃତ ମୂର୍ତ୍ତି ବା ମୂଳ ପ୍ରସ୍ତର ମୂର୍ତ୍ତି ଦର୍ଶନ କରୁନି, ଦର୍ଶନ କରୁଛି ଏହି ମୂଳ ମୂର୍ତ୍ତି ସମ୍ମୁଖ ଭାଗରେ ଓସୁଆ (ଝୁଣା ଓ ତୈଳ ମିଶ୍ରିତ ଏକ ଲେପ )ରେ ପ୍ରସ୍ତୁତ ଦ୍ଵିତୀୟ ମୂର୍ତ୍ତିଙ୍କୁ। ବର୍ତ୍ତମାନ ମୂର୍ତ୍ତି ଡାହାଣ ପାର୍ଶ୍ଵରେ ଏଜ ରନ୍ଦ୍ର ଦେଇ ଦେଖିଲେ ମୂଳ ବିଗ୍ରହଙ୍କ ଦର୍ଶନ ମିଳେ। ଆଜିବି ସେହି ମୂଳ ବିଗ୍ରହଙ୍କ ପୂଜା ଏହି ରନ୍ଦ୍ର ବାଟେ ଫୁଲ, ଚନ୍ଦନ ଦେଇ କରାଯାଏ। ଏହି ଆଗାମୀ ଅଧ୍ୟାୟ ରେ ସମ୍ପୂର୍ଣ ପୂଜା ରୀତିନୀତି କଥା ଆଲୋଚନା କରିବା। ବର୍ତ୍ତମାନ ଆରାଧନା ଓ ଭାଗବତ ପଠନ।
ପ୍ରକୃତି ସତ୍ୱ ରଜ ତମ
ବିକାର ମହତ ପରମ ।
ମୁଁ ଗୁଣ ଗୁଣୀ ମୁହିଁ ଜୀବ
ନିର୍ଗୁଣ ମୁହିଁ ସଦାଶିବ ।
ମୁଁ ଆତ୍ମା ସର୍ବ ଜୀବ ଦେହୀ
ମୋ ବିନୁ ସ୍ଥୁଳ ସୁକ୍ଷ୍ମ ନାହିଁ ।
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ)
Comments are closed.