Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଭିତର ବେଢା ପରିକ୍ରମା କରି ଆମେ ପହଞ୍ଚି ଯାଇଛେ ମା ବେଢା କାଳୀଙ୍କ ମନ୍ଦିର ପରିସରରେ। ମାଙ୍କ ବିଗ୍ରହରେ ଥିବା ଚମତ୍କାର ତଥ୍ୟ ଉପରେ ସମ୍ୟକ ଆଲୋଚନା ମଧ୍ୟ ସାରିଛେ,ଏବେ ଦୃଶ୍ୟମାନ ହେଉଥିବା ଦେବୀ ବିଗ୍ରହ ବ୍ୟାଘ୍ର ଚର୍ମ ଉପରେ ଅଧିଷ୍ଠାତା। ପ୍ରାୟ ତିନି ଫୁଟ ଉଚ୍ଚାର ଏହି ବିଗ୍ରହ ଦ୍ବିଭୁଜା, ଦକ୍ଷିଣ ହସ୍ତ ଉର୍ଦ୍ଧ୍ୱକୁ ଉତ୍ତୋଳନ କରି ଧରିଛନ୍ତି ଖଡ଼ଗ ଓ ବାମ ହାତରେ ଧରିଛନ୍ତି ଖର୍ପର ଧାରଣ କରି ରଖିଛନ୍ତି ନିଜ ଜାନୁ ଉପରେ ନିଜର ବିସ୍ତାରିତ ନେତ୍ରରେ ଉଗ୍ର ଭାବର ପ୍ରଦର୍ଶନ,ଲହ ଲହ ଜିହ୍ୱା ସହ ଗଳାରେ ମୁଣ୍ଡ ମାଳ ମାଙ୍କ ଉଗ୍ର ରୂପକୁ କରୁଛି ଆହୁରି ଉଗ୍ରତମ। ସଙ୍ଗରେ ଅଛି ସିଂହ ବାହନ। ୧୯୫୩-୫୪ ମସିହାରେ ପ୍ରସ୍ତୁତ ଶ୍ରୀମନ୍ଦିର ସତ୍ୱଲିପି କହେ କିଛି ପ୍ରତିହାରୀ ଓ ଖୁଣ୍ଟିଆ ସେବକ ମାଙ୍କ ସେବା ପୂଜା କରିଥାନ୍ତି। ଶ୍ରୀମନ୍ଦିର କୋଠ ବାହାରଦେଉଳିରୁ କେବଳ ଗୋଟିଏ କାକରା ମିଳେ, ସୁତରାଂ ମାଙ୍କୁ କେବଳ ଶୀତଳ ଭୋଗ କରାଯାଏ। ମାଙ୍କ ଅନ୍ୟାନ୍ୟ ସେବା ଯଥା ସ୍ନାନ, ମାର୍ଜନା, ମଇଲମ ବେଶ ଇତ୍ୟାଦି ସେବକ ମାନେ ନିଜ ଖର୍ଚ୍ଚରେ କରିଥାନ୍ତି ପାର୍ବଣ ନୀତି ଅନୁଯାୟୀ ଆଶ୍ୱିନ ମାସରେ ଷୋଳପୂଜା ପାଇଁ କୋଠ ପକ୍ଷରୁ ଦୈନିକ ଖେଚୁଡ଼ି ଏକ ଓଳି, କାକରା ଚାରି ଗୋଟି ଓ ଏକ ମୁଆଁ ଆସିଥାଏ, ଷୋଳପୂଜା ସମୟରେ ମା’ଙ୍କର ବିଭିନ୍ନ ବେଶ ମଧ୍ୟ ହୋଇଥାଏ। ଆସନ୍ତୁ ମାଙ୍କ ଆରାଧନା କରିବା।

“କାଳୀଂ କରାଳ ବଦନାଂ ମୁଣ୍ଡମାଳା ବିଶୋଭିତାମ୍। ଲୋଳଜିହ୍ୱାଂ ତ୍ରିନେତ୍ରାଙ୍ଗା, ଖଡଗପାତ୍ର ଧରାନନାମ୍ । ଗୁହ୍ୟାଦ ଗୁହ୍ୟତମାଂ ଦେବୀଂ ସର୍ବସିଦ୍ଧି -ପ୍ରଦାୟିନୀମ୍ । ଗୁହ୍ୟଚକ୍ରେଶ୍ୱରୀଂ ବନ୍ଦେ କାଳିକାଂ କାଳମାତ୍ରକାମ୍।” ଅର୍ଥାତ ହେ ଗୁହ୍ୟକାଳୀ!ମାତଃ, ତୁମେ କରାଳ ବଦନା, ତୁମେ ନରମୁଣ୍ଡ ମାଳରେ ବିଭୂଷିତା, ତୁମର ଜିହ୍ୱା ଅତି ଚପଳ ତୁମେ ତ୍ରିନେତ୍ରା, ତୁମେ ଖଡ଼ଗଧରା, ପାନପାତ୍ର ତୁମ ଅଧର ସ୍ପର୍ଶ କରିଛି । ତୁମେ ଅପ୍ରକଟା, ଗୁହ୍ୟଚକ୍ର ର ଅଧିକାରି ଅଧିଶ୍ବରୀ, ତୁମେ ସିଦ୍ଧିଦାୟିନୀ କାଳୀକା, କାଳମାତୃକା
ତୁମକୁ ଆମେ ବାରମ୍ବାର ବନ୍ଦନା କରୁଛୁ। ଏହି ଧ୍ୟ୍ୟନ ମନ୍ତ୍ରଟି ମୁକ୍ତି ଚିନ୍ତାମଣି ଗ୍ରନ୍ଥରୁ ଆନିତ। ଜୟ ମା କାଳୀ, ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.